କନକ ବ୍ୟୁରୋ: ପୁଅ ପାଇଁ ମା ଆଖିରେ ଏ ଲୁହ ଦେଖିଲେ, କାହା ଆଖିରେ ବି ପାଣି ଆସିଯିବ । ରୋଗୀଣା ପୁଅକୁ କାନ୍ଧରେ ଧରି ବାହୁନି ବାହୁନି କାନ୍ଦୁଛି ମା । ଆଉ ନିଜ ସନ୍ତାନର ସୁରକ୍ଷା ପାଇଁ ଖୋଜୁଛି ସାମାନ୍ୟ ଟିକିଏ ସାହାଯ୍ୟ ।
ଏ କୁନିପୁଅର ନାଁ ହେଉଛି ସତ୍ୟବ୍ରତ ମଲ୍ଲିକ । ବୟସ କହିଲେ, ଏଇ ମାତ୍ର ୧୦ କି ୧୧ ବର୍ଷ ହେବ । ଯେଉଁ ବୟସରେ ଗାଁ ଦାଣ୍ଡରେ ଧୂଳି ଉଡେଇବା କଥା, ଦୁଷ୍ଟାମି କରି ଗାଁରେ ବୁଲିବା କଥା । ସେହି ବୟସରେ ଏମିତି ଘର କଣରେ ବସି, ଯନ୍ତ୍ରଣାରେ ଦିନ କାଟୁଛି ସତ୍ୟବ୍ରତ ।
କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ୍ ଅହମ୍ମଦପୁର ଗାଁର ରଞ୍ଜିତ ମଲ୍ଲିକ ଆଉ ରଶ୍ମିଲତା ମଲ୍ଲିକଙ୍କୁ ବଡ ପୁଅ ହେଉଛି ସତ୍ୟବ୍ରତ । ଦୀର୍ଘ ୧୦ ବର୍ଷ ହେଲା ଏମିତି ଯନ୍ତ୍ରଣା ଭିତରେ ତା ଜୀବନ କଟୁଛି । ସତ୍ୟର ହାର୍ଟରେ ଗୋଟିଏ କଣା ଥିବାରୁ ଇଚ୍ଛା ଥିଲେ ବି ସେ, ସ୍କୁଲ କି ବାହାରକୁ ଯିବା ଆସିବା କରିପାରୁନି । ଆଉ ଦିନ ମଜୁରି କରି ଘର ଚଲଉଥିବା ବାପା ରଞ୍ଜିତଙ୍କ ପକ୍ଷରେ ମଧ୍ୟ ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବଡ ବାଧକ ।
୧୦ ବର୍ଷ ହେଲା ରଞ୍ଜିତ ଆଉ ରଶ୍ମିଲତା ପୁଅକୁ ଧରି, ଅନେକ ହସ୍ପିଟାଲ ବୁଲିସାରିଲେଣି । ଅନେକ ଡାକ୍ତରଙ୍କୁ ବି ଦେଖାଇ ସାରିଲେଣି । ହେଲେ ସତ୍ୟର ହାର୍ଟରେ ଥିବା ହୋଲ୍ ଭଲ ହେବାକୁ ହେଲେ, ଏବେ ଦରକାର ଲକ୍ଷାଧିକ ଟଙ୍କା । ତେଣୁ ପୁଅର ହାର୍ଟ ଅପରେସନ୍ ପାଇଁ ଏବେ ସାହାଯ୍ୟ ଅପେକ୍ଷାରେ ଏ ଦୁଇଜଣ ଦୁଃଖୀ ବାପା,ମା । ସତ୍ୟବ୍ରତଙ୍କ ବାପା ରଞ୍ଜିତ ଜଣେ ଦିନ ମଜୁରିଆ । ନିତିଦିନ ଯାହା କିଛି ରୋଜଗାର କରି ଆଣୁଛନ୍ତି, ସେଥିରେ ପରିବାର ଚଳେଇବା ବି କଷ୍ଟକର । ଯାହା କିଛି ପୂର୍ବରୁ ଟଙ୍କା ସଂଚୟ କରିଥିଲେ, ସେଥିରେ ଔଷଧ ପତ୍ର କିଣି ସାରି ସାରିଲେଣି । ଏବେ ଘରେ ଦିନେ ଚୁଲି ଜଳିଲେ, ଦି ଓଳି ଉପାସ ରହିବାକୁ ରଞ୍ଜିତ ଆଉ ରଶ୍ମିଲତା ବାଧ୍ୟ ହେଉଛନ୍ତି । ଏମିତି ସ୍ଥିତିରେ ପୁଅ ସତ୍ୟବ୍ରତ କେମିତି ଭଲ ହେବ, ସେଥିପାଇଁ କାନ୍ଦି କାନ୍ଦି ବିତୁଛି ବାପା, ମାଙ୍କ ଜୀବନ ।
ଦିନକୁ ଦିନ ସ୍ୱାସ୍ଥ୍ୟସେବାରେ ଓଡିଶା ଆଗକୁ ଯାଉଛି । ଦୁଃଖୀ, ଦରିଦ୍ରଙ୍କ ପାଇଁ ସରକାର ଅନେକ ସ୍କିମ ଆଣୁଛନ୍ତି । ହେଲେ ଏହାପରେ ବି ସତ୍ୟବ୍ରତ ଭଳି କିଛି ପିଲା ଏବେ ବି ରୋଗ, ଯନ୍ତ୍ରଣା ଭିତରେ ଦିନ କାଟୁଛନ୍ତି । ଯଦି ତାଙ୍କୁ ସଠିକ୍ ସାହାଯ୍ୟ ମିଳିପାରିବ । ତେବେ ଅନ୍ୟ ପିଲାଙ୍କ ଭଳି ସତ୍ୟବ୍ରତ ମଧ୍ୟ ଗାଁ ଦାଣ୍ଡରେ ଦୌଡିବ, ସାଙ୍ଗ ସାଥୀଙ୍କ ସହ ସ୍କୁଲ ଯିବ ।
ତେବେ ଆପଣ ଯଦି ସତ୍ୟବ୍ରତ ପାଇଁ ସାହାଯ୍ୟର ହାତ ବଢେଇବାକୁ ଚାହୁଁଛନ୍ତି ତେବେ, ଛୋଟିଆ ସାହାଯ୍ୟ ଟିଏ ମଧ୍ୟ କରିପାରିବେ ।
ଆପଣଙ୍କର...ସାହାଯ୍ୟ ଅପେକ୍ଷାରେ ସତ୍ୟବ୍ରତ
- ନାମ – ସତ୍ୟବ୍ରତ ମଲ୍ଲିକ
- ବାପା – ରଞ୍ଜିତ ମଲ୍ଲିକ
- ଆକାଉଣ୍ଟ ନମ୍ବର – ୩୭୫୧୯୩୩୫୭୪୨
- ଆଇଏଫଏସସି କୋର୍ଡ – SBIN0002039
- ଫୋନ୍ ପେ ନମ୍ବର – ୯୩୮୪୯୭୩୦୫୪ (ରଶ୍ମିଲତା ମଲ୍ଲିକ)