ଭୁଲ୍ ମାନିଲେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ: ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେବା ନେଇ କ୍ଷମା ମାଗିଲେ ବିଧାୟକ; କହିଲେ, ଆଇନ ଆଗରେ ସମସ୍ତେ ସମାନ, ଯାହା ଦଣ୍ଡ ଦେବେ ମାନିବାକୁ ପ୍ରସ୍ତୁତ

ଭାବବିହ୍ୱଳ ହୋଇ ମହାରଥୀଙ୍କ ଶେଷକୃତ୍ୟରେ ଯୋଗଦେଇଥିଲି

135

କନକ ବ୍ୟୁରୋ: କ୍ଷମା ମାଗିଲେ ବିଧାୟକ । କୋଭିଡ କଟକଣା ଉଲ୍ଲଘଂନ କରିଥିବା ଅଭିଯୋଗ ଆସିବା ପରେ ଦୋଷ ସ୍ୱୀକାର କରି କ୍ଷମା ମାଗିଛନ୍ତି ସତ୍ୟବାଦୀ ବିଜେଡି ବିଧାୟକ ଉମା ସାମନ୍ତରାୟ । କରୋନା ସଂକ୍ରମିତ ହୋଇ ପୁରୀ ସ୍ୱର୍ଗଦ୍ୱାରରେ ଚାଲିଥିବା ଅନ୍ତିମ ସଂସ୍କାରରେ ଯୋଗଦେବା ତାଙ୍କର ଭୁଲ ଥିଲା ବୋଲି ଦୋଷ ସ୍ୱୀକାର କରିଛନ୍ତି ବିଧାୟକ ଉମା ସାମନ୍ତରାୟ । ଏଥିସହିତ ମହାରଥୀଙ୍କ ବିୟୋଗରେ ଭାବବିହ୍ୱଳ ହୋଇ ସ୍ୱର୍ଗଦ୍ୱାରକୁ ଯାଇଥିଲେ ବୋଲି ସେ କହିଛନ୍ତି ।

ବିଧାୟକଙ୍କ କହିବାନୁସାରେ, ସଂକ୍ରମିତ ଥାଇ ସ୍ୱର୍ଗଦ୍ୱାର ଯିବା ଏବଂ ଅନ୍ତିମ ସଂସ୍କାରରେ ଯୋଗ ଦେବା ମୋର ପାଇଁ ସଂପୂର୍ଣ୍ଣ ଭୁଲ୍ ଥିଲା । ସରକାରଙ୍କ ଆଇନ ଉଦ୍ଧ୍ୱର୍ରେ କେହି ନୁହନ୍ତି । ତେବେ ଆଇନ ଅନୁଯାୟୀ ମୋ ପ୍ରତି ଯେଉଁ ପଦକ୍ଷପେ ନିଆଯିବ ତାକୁ ସେ ମାନିବାକୁ ପ୍ରସ୍ତୁତ ବୋଲି କହିବା ସହ ନିଜର ଭୁଲ ପାଇଁ ସମସ୍ତଙ୍କ ପାଖରେ କ୍ଷମା ମାଗିଛନ୍ତି ସତ୍ୟବାଦୀ ବିଜେଡି ବିଧାୟକ ଉମା ସାମନ୍ତରାୟ ।

ସ୍ୱର୍ଗତ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ଉମା ସାମନ୍ତରାୟ । କରୋନା ଆକ୍ରାନ୍ତ ଥାଇ ବି ସେ ସଙ୍ଗରୋଧରେ ନ ରହି ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ନେଇ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଉଭୟ ବିଜେପି ଯୁବ ମୋର୍ଚ୍ଚା ଏବଂ ଜଗନ୍ନାଥ ସେନା ।