ପ୍ରଭୁ ଶ୍ରୀରାମଙ୍କୁ ଭେଟି ଦେବାକୁ ଭକ୍ତର ପ୍ରସ୍ତୁତି । ବ୍ରହ୍ମପୁର ବାଲୁକାଶିଲ୍ପୀ ସତ୍ୟ ମହାରଣାଙ୍କ ନିଆରା ଉପହାର

90

କନକ ବ୍ୟୁରୋ : ସବୁଠି ରାମମୟ ପରିବେଶ । ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନେଇ ସବୁଠି ଉତ୍ସାହ । ପ୍ରଭୁ ଶ୍ରୀରାମଙ୍କୁ ଭକ୍ତିର ଭେଟି ଦେବା ପାଇଁ ଦେଶବାସୀ ପ୍ରସ୍ତୁତ ହେଇସାରିଲେଣି । ଅନେକ କଳାକୃତି କରି ଅନ୍ତର୍ଜାତୀୟ ସ୍ତରରେ ରେକର୍ଡ ହାସଲ କରିଥିବା ବ୍ରହ୍ମପୁରର ଜଣାଶୁଣା ବାଲୁକାଶିଲ୍ପୀ ସତ୍ୟ ମହାରଣା ମଧ୍ୟ ଏକ ଉପହାର ପ୍ରସ୍ତୁତ କରିଛନ୍ତି । ମାତ୍ର ଦୁଇ ଦିନରେ କାଠ, ପଥର ଓ ଚକ୍ ଖଡିରେ ବିଶ୍ୱର ସବୁଠୁ ସୂକ୍ଷ୍ମ ରାମମନ୍ଦିର ଓ ଶ୍ରୀରାମଙ୍କ ପ୍ରତିମୂର୍ତି ପ୍ରସ୍ତୁତ କରି ଚର୍ଚ୍ଚାରେ । କାଠରେ ପ୍ରସ୍ତୁତ ଦୁଇଟି ମନ୍ଦିରରୁ ଗୋଟିକର ଉଚ୍ଚତା ୨ସିଏମ୍ ଓ ଓସାର ୧ସିଏମ୍ ହୋଇଥିବା ବେଳେ ଅନ୍ୟଟିର ଉଚ୍ଚତା ୪.୫ ସିଏମକୁ ଓସାର ୯ ସିଏମ୍ ରହିଛି । ସେହିପରି କାଠରେ ୪ସିଏମ୍ ଉଚ୍ଚତା ଓ ୧.୮ ସିଏମ୍ ଓସାର ବିଶିଷ୍ଟ ରାମଲାଲାଙ୍କ ମୂର୍ତି ପ୍ରସ୍ତୁତ କରିଛନ୍ତି ସତ୍ୟ । ସେହିପରି ୨.୮ସେମି ଉଚ୍ଚତା ଓ ୧.୫ସେମି ଓସାର ବିଶିଷ୍ଟ ଅବିକଳ ରାମ ମନ୍ଦିରଟିଏ ପଥରରେ ପ୍ରସ୍ତୁତ କରିଛନ୍ତି । କେବଳ ସେତିକି ନୁହେଁ ଶ୍ରୀରାମଙ୍କ ମୂର୍ତି ଓ ମନ୍ଦିରକୁ ସ୍ୟାଣ୍ଡ ଏନିମେସନ୍ରେ ପ୍ରସ୍ତୁତ କରି ବେଶ ଖୁସିଥିବା କହିଛନ୍ତି ସତ୍ୟ ।

ପିଲାଟି ଦିନରୁ କଳା ପ୍ରତି ଥିଲା ଅନେକ ଆକର୍ଷଣ । ପେନସିଲରୁ ଚିତ୍ର ଆଙ୍କିବା ଆରମ୍ଭ କରି ଏବେ ବାଲୁକା କଳା ସହ ଚକଖଡି, ମହମ, ଦିଆସିଲି କାଠି, କାଠ ଓ ବିଭିନ୍ନ ଖାଦ୍ୟ ଶସ୍ୟରେ ଭିନ୍ନ ଭିନ୍ନ କଳା ପ୍ରଦର୍ଶନ କରି ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ବେଶ ପ୍ରସଂଶିତ ହୋଇଛନ୍ତି । ସେହିଭଳି କାଠରେ ପ୍ରସ୍ତୁତ ଛୋଟରୁ ଅତି ଛୋଟ ରଥ, ଦେବାଦେବୀଙ୍କ ମୂର୍ତି, ଓ ମହାପୁରୁଷଙ୍କ ଛବିି ୬୦ରୁ ଅଧିକ ଥର ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଓ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ତେବେ ଏଥର କୌଣସି ରେକର୍ଡ ପାଇବା ଆଶା ନୁହେଁ ବରଂ ଭକ୍ତିରେ ଏ ସବୁ କଳାକୃତି ପ୍ରସ୍ତୁତ କରିଥିବା କହିଛନ୍ତି ଶିଳ୍ପୀ ସତ୍ୟ ।

ଚଳିତଥର ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତି ଥିବା ପ୍ରଗାଢ ବିଶ୍ୱାସ ଓ ଭକ୍ତି ପାଇଁ ନିଆରା ପ୍ରୟାସ କରିଛନ୍ତି ବାଲୁକାଶିଲ୍ପୀ ସତ୍ୟ ମହାରଣା ।