କନକ ବ୍ୟୁରୋ : ସତ୍ୟବାଦୀକୁ ନେଇ ସବୁବେଳେ ସସପେନ୍ସ ଦେଖିବାକୁ ମିଳିଥାଏ । ଭୋଟର ମାନେ ସତ୍ୟବାଦୀ ସିଂହାସନରେ କେତେବେଳେ କାହାକୁ ବସାଇଥାନ୍ତି ତାହା କହିବା ମୁସ୍କିଲ । ପୂର୍ବରୁ କଂଗ୍ରେସର ଗଡ ଥିବା ଏହି ଆସନରେ ବିଜେଡି ବାରମ୍ବାର ମାତ୍ ଖାଇ ଆସିଛି । ପୁରୀ ଜିଲ୍ଲାର ଅନ୍ୟ ଆସନ ଗୁଡିକରେ ବିଜେଡି ବିଜୟ ବାନା ଉଡାଇବାକୁ ସକ୍ଷମ ହୋଇଥିବା ବେଳେ ସତ୍ୟବାଦୀ ଯେପରି ଦଳ ପାଇଁ ଅଭିଶାପ ପାଲଟିଯାଇଛି । ବିଜେଡି ଜାତକ ଫିଟିବା ପରଠାରୁ ସତ୍ୟବାଦୀରେ କେବେ ମଧ୍ୟ ଶଙ୍ଖ ଧ୍ୱନି ଶୁଣିବାକୁ ମିଳିନାହିଁ ।
ଗତ ୪ଟି ନିର୍ବାଚନ ଅର୍ଥାତ ଗତ ୨୦୦୦ରୁ ୨୦୧୪ ମଧ୍ୟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଦୁଇଥର କଂଗ୍ରେସ ବିଜୟୀ ହୋଇଥିବାବେଳେ ଦୁଇଥର ସ୍ବାଧୀନ ପ୍ରାର୍ଥୀ ହିଁ ବିଜୟୀ ହୋଇଛନ୍ତି। ଅବଶ୍ୟ ପରବର୍ତ୍ତି ସମୟରେ ସ୍ବାଧୀନ ପ୍ରାର୍ଥମାନେ ବିଜେଡିକୁ ସମର୍ଥନ ଦେଇଛନ୍ତି। ଅର୍ଥାତ ବିଜେଡି ଦଳୀୟ ଟିକେଟ ପାଉଥିବାପ୍ରାର୍ଥୀ ଏଠାରେ ସର୍ବଦା ପରାଜୟ ବରଣ କରୁଛନ୍ତି।
ବିଜେଡିର ଗୃହଭେଦୀ ବିଭୀଷଣଙ୍କ ପାଇଁ ଏହି ଆସନରେ କେବେ ବିଜୟର ସ୍ୱାଦ ଚାଖି ପାରିନାହିଁ ଦଳ । ଷଡଯନ୍ତ୍ର ଓ ଦଳୀୟ ଅନ୍ତର୍ଘାତୀ କାମ ଯୋଗୁଁ ଶାସକ ବିଜେଡି ଦଳୀୟ ଚିହ୍ନରେ ବିଜୟୀ ହୋଇପାରିନାହିଁ। ଚଳିତ ନିର୍ବାଚନରେ ମଧ୍ୟ ବିଜେଡି ଅନ୍ତର୍ଘାତୀ କାର୍ଯ୍ୟର ଶିକାର ସମ୍ଭାବନାକୁ ଏଡାଇ ଦେଇ ହେଉନାହିଁ। ଏଠାରେ ବିଜେଡିକୁ ଭାଂଗିବାକୁ ଏକ ଅଦୃଶ୍ୟ ଶକ୍ତି ସର୍ବଦା ସକ୍ରିୟ ରହିଛି। ଜିଲ୍ଲାର କିଛି ବରିଷ୍ଠ ନେତୃତ୍ବ ସତ୍ୟବାଦୀରେ ବିଜେଡିକୁ ଭାଗ ଭାଗ କରିବାକୁ ଉଦ୍ୟମ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।
ଗତ ୨୦୧୪ରେ ରମାରଞ୍ଜନ ବଳିୟାର ସିଂହଙ୍କୁ ଟିକେଟ ମିଳିବା ପରେ ଉମାକାନ୍ତ ସାମନ୍ତରାୟ ଏହାକୁ ବିରୋଧ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ଆଉ ସତ୍ୟବାଦୀବାସୀ ମଧ୍ୟ ଉମାକାନ୍ତଙ୍କ ସ୍ୱପ୍ନକୁ ସଫଳ କରାଇଥିଲେ । ତେବେ ଏଥିପାଇଁ ଉମାକାନ୍ତଙ୍କୁ ବହୁମୂଲ୍ୟ ଦେବାକୁ ପଡିଥିଲା । ବିଧାୟକ ହୋଇଥିଲେ ମଧ୍ୟ ଉମାକାନ୍ତଙ୍କୁ ନିଲମ୍ବିତ କରିଥିଲା ବିଜେଡି । ମାତ୍ର ଗତ ପଞ୍ଚାୟତ ନିର୍ବାଚନରେ ଉମାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନିଆଗଲା। ପଞ୍ଚାୟତ ନିର୍ବାଚନରେ ଉମାଙ୍କୁ ହିଁ ବିଜେଡି ନେତୃତ୍ବ ଦେଇଥିଲା। ଆଉ ବିଜେଡି ନେତା ରମାରଂଜନ ବଳିୟାରସିଂହ କୋଣଠେସା ହୋଇ ଦଳ ଛାଡି ବିଜେପିରେ ମିଶିଥିଲେ। କିନ୍ତୁ, ବିଜେଡି ନେତା ତଥା ପୁରୀର ପୂର୍ବତନ ନଗରପାଳ ଜୟନ୍ତ ଷଡଙ୍ଗୀ ସତ୍ୟବାଦୀ ଅଞ୍ଚଳର ହୋଇଥିବାରୁ ତାଙ୍କ ପ୍ରାର୍ଥିତ୍ବ ନେଇ ସେବେଠୁ କଳ୍ପନାଜଳ୍ପନା ଜୋର୍ ଧରିଛି।
୨୦୦୯ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ ପ୍ରସାଦ ହରିଚନ୍ଦନ ବିଜୟୀ ହୋଇଥିଲେ।ସେତେବେଳେ ବିଜେଡି ପ୍ରାର୍ଥୀ ଥିବା ଉମା ସାମନ୍ତରାୟ ସମାନ ଷଡଯନ୍ତ୍ର କାରଣରୁ ପରାଜୟବରଣ କରିଥିଲେ। ଦଳୀୟ କନ୍ଦଳ ଓ ଆତ୍ମଘାତୀ କାମ ଯୋଗୁଁ ବିଜେଡିକୁ ଏଠାରୁ ହାରିବାକୁ ପଡିଥିଲା। ୨୦୦୪ରେ ରମାଙ୍କୁ ଟିକେଟ ମିଳିନଥିଲା। ସେହିବର୍ଷ ଶଙ୍କର ପରିଡାଙ୍କୁ ବିଜେଡି ଦଳୀୟ ଟିକେଟ ମିଳିଥିଲା। ମାତ୍ର ସ୍ବାଧୀନ ପ୍ରାର୍ଥୀ ରମା କଂଗ୍ରେସ ପ୍ରାର୍ଥୀଠାରୁ ବିଜୟୀ ହୋଇଥିଲେ। ବିଜେଡି ତୃତୀୟ ସ୍ଥାନରେ ରହିଥିଲା। ୨୦୦୦ରେ ମଧ୍ୟ ପ୍ରସାଦ ବିଜୟୀ ହୋଇଥିଲେ। ରମାରଂଜନଙ୍କୁ ପରାଜୟ ସ୍ବୀକାର କରିବାକୁ ପଡିଥିଲା।
ଅନ୍ୟପକ୍ଷରେ ଆସନ୍ତା ନିର୍ବାଚନରେ ଚିତ୍ର ଭିନ୍ନ ହେବ ବୋଲି ଆକଳନ କରାଯାଉଛି। ପ୍ରତିଥର ସତ୍ୟବାଦୀରେ ଦ୍ବିମୁଖୀ ପ୍ରତିଦ୍ବନ୍ଦ୍ବିତା ହେଉଥିବା ବେଳେ ଆସନ୍ତା ନିର୍ବାଚନରେ ତିନି ପ୍ରମୁଖ ଦଳ ମଧ୍ୟରେ କଡା ଟକ୍କର ହେବ। ରମା ବିଜେପିରେ ମିଶିଥିବା ବେଳେ ପ୍ରସାଦ ଓ ବିଜେଡି ଉମାକାନ୍ତ ମଧ୍ୟ ସଂଗଠନକୁ ମଜବୁତ କରିଛନ୍ତି। ୨୦୧୯ ନିର୍ବାଚନ ପାଇଁ କଂଗ୍ରେସରୁ ପୂର୍ବତନ ପିସିସି ସଭାପତି ଶ୍ରୀ ହରିଚନ୍ଦନ ଏକମାତ୍ର ଆଶାୟୀ ଅଛନ୍ତି। ଅନ୍ୟପଟେ ବିଜେପିରୁ ଗତଥର ସ୍ବାଧୀନ ପ୍ରାର୍ଥୀ ଥିବା ଓମ ପ୍ରକାଶ ମିଶ୍ର ଓ ବିଜେଡିରୁ ବିଜେପିରେ ମିଶିଥିବା ରମାରଂଜନ ବଳିୟାର ସିଂହ ଆଶାୟୀ ରହିଛନ୍ତି। ତେବେ ବିଜେଡିରୁ ବର୍ତ୍ତମାନର ବିଧାୟକ ଉମାକାନ୍ତ ସାମନ୍ତରାୟ ପ୍ରମୁଖ ଦାବିଦାର ରହିଥିବାବେଳେ ପୁରୀର ପୂର୍ବତନ ନଗରପାଳ ଜୟନ୍ତ ଷ଼ଡଙ୍ଗୀ ପ୍ରାର୍ଥୀ ଦୌଡ଼ରେ ପଛରେ ନାହାନ୍ତି। ଦଳରେ ଏକ ବଡ଼ ଗୋଷ୍ଠୀକୁ ସାଙ୍ଗରେ ରଖି ସେ ନିର୍ବାଚନମଣ୍ଡଳୀରେ ନିଜ ପତିଆରା ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଛନ୍ତି।
ସବୁବେଳେ ଆଶଙ୍କା ଓ ସସପେନ୍ସରେ ରହି ଆସୁଥିବା ସତ୍ୟବାଦୀ ଆସନରେ ଚଳିତଥର ନୂଆ ସମୀକରଣ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ବିଜେଡି ନିଜର ପରାଜୟ ଧାରାରେ ବ୍ରେକ ଲଗାଇବାକୁ ଅଙ୍କ କଷୁଥିବା ବେଳେ କଂଗ୍ରେସ ପୁଣିଥରେ ସତ୍ୟବାଦୀର କମାଣ ଧରିବାକୁ କସରତ ଆରମ୍ଭ କରିଛି । ଅନ୍ୟପଟେ ପରଶିବିରର ସ୍ରୈନିକଙ୍କୁ ପୋଚିଂ କରି ସତ୍ୟବାଦୀରେ ପଦ୍ମ ଫୁଟାଇବାକୁ ପ୍ରୟାସ ଆରମ୍ଭ କରିଛି ବିଜେପି । ତେଣୁ ଚଳିତଥର ସତ୍ୟବାଦୀର ସିଂହାସନରେ ଭୋଟର କାହାକୁ ବସାଇବେ ତାହା ଉପରେ ସମସ୍ତଙ୍କର ନଜର ରହିବ ।