ସିଏଏକୁ ନେଇ ଏମିତି କ’ଣ କହିଥିଲେ ମାଇକ୍ରୋସଫ୍ଟ ସିଇଓ ସତ୍ୟା ନଡେଲା , ଯେଉଁଥିରେ ତେଜିଲା ବିବାଦ? ଜାଣନ୍ତୁ ସମ୍ପୁର୍ଣ୍ଣ ମାମଲା

306

ନାଗରିକ ସଂଶୋଧନ ଆକ୍ଟ (ସିଏଏ) କୁ ନେଇ ଭାରତରେ ଗତ ଏକ ମାସ ଧରି ପ୍ରଦର୍ଶନ ଚାଲୁରହିଛି । ବିରୋଧୀ ଦଳରୁ ଆରମ୍ଭ କରି ସାଧାରଣ ଲୋକ ସବୁ ସଡକକୁ ଆସି ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ଏହି ଆଇନକୁ ସମ୍ବିଧାନ ବିରୋଧୀ , ତଥା ଅଳ୍ପସଂଖ୍ୟକଙ୍କ ବିରୋଧରେ ବୋଲି କହୁଛନ୍ତି ପ୍ରଦର୍ଶନକାରୀ । ଖାଲି ଭାରତ ନୁହଁ ସାରା ବିଶ୍ୱରେ ରହୁଥିବା ଭାରତୀୟ ମୂଳ ନିବାସୀ ଏହି ଆଇନ୍ ଦ୍ୱାରା ପ୍ରଭାବିତ ହେଉଥିବା କଥା କୁହାଯାଉଛି । ଭାରତୀୟ ମୂଳ ମାଇକ୍ରୋସଫ୍ଟର ସିଇଓ ସତ୍ୟା ନଡେଲାଙ୍କ ସୋମବାର ଏକ ବୟାନ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ସିଏଏ ଉପରେ ନିଜର ରାୟ ରଖିଥିଲେ । ସତ୍ୟା ନଡେଲାଙ୍କ ବୟାନ ପରେ ଏବେ ଏହାକୁ ନେଇ ବିବାଦ ଦେଖିବାକୁ ମିଳୁଛି । ଏନେଇ ଅନେକ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି ଯାହାର ଜବାବ୍ ଦେଉଛନ୍ତି ଶ୍ରୀ ନଡେଲା । ମେନହେଟ୍ଟନ୍ ରେ ମାଇକ୍ରୋସଫ୍ଟର ଏକ ଇଭେଣ୍ଟ୍ ହେଉଥିଲା ଯେଉଁଥିରେ ଦୁନିଆର ବଡ଼ ବଡ଼ ଏଡିଟର୍ ସାମିଲ୍୍ ହୋଇଥିଲେ । ଯେତେବେଳେ ନାଡେଲାଙ୍କୁ ଭାରତରେ ଜାରୀ ହୋଇଥିବା ପ୍ରଦର୍ଶନ ଉପରେ ପଚରାଗଲା ସେ ଏହାର ଜବାବ୍ ଦେଇଥିଲେ । ବଜଫିଡର ମୁଖ୍ୟ ଏଡିଟର୍ ବେନ୍ ସ୍ମିଥ୍ ଏହାକୁ ନିଜ ଟ୍ୱିଟର୍ ଆକାଉଣ୍ଟ୍ ରେ ସେୟାର୍ କରିଥିଲେ । 

ସତ୍ୟା ନଡେଲାଙ୍କୁ ପ୍ରଶ୍ନରେ ପଚରାଯାଇଥିଲା ଯେ , “ସରକାରଙ୍କ ସହ ଯେଉଁ କମ୍ପାନୀ ଡିଲ୍ କରିଥାନ୍ତି ତାଙ୍କ ଉପରେ ଅନେକ ଚାପ ରହିଥାଏ , ଆମକୁ ଲାଗୁଛି ଭାରତରେ ନାଗରିକତା ସଂଶୋଧନ ଆଇନ୍ କୁ ବିରୋଧ କରିବା ମଧ୍ୟରେ ସରକାର ଡାଟାକୁ କେଉଁ ଭଳି ଭାବରେ ବ୍ୟବହାର କରୁଛନ୍ତି ଏହାର ମଧ୍ୟ ଚିନ୍ତା ଆପଣଙ୍କୁ ଲାଗିରହୁଥିବ ?” 

ଏହାର ଜବାବ୍ ଶ୍ରୀ ନାଡେଲା କହିଥିଲେ : “ମୋ ବାଲ୍ୟକାଳ ଭାରତରେ ହିଁ ବିତିଛି । ମୁଁ ସେହି ପରିବେଶରେ ପାଠପଢି , ବଡ ହୋଇଛି ତେଣୁ ମୁଁ ଭାରତ ଉପରେ ଗର୍ବ କରେ । ମୋତେ ଲାଗେ ଯେ ଭାରତ ହେଉଛି ଏଭଳି ଏକ ସ୍ଥାନ ଯେଉଁଠି ଦୀପାବଳି , ବଡଦିନ ଏକସଙ୍ଗେ ମିଶି ପାଳନ କରାଯାଏ । କିନ୍ତୁ ଏବେ ଭାରତର ପରିବେଶ ଦେଖି ଦୁଃଖ ଲାଗୁଛି । ମୁଁ ଜଣେ ବାଙ୍ଗଲାଦେଶୀ ପ୍ରବାସୀଙ୍କୁ (ଯେ ଭାରତକୁ ଆସିଥିବେ) ବଡ ହେବାର ଦେଖିବାକୁ ଚାହେଁ ବା ଇନଫୋସିସ୍ ର ସିଇଓ ହେଉଥିବା ଦେଖିବାକୁ ଚାହେଁ ଏହାକୁ ନେଇ ଆକାଂକ୍ଷା ରହିବା ଦରକାର । ମୋ ସହ ଆମେରିକାରେ ଯାହା ହେଲା ତାହା ଭାରତରେ ମଧ୍ୟ ମୁଁ ଦେଖିବାକୁ ଚାହେଁ । ତେବେ , ମୁଁ ଏହା ଆଦୌ କହୁନି ଯେ , କୌଣସି ଦେଶକୁ ନିଜ ରାଷ୍ଟ୍ରୀୟ ସୁରକ୍ଷା , ସୀମାକୁ ନେଇ କିଛି ନ କରିବା ଦରକାର । ଭାରତର ସରକାର ଏବଂ ଲୋକ ଏହା ବିଷୟରେ ନିଶ୍ଚୟ ଚିନ୍ତା କରିବେ । ଏହା ଏକ ବଡ଼ ବିଷୟ ଯାହା ଇଉରୋପ ଏବଂ ଭାରତ ପାଇଁ ଏକ ବଡ଼ କଥା । କିନ୍ତୁ ଏହା ସହ କିଏ କେମିତି ଖାପଖୁଆଉଛି ତାହା ଦେଖିବାକୁ ରହିଲା ।  ପ୍ରବାସ କ’ଣ , କିଏ ପ୍ରବାସୀ ଏବଂ ଅଳ୍ପସଂଖ୍ୟକର ଗ୍ରୁପ୍ କାହାର ଏହା ହେଉଛି ସମ୍ବେଦନଶୀଳ କଥା । ମୋ ମତରେ ଏହି ବିଷୟ ଉପରେ ଉଦାର ହୋଇ ଚିନ୍ତା କରିବା ସହ ଏହାର ମୂଲ୍ୟ ବୁଝିବା ଆବଶ୍ୟକ । ଏହାହିଁ ହେଉଛି ପୁଞ୍ଜିବାଦ । ଭାରତକୁ ମାର୍କେଟ୍ ଫୋର୍ସ ଏବଂ ଉଦାର ମୂଲ୍ୟ ଉପରେ ଚିନ୍ତା କରିବା ଦରକାର । ଭଲକଥା ହେଉଛି ଭାରତ ଏକ ଲୋକତନ୍ତ୍ର ଦେଶ ଯେଉଁଠି ଲୋକମାନେ ଦେଶର ହିତ ଅହିତ କଥା ଚିନ୍ତା କରିବା ସହ ଚର୍ଚ୍ଚା କରନ୍ତି । କିନ୍ତୁ ଏଥିରେ ଚର୍ଚ୍ଚା ନୁହଁ ଗମ୍ଭୀର ଚର୍ଚ୍ଚା ହେବା ଆବଶ୍ୟକ ।”

ଶ୍ରୀ ନାଡେଲାଙ୍କୁ ନେଇ ବିବାଦ ହେବା ପରେ ଜାରୀ ହେଲା ସଫେଇ : ” ବିବାଦ ପରେ ମାଇକ୍ରୋସଫ୍ଟ ପକ୍ଷରୁ ଏକ ଭିଡିଓ ଜାରି କରାଗଲା । ଯେଉଁଥିରେ ନାଡେଲାଙ୍କ ବୟାନର ଅର୍ଥ ବୁଝାଗଲା ଏବଂ ମାମଲାରେ ସଫେଇ ଦିଆଗଲା । ଯେଉଁଥିରେ କୁହାଯାଇଛି , ପ୍ରତିଟି ଦେଶକୁ ନିଜ ସୀମା , ରାଷ୍ଟ୍ରୀୟ ସୁରକ୍ଷା ଏବଂ ପ୍ରବାସୀ ପଲିସି ଚୟନ କରିବାର ଅଧିକାର ରହିଛି । ଲୋକତନ୍ତ୍ରରେ ସରକାର ଏବଂ ଦେଶର ଜନତା ଏହି ବିଷୟ ଉପରେ କଥାବାର୍ତ୍ତା କରି ନିଷ୍ପତ୍ତି ନେଇଥାନ୍ତିି । ମୁଁ ଭାରତୀୟ ମୂଲ୍ୟ ଆଧାରରେ ବଡ଼ ହୋଇଛି । ଯେଉଁ ସ୍ଥାନ ବିଭିନ୍ନ ସଂସ୍କୃତିର ଗନ୍ତାଘର ଏବଂ ଆମେରିକାରେ ବି ମୋର ପ୍ରବାସୀ ଅନୁଭବ ସେଭଳି ରହିଛି । ଭାରତ ପାଇଁ ମୋ ମନରେ ଏଭଳି ଆକାଂକ୍ଷା ରହିଛି ଯେ କୌଣସି ପ୍ରବାସୀ ଭାରତକୁ ଆସି ସେଠାରେ ଭଲ ଷ୍ଟାର୍ଟଅପ୍ କମ୍ପାନୀ  କିମ୍ବା ଅନ୍ୟ କୌଣସି ବଡ଼ କମ୍ପାନୀ ତିଆରି କରିବାର ସ୍ୱପ୍ନ ଦେଖିପାରିବେ । ଯେଉଁଥିରେ ଭାରତର ସମାଜ ଏବଂ ଅର୍ଥନୀତିକୁ ଏହାର ଫାଇଦା ପହଁଚିବ ।”