ଆଠ ଦିନ ପରେ ଆସିଲା ଗଲୱାନ ଘାଟିର ନୂଆ ସାଟେଲାଇଟ ଚିତ୍ର । ଦୁଇ କିଲୋମିଟର ପଛକୁ ଫେରି ଯାଇଛନ୍ତି ଚୀନ ସେନା, ଗଲୱାନ ଘାଟି ଏବେ ପୂରା ଖାଲି । 

796

କନକ ବ୍ୟୁରୋ : ଲଦାଖ ସୀମାରେ ଧିରେ ଧିରେ ଉତେଜନା ଥମିବାରେ ଲାଗିଛି । ଗଲୱାନ ଘାଟିରୁ ପଛକୁ ହଟିଛି ଚୀନ୍ । ୮ ଦିନ ପରେ ଡ୍ରାଗନ୍ ସେନା ପଛକୁ ହଟିବାର ଏବେ ଆସିଛି ସାଟେଲାଇଟ ଚିତ୍ର । ଲାଇନ ଅଫ୍ ଆକଚୁଆଲ୍ କଂଟ୍ରୋଲ ବା ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳରେ ତିଆରି କରିଥିବା ପୋଷ୍ଟକୁ ହଟାଇ ନେଇଛି ଚୀନ୍ । ସେପଟେ ଚୀନର ସବୁ ହରକତ୍ ଉପରେ ନଜର ରଖିଛି ଭାରତୀୟ ସେନା ।

ଗଲୱାନ ଭାଲିର ଚିତ୍ର । ଗୋଟିଏ ଚିତ୍ର ଜୁନ୍ ୨୮ ତାରିଖର । ଅନ୍ୟଟି ଜୁଲାଇ ୬ ତାରିଖର । ଦୁଇଟି ଫଟୋ ମଧ୍ୟରେ ବ୍ୟବଧାନ ମାତ୍ର ୮ ଦିନର । ୬ ତାରିଖ ଫଟୋରେ ଚୀନ ସେନାର ପୋଷ୍ଟ ଏବଂ ଟେଣ୍ଟ ହଟିଯାଇଥିବା ସଫା ସଫା ଦେଖିବାକୁ ମିଳୁଛି । ଚୀନ୍ ବିଦେଶ ମନ୍ତ୍ରୀଙ୍କ ସହିତ ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ଆଲୋଚନା ପରେ ଏବେ ଗଲୱାନ ଭାଲିରେ ପଛକୁ ହଟିଛି ଡ୍ରାଗନ । ଏବେ ଏହାର ଚିତ୍ର ଆସିଛି । ଜୁଲାଇ ୬ ତାରିଖର ସାଟେଲାଇଟର ଚିତ୍ର ସ୍ପଷ୍ଟ କରୁଛି ଗଲୱାନ ଅଂଚଳରେ ଚୀନ୍ ତିଆରି କରିଥିବା ପୋଷ୍ଟ ଗୁଡିକୁ ହଟାଇ ନେଇଛି । ଗଲୱାନ ଘାଟିର ପାଟ୍ରୋଲିଂ ପଏଂଟ୍ ୧୪ ରୁ ୨ କିଲୋମିଟର ପଛକୁ ହଟିଛି ଚୀନ ସେନା ।

ଗୋଟିଏ ପଟେ ପ୍ରକୃତ ନିୟନ୍ତ୍ରଣ ରେଖାରୁ ପଛକୁ ହଟିଛି ଚୀନ । ଅନ୍ୟପଟେ ଭାରତ ମଧ୍ୟ ବିବାଦୀୟ କ୍ଷେତ୍ରରୁ ସୈନ୍ୟ ଅପସାରଣ କରିଛି । ମାତ୍ର ଚୀନ ସେନାର ସବୁ ଗତିବିଧି ଉପରେ ନଜର ରଖିଛି ଭାରତ ।   ଏଲଏସି ନିକଟରେ ଚୀନ ସହ ଲାଗି ରହିଥିବା ଏତେ ଦିନର ବିବାଦକୁ ନଜରରେ ରଖି ଭାରତ ମଧ୍ୟ ସୀମାରେ ସୁରକ୍ଷା ବ୍ୟବସ୍ଥା ବଢାଉଛି । ଭାରତୀୟ ବାୟୁସେନାର ଏକ ଦଳ ଲେହ ଏୟାରବେସରେ ବର୍ତମାନ ମୁତୟନ ରହିବ ବୋଲି ସୂଚନା ମିଳିଛି । ସେପଟେ ଆଗରୁ ଯେପରି ଦୁଇ ଦେଶର ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ନହୁଏ ସେଥିପାଇଁ ଏଲଏସିରେ ନୂଆ ବଫର ଜୋନ୍ କରାଯିବ । ଗୋଗ୍ରା ଓ ହଟସ୍ପ୍ରିଙ୍ଗ୍ ମଧ୍ୟରେ ନୂଆ ବଫର ଜୋନ୍ ରହିବ । ଏହି ଅଞ୍ଚଳରେ ଦୁଇ ଦେଶର କୌଣସି ସୈନ୍ୟ ଉପସ୍ଥିତି ରହିବ ନାହିଁ । ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ କୌଣସି ପ୍ରକାର ମୁହାଁମୁହିଁ ସ୍ଥିତି ଏଡାଇବାକୁ ବଫର ଜୋନ୍ ଘୋଷଣା କରାଯାଇଥାଏ । ଦୁଇ ଦେଶର ସୈନ୍ୟ ଏହି ଅଂଚଳରୁ ହଟିଥିଲେ ବି ପୂର୍ବ ପରି ସୀମା ପାଟ୍ରୋଲିଂ ଜାରି ରହିବ ବୋଲି କୁହାଯାଇଛି ।

ଗଲୱାନ ଘାଟିର ପାଟ୍ରୋଲିଂ ପଏଣ୍ଟ ୧୪ । ଯେଉଁ ସ୍ଥାନରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ଏବେ ସେହି ସ୍ଥାନରେ କୌଣସି ଦେଶର ସେନା ନାହାନ୍ତି । ଏହା ଭାରତର ଏକ ବଡ କୂଟନୈତିକ ସଫଳତା ବୋଲି କୁହାଯାଉଛି । ଦୁଇ ଦେଶ ମଧ୍ୟରେ ସୀମାରେ ସ୍ଥିତି ସ୍ୱାଭାବିକ ହୋଇଛି ସତ ମାତ୍ର ଭବିଷ୍ୟତ ପାଇଁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ସରକାର ସୂଚାଇ ଦେଇଛନ୍ତି । ଯାହାକୁ ନେଇ ଲଦାଖ ସୀମାରେ ସଡକ ନିର୍ମାଣ କାମ ଜୋର ସୋରରେ ଆରମ୍ଭ ହୋଇଯାଇଛି । ଏଥିରେ ସୀମାରେ ସେନା ଏବଂ ଅସ୍ତ୍ରଶସ୍ତ୍ର ଅଳ୍ପ ସମୟ ମଧ୍ୟରେ ପହଁଚିବା ସହଜ ହୋଇପାରିବ ।