କନକ ବ୍ୟୁରୋ : ଭାରତର ସାଉଥ ଆଫ୍ରିକା ଗସ୍ତରେ ଟିମ୍ ଇଣ୍ଡିଆକୁ କଂଟ୍ରୋଲ କରିବେ ମାଲକାନଗିରି ଜିଲ୍ଲାର କ୍ରିକେଟର ସତବୀର ସିଂ ରାଏର ଓରଫ ପପ୍ପୁ ସିଂ । ଚଳିତ ସାଉଥ ଆଫ୍ରିକା ଟେଷ୍ଟ ସିରିଜ ଲାଗି ମ୍ୟାନେଜର ଭାବେ ନିୟୋଜିତ ହୋଇଛନ୍ତି । ଏନେଇ ବିଧିବଦ୍ଧ ଭାବେ ସୂଚନା ରଖିଛି ଓସିଏ । ଆଉ ବିସିସିଆଇର ଅନୁମୋଦମ ପରେ ସାଉଥ ଆଫ୍ରିକା ପାଇଁ ମୁମ୍ବାଇ ଠାରୁ ଯାତ୍ରା କରିଛନ୍ତି ସତବୀର ।

Advertisment

୧୯୯୬ ଠାରୁ ସତବୀର କ୍ରିକେଟକୁ ନିଶା ଭାବେ ଗ୍ରହଣ କରିଥିବା ସହ ଦିର୍ଘ ବର୍ଷ ଧରି ଓସିଏ ସଦସ୍ୟ ରହିଛନ୍ତି । ଅଣ୍ଡର ସିକ୍ସଟିନ୍, ଅଣ୍ଡର ନାଇଟିନ୍ ଓ ରଜଣୀ ଟ୍ରଫିରେ ଓଡିଶା ଦଳର ଟିମ୍ ମ୍ୟାନେଜର ଦାୟିତ୍ୱ ତୁଲାଇ ସାରିଛନ୍ତି । ସେଇ ଅନୁଭୁତିକୁ ଆଧାର କରି ତାଙ୍କୁ ଭାରତୀୟ କ୍ରିକେଟ୍ ଟିମ ମ୍ୟାନେଜର ଦାୟିତ୍ୱ ମିଳିଥିବା ଓସିଏ ପକ୍ଷରୁ କୁହାଯାଇଛି ।

୨୦୦୧ରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫାର୍ମାସୀ ଅଫିସର ଭାବେ କାର୍ଯ୍ୟରତ ପପ୍ପୁ ସିଂ ଅଧିକାଂଶ ସମୟ ରାତିରେ ଡ୍ୟୁଟି କରି ଦିନରେ କ୍ରିକେଟ ପାଇଁ ସମୟ ଦେଇଥାନ୍ତି । ମାଲକାନଗିରି ଜିଲ୍ଲାରେ ଅନକେ ଖେଳାଳି ତିଆରି କରିଛନ୍ତି ।

ପୂର୍ବରୁ ମାଲାକନଗିରି ଜିଲ୍ଲା ଏକ ଭିନ୍ନ ପରିଚୟ ବହନ କରୁଥିଲା । ହେଲେ ଏବେ ସତବୀର ସିଂଙ୍କ ଭଳି ପ୍ରତିଭାଙ୍କ ପାଇଁ ମାଲକାନଗିରି ସହ ସାରା ଓଡିଶାର ପରିଚୟ ବଦଳି ଯାଇଛି ।