କନକ ବ୍ୟୁରୋ : ମନି ଲଡ୍ରିଂ ମାମଲାରେ ତିହାଡ ଜେଲରେ ବନ୍ଦୀ ଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଡୁଆ ବଢିବାରେ ଲାଗିଛି । ଗୋଟେପଟେ ଜୈନଙ୍କୁ ଜାମିନ ମିଳୁନି ଅନ୍ୟପଟେ ଏବେ ଇଡି ଏକ ନୂଆ ଦାବି କରିଛି । ତିହାଡ ଜେଲରେ ସ୍ୱତନ୍ତ୍ର ସୁବିଧା ମିଳୁଥିବା ନେଇ ଗୃହମନ୍ତ୍ରାଳୟକୁ ଚିଠି ଲେଖିଛି ଇଡି । ଘଟଣାକୁ କେନ୍ଦ୍ର ସରକାର ଗମ୍ଭୀରତା ସହ ଗ୍ରହଣ କରିବା ସହ ଦିଲ୍ଲୀ ସରକାରଙ୍କୁ ଏନେଇ ଜବାବ ମାଗିଛି ।
ମନ୍ତ୍ରୀଙ୍କ ପାଇଁ ନିୟମର ଉଲ୍ଲଂଘନ! ଜେଲ ଭିତରେ ଦିଆଯାଉଥିଲା ସ୍ୱତନ୍ତ୍ର ସୁବିଧା । କଏଦୀ ଭାବରେ ନୁହେଁ ମନ୍ତ୍ରୀଭାବେ ହେଉଥିଲା ତାଙ୍କର ସେବା । ମୁଣ୍ଡ, ଦେହ, ପାଦରେ ଦିଆଯାଉଥିଲା ମସାଜ୍ । ସତ୍ୟେନ୍ଦ୍ର ଜୈନଙ୍କୁ ପ୍ରତିଦିନ ଭେଟି ହାଲଚାଲ ପଚାରୁଥିଲେ ତିହାଡ ଜେଲ ସୁପରିଟେଂଣ୍ଡେଟ । ଘଂଟା ଘଂଟା ଧରି ପତ୍ନୀଙ୍କ ସହ ସେଲ ଭିତରେ କଥା ହେଉଥିଲେ ସତ୍ୟେନ୍ଦ୍ର । ଏମିତି ଅନେକ କଥାକୁ ନେଇ ବଡ ଦାବି କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ମନ ଲଡ୍ରିଂ ମାମଲାରେ ତିହାଡ ଜେଲରେ ଥିବା ସତ୍ୟେନ୍ଦ୍ର ଜୈନଙ୍କ ନାଁରେ ଏହି ସବୁ ଅଭିଯୋଗ ଆଣିଛି ଇଡି । କେବଳ ଅଭିଯୋଗ ଆଣିନି କୋର୍ଟରେ ସିସିଟିଭି ଫୁଟେଜ ସହ କୋର୍ଟରେ ସତ୍ୟପାଠ ଦାଖଲ କରିଛି ।
ଇଡିର ଅଭିଯୋଗକୁ ନେଇ ଆକ୍ସନ ମୁଡକୁ ଆସିଛି କେନ୍ଦ୍ର ଗୃହମନ୍ତ୍ରାଳୟ । ତୁରନ୍ତ ଦିଲ୍ଲୀ ସରକାରରଙ୍କୁ ଚିଠି ଲେଖି ଏହି ବାବଦରେ ଜବାବ ମଗାଯାଇଛି । ଜେଲର ସିସିଟିଭି ଫୁଟେଜ ଏକଥା ମଧ୍ୟ ବଖାଣୁଛି କି ସେଲରେ ଥିବା ଅନ୍ୟ କଏଦୀ କିଭଳି ଭାବେ ଜୈନଙ୍କ ସେଲକୁ ଆସନ୍ତି ଓ ଘଂଟା ଘଂଟା ଧରି କଥା ହୁଅନ୍ତି । ଇଡି ଏକଥା ମଧ୍ୟ କହିଛି କି ପୂର୍ବରୁ ସତ୍ୟେନ୍ଦ୍ର ଜୈନ ଜେଲ ମନ୍ତ୍ରୀ ଥିଲେ ଓ ଏହାର ଫାଇଦା ଉଠାଇ ଜେଲରେ ସବୁ ପ୍ରକାର ସୁବିଧା ପାଉଥିଲେ । ସେପଟେ ତିହାଡ ଜେଲ ପ୍ରଶାସନ ଏହା ଉପରେ ଜବାବ ରଖିଛି । ଇଡି ଯେଉଁ ଅଭିଯୋଗ କରୁଛି ସେଥିରେ କୌଣସି ସତ୍ୟତା ନାହିଁ । ଅନ୍ୟ କଏଦୀଙ୍କ ପରି ସତ୍ୟେନ୍ଦ୍ର ଜେଲରେ ଦିନ କାଟୁଛନ୍ତି ଓ କଏଦୀଙ୍କ ସହ କଥା ହୁଅନ୍ତି ବୋଲି ତିହାଡ ଜେଲ ପ୍ରଶାସନ କହିଛି ।
କିଛି ଦିନ ପୂର୍ବରୁ ଦିଲ୍ଲୀ ମଣ୍ଡୋଲି ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ସତ୍ୟେନ୍ଦ୍ରଙ୍କ ଉପରେ କୋଟି କୋଟି ଟଙ୍କା ଲାଂଚ ନେଇଥିବା ଅଭିଯୋଗ କରିଥିଲା । ଯାହାକୁ ନେଇ ଦିଲ୍ଲୀ ରାଜନୀତିରେ ହଇଚଇ ସୃଷ୍ଟି ହେବା ସହ କାଉଂଟର କରିଥିଲା ବିଜେପି । ସେପଟେ ଆପ କହିଥିଲା କି ମୋରବୀ ଦୁର୍ଘଟଣା ଉପରୁ ଧ୍ୟାନ ହଟାଇବା ପାଇଁ ସୁକେଶ କାନ୍ଧରେ ବନ୍ଧୁକ ରଖି ବିଜେପି ଆମ ଆଦମୀ ପାର୍ଟି ଉପରେ ଗୁଳିଚଳାଉଛି ।