ପ୍ରବଳ ଥଣ୍ଡାରେ ବି ପେଙ୍ଗାଙ୍ଗ ହ୍ରଦ ଉପରେ ପୋଲ ନିର୍ମାଣ ଜାରି ରଖିଛି ଚୀନ । ସାମ୍ନାକୁ ଆସିଲା ସାଟେଲାଇଟ୍ ଚିତ୍ର…

176

କନକ ବ୍ୟୁରୋ: ବିବାଦୀୟ ପେଙ୍ଗାଙ୍ଗ ସୋ (ହ୍ରଦ) ଅଞ୍ଚଳରେ ଚୀନ ପକ୍ଷରୁ ବେଆଇନ ଭାବେ ନିର୍ମାଣ କରାଯାଉଥିବା ପୋଲର ଏକ ନୂଆ ସାଟେଲାଇଟ୍ ଚିତ୍ର ଆସିଛି । ଏହି ଚିତ୍ରରୁ ଜଣାପଡ଼ୁଛି ଯେ ଚୀନ ଏହି ପୋଲ ନିର୍ମାଣରେ ବ୍ୟାପକ ଅଗ୍ରଗତି ହାସଲ କରିଛି । ମାକ୍ସାର ଟେକନଲଜୀସ ପକ୍ଷରୁ ଉଠାଯାଇଥିବା ଏହି ଚିତ୍ରରୁ ସ୍ପଷ୍ଟ ଦେଖାଯାଉଛି ଯେ ଶୀତ ଋତୁ ଯୋଗୁଁ ପେଙ୍ଗାଙ୍ଗ ହ୍ରଦର ପାଣି ବରଫ ପାଲଟି ଯାଇଛି । ଏହା ସତ୍ତ୍ବେ ଚୀନର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଚିତ୍ରରେ ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେଉଥିବା ଏକ କ୍ରେନ ମଧ୍ୟ ଦେଖାଯାଉଛି ।

ଏହି ହ୍ରଦ ପାଇଁ ଭାରତ ଓ ଚୀନ ମଧ୍ୟରେ ଗତ ୨୦୨୦ରୁ ବିବାଦ ଲାଗି ରହିଛି । ବାରମ୍ବାର ଆଲୋଚନା ସତ୍ତ୍ବେ କୌଣସି ସୁଫଳ ମିଳୁନାହିଁ  କିନ୍ତୁ ଏହି ପୋଲ କାର୍ଯ୍ୟକ୍ଷମ ହେବା ପରେ ତାହା ଚୀନ ସେନାକୁ ସୁବିଧାଜନକ ସ୍ଥିତିରେ ରଖିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଏହି ପୋଲ ବ୍ୟବହାର କରି ଚୀନ ସୈନ୍ୟମାନେ ହ୍ରଦର ଉଭୟ ଉତ୍ତର ଓ ଦକ୍ଷିଣ କୂଳକୁ ସହଜରେ ଓ ଅଳ୍ପ ସମୟରେ ଆସିପାରିବେ । ପୂର୍ବରୁ ହ୍ରଦର ଦକ୍ଷିଣ କୂଳରୁ ଉତ୍ତର ପଟକୁ ଯିବାକୁ ହେଲେ ଚୀନ ସୈନ୍ୟମାନଙ୍କୁ ପ୍ରାୟ ୨୦୦ କିଲୋମିଟର ଦୁର୍ଗମ ପଥ ଅତିକ୍ରମ କରିବାକୁ ପଡ଼ୁଥିଲା ।

ଚୀନ ଯେଉଁ ଅଞ୍ଚଳରେ ପୋଲ ନିର୍ମାଣ କରୁଛି ତାହା ଗତ ୧୯୫୭ ମସିହାରୁ ଚୀନ କବଜାରେ ରହିଛି । କିନ୍ତୁ ଆଇନଗତ ଭାବେ ଏହି ଅଞ୍ଚଳକୁ ଭାରତ ନିଜର ଦାବି କରୁଥିବାରୁ ଏହି ପୋଲ ନିର୍ମାଣକୁ ଭାରତ ବେଆଇନ ବୋଲି କହୁଛି ।