କନକ ବ୍ୟୁରୋ: ହିମାଚଳପ୍ରଦେଶରେ ୩ ଦିବସୀୟ ଧର୍ମ ସଂସଦର ଶୁଭାରମ୍ଭ ହୋଇଛି । ଏଥିରେ ଭାରତର ବିଭିନ୍ନ ପ୍ରାନ୍ତରୁ ସାଧୁ, ସାଧ୍ୱୀ ଯୋଗ ଦେଇ ହିନ୍ଦୁତ୍ୱର ମହାନତା ଉପରେ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ କିଛି ସାଧୁଙ୍କ ଅଜବ ଆହ୍ୱାନକୁ ନେଇ ଆରମ୍ଭ ହୋଇଯାଇଛି ତର୍କ ।
ୟତି ନରସିଂହାନନ୍ଦଙ୍କ ପରେ ଏବେ ଅଖିଳ ଭାରତୀୟ ସନ୍ଥ ପରିଷଦର ହିମାଚଳ ପ୍ରଦେଶ ପ୍ରଭାରୀ ସତ୍ୟଦେବାନନ୍ଦ ସରସ୍ୱତୀ ନିଜ ବୟାନକୁ ନେଇ ଏବେ ଚର୍ଚ୍ଚାରେ । ହିମାଚଳପ୍ରଦେଶ ଊନା ମୁବାରକପୁରରେ ଆୟୋଜିତ ୩ ଦିନିଆ ‘ଧର୍ମ ସଂସଦ’ପୂର୍ବରୁ ତଙ୍କର ଏକ ଅଜବ ବୟାନକୁ ନେଇ ଏବେ ଦେଶସାରା ଚର୍ଚ୍ଚା ଓ ପ୍ରତିକ୍ରିୟା ପ୍ରକାଶ ପାଉଛି । ‘ଭାରତ ଯେପରି ଏକ ଇସ୍ଲାମିକ ରାଷ୍ଟ୍ର ନହେବ ସେଥିପାଇଁ ଆମକୁ ସଚେତନ ରହିବାକୁ ପଡିବ । ଏହାସହ ହିନ୍ଦୁମାନଙ୍କୁ ଅଧିକରୁ ଅଧିକ ସନ୍ତାନ ଜନ୍ମ ଦେବାକୁ ପଡିବ’ ବୋଲି ସତ୍ୟଦେବାନନ୍ଦ ସରସ୍ୱତୀ ଆହ୍ୱାନ ଦେଇଛନ୍ତି ।
ଭାରତ ଏକ ଗଣତାନ୍ତ୍ରୀକ ରାଷ୍ଟ୍ର ।ଯଦିଓ ଏହା ହିନ୍ଦୁ ବହୁସଂଖ୍ୟକ ରାଷ୍ଟ୍ର କିନ୍ତୁ ଏଠାରେ କିଛି ଗୋଷ୍ଠୀ ପ୍ଲାନିଙ୍ଗ ଆଧାରରେ ଅଧିକରୁ ଅଧିକ ସନ୍ତାନ କରି ଦେଶରେ ନିଜର ସଂଖ୍ୟା ବଢାଇବାରେ ଲାଗିଛନ୍ତି । ଯଦି ଭାରତକୁ ଏକ ସଂଖ୍ୟାଲଘୁ ରାଷ୍ଟ୍ର ହେବାରୁ ବଞ୍ଚାଇବାକୁ ଅଛି ତେବେ ହିନ୍ଦୁ ମାନଙ୍କୁ ଅଧିକରୁ ଅଧିକ ସନ୍ତାନ ଜନ୍ମ କରି ନିଜ ସମ୍ପ୍ରଦାୟକୁ ସୁରକ୍ଷିତ କରିବାକୁ ପଡିବ ବୋଲି ମଧ୍ୟ ସତ୍ୟଦେବାନନ୍ଦ କହିଛନ୍ତି ।
ଏହାସହ ଆଉ ଜଣେ ସାଧ୍ୱୀ ଋତୁମ୍ଭରା ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ପ୍ରତି ହିନ୍ଦୁଙ୍କୁ ୪ଟି ସନ୍ତାନ ଜନ୍ମ କରିବା ଉଚିତ । ସେଥିରୁ ନିଜେ ୨ ସନ୍ତାନଙ୍କୁ ରଖି ଅନ୍ୟ ୨ ଶିଶୁଙ୍କୁ ରାଷ୍ଟ୍ରଙ୍କୁ ସମର୍ପି ଦେବା ଉଚିତ ବୋଲି ଋତୁମ୍ଭରା କହିଛନ୍ତି ।