ସମର୍ଥନ କର ନହେଲେ ହଇରାଣରେ ପଡିବ, ସରକାରୀ ଅଧିକାରୀଙ୍କୁ ଫୋନ୍ କରି ଏମିତି ଧମକ ଦେଉଛନ୍ତି ଓଡ଼ିଶା ବିଜେପି ନେତା । ସାଂଘାତିକ ଅଭିଯୋଗ ଆଣିଲା ବିଜେଡି ।

1,620

କନକ ବ୍ୟୁରୋ : ବିଜେପି ଉପରେ ବର୍ଷିଲେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ସାମ୍ବାଦିକ ସମ୍ମିଳନୀରେ ସସ୍ମିତ କହିଛନ୍ତି, ବିଜେପିର ଓଡ଼ିଶା ୟୁନିଟର ଅଭ୍ୟାସଗତ ତ୍ରୁଟି ରହିଛି । ନିର୍ବାଚନରେ ପରାଜୟ ଅନୁଭବ କରିଲେ ଓଡ଼ିଶା ବିଜେପି ସରକାରୀ ଅଧିକାରୀଙ୍କ ବିରୋଧରେ ନାନାଦି କଥା କୁହନ୍ତି । ୨୦୧୯ରେ ପରାଜୟ ନିଶ୍ଚିତ ଜାଣିବା ପରେ ଓଡ଼ିଶା ବିଜେପି ସରକାରୀ ଅଧିକାରୀଙ୍କୁ ବିରୋଧ କରିଥିଲେ । ୨୦୨୪ ନିର୍ବାଚନରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଲାଣି ।

ପ୍ରତି ନିର୍ବାଚନରେ ପରାଜୟର ଭୟ ଗ୍ରାସ କରିବା ମାତ୍ରେ ସରକାରୀ ଅଧିକାରୀଙ୍କୁ ବିରୋଧ କରେ ଓଡ଼ିଶା ବିଜେପି । ୨୦୨୪ରେ ବିରୋଧ କରିବା ସହ ସରକାରୀ ଅଧିକାରୀଙ୍କୁ ଫୋନ୍ କରି ଧମକଚମକ ଦେବା ଆରମ୍ଭ କଲେଣି । ୨୦୨୪ ପୂର୍ବରୁ କେବଳ ବିରୋଧ କରୁଥିଲେ କିନ୍ତୁ ଏବେ ସିଧାସଳଖ ଧମକଚମକ ଦିଆଯାଉଛି । ବିଡିଓ, ତହସିଲଦାର, ପୋଲିସ ଆଇଆଇସି, ଡିଏସପିଙ୍କୁ ଫୋନ୍ କରି କହୁଛନ୍ତି ସମର୍ଥନ କର ନହେଲେ ଅସୁବିଧା ହେବ ହଇରାଣରେ ପଡିବ । ଓଡ଼ିଶା ବିଜେପିର ଏଭଳି ଆଭିମୁଖ୍ୟ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ବିଜେଡି ତରଫରୁ ଏକ ପିଟିସନ ପଠାଯାଇଛି । ଯେଉଁ ପିଟିସନରେ ଉଲ୍ଲେଖ ରହିଛି ଯେ, ଓଡ଼ିଶା ବିଜେପିର ନେତୃତ୍ୱ ଓ ସେମାନଙ୍କ ପ୍ରାର୍ଥୀ ନିର୍ବାଚନ କମିଶନଙ୍କୁ ବଦନାମ କରୁଛନ୍ତି । ସମର୍ଥନ କର ନହେଲେ ନିର୍ବାଚନ କମିଶନଙ୍କୁ କହି ବଦଳି କରିଦେବୁ ବୋଲି ସିଧାସଳଖ ଧମକ ଦେଉଛନ୍ତି ଓଡ଼ିଶା ବିଜେପିର ନେତୃବୃନ୍ଦ ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ସମ୍ମାନ ଜଣାଇଥାଏ । ସେମାନଙ୍କ କାର୍ଯ୍ୟଦକ୍ଷତାକୁ ବିଶ୍ୱାସ କରେ । ଓଡ଼ିଶା ବିଜେପି ନେତା ନିର୍ବାଚନ କମିଶନଙ୍କ ନାଁକୁ ବଦନାମ କରି ସରକାରୀ ଅଧିକାରୀ ଧମକଚମକ ଦେବା ଭାରି ଦୁଃଖଦାୟକ । ଏତେ ନିମ୍ନସ୍ତରର ରାଜନୀତି ଓଡ଼ିଶା କେବେ ଦେଖିନଥିଲା । ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛୁ, ଏହା ଉପରେ ନଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ନେବେ । ଓଡ଼ିଶାବାସୀ ଏହା ଜାଣିବାର ଆବଶ୍ୟକତା ରହିଛି ଯେ, ଓଡ଼ିଶା ବିଜେପି କେତେ ନିମ୍ନସ୍ତରର ରାଜନୀତି କରୁଛି ।