ମେଘାଳୟ ରାଜ୍ୟପାଳଙ୍କ ବୟାନ ବାଣ । ସତ୍ୟପାଲ କହିଲେ, ଚାଷୀଙ୍କ ଦାବି ନ ମାନିଲେ ବିଜେପିକୁ ବଡ କ୍ଷତି ସହିବାକୁ ପଡିପାରେ ।

113

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନକୁ ନେଇ ମୋଦୀ ସରକାରଙ୍କୁ ବୟାନ ବାଣ ମାରିଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସିଧାସଳଖ କହିଛନ୍ତି, ମୁଁ ଚାଷୀଙ୍କ ଆନ୍ଦୋଳନ ସମର୍ଥନ କରେ । ଚାଷୀଙ୍କ ଦାବି ଶତପ୍ରତିଶତ ଠିକ୍ । ମୁଁ ଚାଷୀ ପରିବାରରୁ ଆସିଛି, ସେମାନଙ୍କ ଦୁଃଖ ଦେଖିଛି । ତେଣୁ ଚାଷୀ କରୁଥିବା ଦାବି କେବେ ବି ଭୁଲ ନୁହେଁ । ମୋଦୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏମଏସପି ବୃଦ୍ଧି କଥା କହିଥିଲେ । ତେଣୁ ଏବେ ଏହାକୁ ବୁଝିବାର ଆବଶ୍ୟକତା ରହିଛି । ଯଦି ଚାଷୀଙ୍କ ଦାବି ନ ମାନନ୍ତି ସରକାର ତେବେ ବିଜେପିକୁ ବଡ଼ କ୍ଷତି ସହିବାକୁ ପଡିପାରେ । ମୁଁ ସରକାରଙ୍କୁ ଚ୍ୟାଲେଞ୍ଜ ଦେଇନାହିଁ ବରଂ ସରକାରଙ୍କୁ ପରାମର୍ଶ ଦେଇଛି । ଯଦି ସରକାରଙ୍କୁ ଲାଗୁଥାଏ କି ମୋ ବୟାନ ଦ୍ୱାରା ସରକାର ସମସ୍ୟାରେ ପଡୁଛନ୍ତି ତେବେ ଇସାରା କରିଦେଲେ ବି ମୁଁ ପଦ ଛାଡିଦେବି । କିନ୍ତୁ ସତ କହିବା ଛାଡିବି ନାହିଁ. ମୋତେ ଯାହା ଠିକ୍ ଲାଗିବ ମୁଁ କହିବି । ଏଭଳି କହି ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସହ ମୋଦୀ ସରକାରଙ୍କୁ ସତର୍କ କରାଇଛନ୍ତି ସତ୍ୟପାଲ ।

ଏହାସହ ସତ୍ୟପାଲ କହିଛନ୍ତି, ଆଗକୁ ଆସୁଥିବା ନିର୍ବାଚନ ଉପରେ ଚାଷୀ ଆନ୍ଦୋଳନର ପ୍ରଭାବ ନିଶ୍ଚୟ ପଡିବ । ପଶ୍ଚିମ ଉତ୍ତରପ୍ରଦେଶରେ ଚାଷୀ ଆନ୍ଦୋଳନର ପ୍ରଭାବ ନିଶ୍ଚୟ ପଡିବ, ବିଜେପିକୁ ବଡ କ୍ଷତି ସହିବାକୁ ପଡିବ । ଖାସକରି ଲୋକସଭା ନିର୍ବାଚନରେ ଅଧିକ କ୍ଷତି ସହିବ ବିଜେପି । ମୋଦୀଙ୍କ ଉପରେ ଲୋକଙ୍କର ଭଲ ଧାରଣା ରହିଛି, କିନ୍ତୁ ସରକାରକୁ ନେଇ ଲୋକେ ଅସନ୍ତୁଷ୍ଟ ଅଛନ୍ତି । ଏବେ ଚାଷୀ ଆନ୍ଦୋଳନ କାରଣରୁ ଗାଁକୁ ପଶିବା ବିଜେପି ପାଇଁ ଆଉ ସହଜ ହୋଇ ନାହିଁ । ଆଉ ଗୋଟିଏ ବର୍ଷ ଏମିତି ଚାଷୀ ଆନ୍ଦୋଳନ ଜାରି ରହିଲେ ବିଜେପିକୁ ବଡ଼ କ୍ଷତି ସହିବାକୁ ପଡିବ ।

ଚାଷୀ ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ମୁଁ ମଧ୍ୟସ୍ଥ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସରକାର । ଏମଏସପି ବୃଦ୍ଧିକୁ ସରକାର ଆଇନରେ ପରିଣତ କଲେ ହୁଏତ ଚାଷୀ ମାନି ଯାଇପାରନ୍ତି । ଚାଷୀ ଆନ୍ଦୋଳନ ସମ୍ପୂର୍ଣ୍ଣ ରୂପେ ଅହିଂସା ମାର୍ଗରେ ହେଉଛି । ଏତେ ଦିନ ଧରି ଅହିଂସା ମାର୍ଗରେ ଆନ୍ଦୋଳନ କରିବା, ଦାବି ନ ମାନିଲେ ମଧ୍ୟ ଚୁପ୍ ରହିବା ଆଶ୍ଚର୍ଯ୍ୟ କରିଦେବା ଭଳି କଥା ବୋଲି କହିଛନ୍ତି ସତ୍ୟପାଲ । ଏହାସହ ସତ୍ୟପାଲ କହିଛନ୍ତି, କୃଷି ଆଇନ ବଦଳାଇବାରେ ଅସୁବିଧା କଣ ? ଯଦି ଚାଷୀ ଚାହୁଁଛନ୍ତି ଆଇନ ବଦଳାଇବାକୁ ତେବେ ଏହାକୁ ପୁଣିଥରେ ବଦଳାଇବାରେ ସରକାରଙ୍କର ଅସୁବିଧା କଣ? କୌଣସି ଖଲିସ୍ଥାନୀ ଆନ୍ଦୋଳନରେ ନାହାନ୍ତି । ପଞ୍ଜାବୀଙ୍କ ଦେଶପ୍ରେମ ଉପରେ କେହି ବି ପ୍ରଶ୍ନ ଉଠାଇପାରିବେନି । କାରଣ ସ୍ୱାଧୀନତା ଆନ୍ଦୋଳନରେ ପଞ୍ଜାବବାସୀ କଣ ହରାଇଛନ୍ତି ତାହା ପୂରା ଦେଶ ଜାଣିଛି ।

ଯଦି ଚାଷୀଙ୍କ ଦାବି ନ ମାନିବେ ତେବେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ ଭଳି ରାଜ୍ୟରେ ବିଜେପିକୁ ବଡ ଝଟକା ଲାଗିବ । ଉଭୟ ମୋଦୀ ଓ ଅମିତ ଶାହାଙ୍କୁ ଏ ବାବଦରେ ଅବଗତ କରିଛି । କିନ୍ତୁ ପ୍ରଶାସନରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସରକାରକୁ ବାଟବଣା କରୁଛନ୍ତି । ମୋଦୀ ଚାଷ ଓ ଚାଷୀଙ୍କୁ ଭଲ ଭାବରେ ବୁଝିଛନ୍ତି, ତେଣୁ ନିଶ୍ଚୟ ଚାଷୀଙ୍କ କଥା ବୁଝିବେ ବୋଲି ମୋର ଆଶା । ଯଦି ସରକାର ଏମଏସପି ଦାବି ମାନି ନିଅନ୍ତେ ତେବେ ଏହି ଆନ୍ଦୋଳନ ୧୦ ଭିତରେ ଶେଷ ହୋଇ ଯାଆନ୍ତା ।