କନକ ବ୍ୟୁରୋ : ସରିଲା ଶଙ୍ଖ ଭବନର ବୈଠକ । ସତ୍ୟବାଦୀ କଳିକୁ ନେଇ ଶଙ୍ଖ ଭବନରେ ବୈଠକ ପରେ ନବୀନ ନିବାସ ଯାଇଛନ୍ତି ଉମା ସାମନ୍ତରାୟ ଓ ସଂଜୟ ଦାସବର୍ମା    । ସାଙ୍ଗରେ ଅଛନ୍ତି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସତ୍ୟବାଦୀ ବିବାଦକୁ ନେଇ ବିଧାୟକ ଉମାସାମନ୍ତରାୟ ଓ ସଂଜୟ ଦାସବର୍ମା ପ୍ରଥମେ ଆଜି ଶଙ୍ଖ ଭବନରେ ପହଂଚିଥିଲେ । ସେଠାରେ ଦୁଇ ନେତାଙ୍କ ସହ ଆଲୋଚନା କରିଥିଲେ ବିଜେଡି ସାଂଗଠନିକ ସଂମ୍ପାଦକ । ଶଙ୍ଖ ଭବନର ଆଲୋଚନା ସରିବା ପରେ ଦୁଇ ନେତାଙ୍କୁ ନେଇ ନବୀନ ନିବାସରେ ପହଂଚିଛନ୍ତି ବିଜେଡିର ସାଂଗଠନିକ ସମ୍ପାଦକ ।

Advertisment

ତେବେ ସତ୍ୟବାଦୀରୁ ନିର୍ବାଚନ କିଏ ଲଢିବ, ତାର ନିଷ୍ପତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନେବେ ବୋଲି କହିଛନ୍ତି ଉମା ସାମନ୍ତରାୟ । ଗତକାଲି ଭୁବନେଶ୍ୱର ଉପକଣ୍ଠ ଧଉଳୀରେ ଏକ ଗୁପ୍ତ ବୈଠକ କରିଥିଲେ ସଂଜୟ ଦାସବର୍ମା । ସତ୍ୟବାଦୀର ଶହେରୁ ଅଧିକ ନେତା ଓ କର୍ମୀଙ୍କୁ ନେଇ ଏହି ବୈଠକ ଆୟୋଜନ ହୋଇଥିଲା । କଣାସ କ୍ଲକ ଅଧ୍ୟକ୍ଷଙ୍କ ସ୍ୱାମୀ ସୁଶୀଲ ରାଉତ, ସତ୍ୟବାଦୀ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ମହୁର ପଂଚାୟତ ନୋମିନି ପ୍ରେମାନନ୍ଦ ବେହେରା, ବଳରାମପୁରଗଡ଼ ପଂଚାୟତର ପୂର୍ବତନ ନୋମିନିଙ୍କ ସମେତ ଅନେକ ବିଜେଡି କର୍ମୀ ଉପସ୍ଥିତ ଥିଲେ । ଯାହାକୁ ନେଇ ସତ୍ୟବାଦୀରୁ ସଂଜୟ ଦାସବର୍ମା ଲଢିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହା ପୂର୍ବରୁ ତିନି ଦିନ ତଳେ କର୍ମୀ ସମ୍ମିଳନୀ କରି, ସତ୍ୟବାଦୀରୁ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ ଉମା ସାମନ୍ତରାୟ । ଏପରିକି କର୍ମୀ ସମ୍ମିଳନୀ ସମୟରେ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ   ।