ପେଙ୍ଗଙ୍ଗ ହ୍ରଦ ନିକଟରୁ ସେନା ପ୍ରତ୍ୟାହାର କରୁଛି ଚୀନ : ଆସିଲା ସ୍ୟାଟେଲାଇଟ୍ ଚିତ୍ର; ଫିଙ୍ଗର ଫାଇଭରୁ ୮ ପର୍ଯ୍ୟନ୍ତ ପଛକୁ ହଟୁଛି ଚୀନ୍ ସେନା

ଦୁଇ ଦେଶର ସହମତି ପରେ ସେନା ପ୍ରତ୍ୟାହାର ପାଇଁ ପଦକ୍ଷେପ ନେଉଛି ବେଜିଂ

101

କନକ ବ୍ୟୁରୋ : ପୂର୍ବ ଲଦାଖ ସୀମାରୁ ସେନା ପ୍ରତ୍ୟାହାର ନେଇ ଭାରତ ଓ ଚୀନ ଭିତରେ ସହମତି ସତ୍ୱେ ପଛକୁ ହଟୁନଥିଲା ଚୀନା ସେନା । କିଛିଦିନ ତଳେ ସଂସଦରେ ଉତର ରଖି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ, ଚୀନ ସେନା ପଛକୁ ହଟୁଛି । ଏଥିପାଇଁ ପ୍ରତିନିଧିସ୍ତରୀୟ କଥାବାର୍ତା ପରେ ଚୀନର ପିଏଲଏ, ସେନା ପ୍ରତ୍ୟାହାରକୁ ତ୍ୱରିତ କରିଛି । ବୁଧବାର ଏ ସଂପର୍କିତ କେତେକ ସାଟେଲାଇଟ ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରୁ ଜଣାପଡୁଛି ଚୀନ, ପୂର୍ବ ଲଦାଖର ପେଙ୍ଗଙ୍ଗ ହ୍ରଦ ନିକଟରୁ ସେନା ଶିବିର, ଯୁଦ୍ଧ ଟ୍ୟାଙ୍କ ସହିତ ଅନ୍ୟାନ୍ୟ ସାମରିକ ଉପକରଣ ସବୁ ହଟାଇ ନେଇଛି । ଏହି ସାଟେଲାଇଟ ଚିତ୍ରକୁ ଉପଲବ୍ଧ କରାଇଛି ମାକ୍ସର ଟେକ୍ନୋଲୋଜିଜ୍ । ସଂସ୍ଥା ଜାନୁଆରୀ ୩୦ ତାରିଖର ଫଟୋ ଜାରି କରିଛି । ଯେଉଁଥିରେ ପେଙ୍ଗଙ୍ଗ ହ୍ରଦର ଉତର ଉପକୂଳରେ ଚୀନ ସେନାର ଏକାଧିକ ଶିବିର ଓ ଯୁଦ୍ଧ ଉପକରଣ ସବୁ ଦେଖାଯାଉଛି । ହେଲେ ଫେବ୍ରୁଆରୀ ୧୬ ତାରିଖରେ ପୁଣି ସମାନ ସ୍ଥାନର ନିଆଯାଇଥିବା ସାଟେଲାଇଟ ଚିତ୍ରରୁ ଜଣାପଡୁଛି ଯେ, ଏସବୁ ଅଂଚଳରୁ ହଟିସାରିଛି ଚୀନ ସେନା । ନୂଆ ଫଟୋରେ ପେଙ୍ଗଙ୍ଗ ହ୍ରଦର ଫିଙ୍ଗର ଅଂଚଳଗୁଡିକ ପରିସ୍କାର ଦେଖାଯାଉଛି ।

ପରସ୍ପରର ସେନା ପ୍ରତ୍ୟାହରକୁ ଦେଖି ଗୋଟିଏ ଗୋଟିଏ ପାଦ ପଛକୁ ଫେରୁଛନ୍ତି ଉଭୟ ଭାରତ ଓ ଚୀନ ସେନା । ପୂର୍ବ ଲଦାଖରେ ଥିବା ପେଙ୍ଗଙ୍ଗ ହ୍ରଦର ଉତର ଓ ଦକ୍ଷିଣ ଉପକୂଳ ଅଂଚଳରୁ ସଂପୂର୍ଣ୍ଣ ସେନା ପ୍ରତ୍ୟାହାର ପାଇଁ ପ୍ରାୟ ସପ୍ତାହେ ସମୟ ଲାଗିବ । ଗତ ସପ୍ତାହରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୃହରେ ଉତର ରଖି କହିଥିଲେ ଯେ, ଚୀନ ସେନା ପେଙ୍ଗଙ୍ଗ ହ୍ରଦର ଫିଙ୍ଗର ୮ ପଛକୁ ହଟିବା ପାଇଁ ସମ୍ମତି ହୋଇଛି । ପୂର୍ବରୁ ଭାରତୀୟ ସେନା ଫିଙ୍ଗର ୪ ଯାଏଁ ଯାଉଥିଲା ଓ ପାଟ୍ରୋଲିଂ କରୁଥିଲା । ହେଲେ କରୋନା କାଳରେ ଚୀନ ସେନା ଫିଙ୍ଗର ୪ ଯାଏଁ ଆସି ଅସ୍ଥାୟୀ ବଙ୍କର, ସେନା ଶିବିର ଓ ଅନ୍ୟାନ୍ୟ ଅସ୍ଥାୟୀ ନିର୍ମାଣ କରି ଆଡ୍ଡା ଜମାଇଥିଲା । ଏପରିକି ପାଟ୍ରୋଲିଂ ପାଇଁ ଯାଉଥିବା ଭାରତାୟୀ ସେନାକୁ ବାଧା ଦେଉଥିଲା । ହେଲେ ଭାରତର ତୀବ୍ର ବିରୋଧ ପରେ ଫିଙ୍ଗର ୪ରୁ ଫିଙ୍ଗର ୮ ମଧ୍ୟରେ ଚୀନ ନିର୍ମାଣ କରିଥିଲା ସମସ୍ତ ଅସ୍ଥାୟୀ ସେନା ଶିବିର ହଟାଇ ନେଇଛି । ଏଠାରେ ମୁତୟନ କରିଥିବା ଯୁଦ୍ଧାସ୍ତ୍ର ଓ ଅନ୍ୟାନ୍ୟ ସାମରିକ ଉପକରଣ ମଧ୍ୟ ପଛକୁ ଫେରାଇ ନେଇଛି । ଏଣିକି ପେଙ୍ଗଙ୍ଗର ଫିଙ୍ଗର ୮ ପଛକୁ ରହିବ ଚୀନ ସେନା । ସେହିପରି ଭାରତୀୟ ସେନା ଫିଙ୍ଗର ୩ ଅଂଚଳରେ ଥିବା ଧ୍ୟାନ ସିଂ ଥାପା ପୋଷ୍ଟ ନିକଟରେ ସ୍ଥାୟୀ ବେସ କରି ରହିବ ବୋଲି ସଂସଦରେ ସୂଚନା ଦେଇଥିଲେ ରାଜନାଥ ସିଂହ ।

ଭାରତ-ଚୀନ ସୀମା, ପୂର୍ବ ଲଦାଖ ନିକଟ ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନ ସେନା ଭାରତ ମାଟିକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ଗତବର୍ଷ ଏପ୍ରିଲରେ ଚୀନ ସେନାର ଏଭଳି ଚକ୍ରାନ୍ତ ସାମ୍ନାକୁ ଆସିବା ପରେ ବାଧା ଦେଇଥିଲେ ଭାରତୀୟ ସୈନିକ । ଫଳରେ ପୂର୍ବ ଲଦାଖର ଗଲୱାନ ଅଂଚଳରେ ଗତବର୍ଷ ଜୁନ ବେଳକୁ ଦୁଇ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ଭାରତର ୨୦ ଜଣ ସୈନିକ ସହିଦ ହୋଇଥିଲେ । ଚୀନର କେତେ ସେନା ମୃତାହତ ହୋଇଥିଲେ ତାହା ଜଣାପଡିନଥିଲା । ଏହାପରଠାରୁ ସୀମାରେ ଉତେଜନା କମ କରିବାକୁ ଦୁଇ ଦେଶର ସେନା ଅଧିକାରୀସ୍ତରୀୟ କଥାବାର୍ତା ବାରମ୍ବାର ହୋଇଛି । କିନ୍ତୁ ଚଂଚକତା କରି ବିବାଦୀୟ ଗଲୱାନ ଅଂଚଳରୁ ଚୀନ ପଛକୁ ହଟିଥିଲେ ମଧ୍ୟ ପେଙ୍ଗଙ୍ଗ ହ୍ରଦ ନିକଟରେ ଆଡ୍ଡା ଜମାଇ ବସିଥିଲା । ସମାନ ଢଙ୍ଗରେ ଭାରତୀୟ ସୈନିକ ମଧ୍ୟ ବିଭିନ୍ନ ଫିଙ୍ଗର ପୋଷ୍ଟରେ ଜଗି ରହିଥିଲେ । ଏବେ କିନ୍ତୁ ଚୀନ ଧିରେ ଧିରେ ପଛକୁ ହଟିବା ଆରମ୍ଭ କରିଛି । ପେଙ୍ଗଙ୍ଗରୁ ଚୀନ ପଛକୁ ହଟିବା ପରେ ଭାରତୀୟ ସୈନ୍ୟ ମଧ୍ୟ ପ୍ରତ୍ୟାହାର ହୋଇଛନ୍ତି । ଏପରିକି ଅନ୍ୟାନ୍ୟ ବିବାଦୀୟ ଅଂଚଳରୁ ମଧ୍ୟ ପର୍ଯ୍ୟାୟକ୍ରମେ ସେନା ପ୍ରତ୍ୟାହାର କରିବାକୁ ଦୁଇଦେଶ ସହମତ ହୋଇଛନ୍ତି ।