ଭବାନୀପାଟଣାରେ ପ୍ରଶ୍ନ ଭୁବନେଶ୍ୱରରେ ଉତ୍ତର ! ମୋଦିଙ୍କ ଡ଼ବଲ ଇଞ୍ଜିନ ବୟାନକୁ କାଟିଲା ବିଜେଡି । ମୁଖପାତ୍ର କହିଲେ, ଡ଼ବଲ ଇଞ୍ଜିନ୍ ଏବେ ପାଲଟିଛି ଡ଼ବା ।

229

କନକ ବ୍ୟୁରୋ: କଳାହାଣ୍ଡିରେ କେନ୍ଦ୍ର ସରକାରଙ୍କ ୫ବର୍ଷର ହିସାବ ଦେଲେ ମୋଦି ଭୁବନେଶ୍ୱରରେ ଉତ୍ତର ରଖିଲା ବିଜେଡି । କଳାହାଣ୍ଡିକୁ ନିର୍ବାଚନୀ ପ୍ରଚାର ପାଇଁ ଆସି ପ୍ରଧାନମନ୍ତ୍ରୀ କହିଛନ୍ତି କି, ଗୋଟିଏ ବି ଦିନ ଛୁଟି ନନେଇ ମୁଁ କାମ କରିଛି । ଆମେ ପରିବର୍ତନ ଦିଗରେ ସଫଳତାର ସହ ଆଗେଇ ଚାଲିଛୁ । ଦେଶରେ ଯାହା ବି ପରିବର୍ତନ ହୋଇଛି ତାହା ଲୋକଙ୍କ ଯୋଗୁଁ ସମ୍ଭବ । ଗତ ୫ବର୍ଷରେ ରାଜ୍ୟରେ ୮ ଲକ୍ଷ ପରିବାରକୁ ପକ୍କାଘର ମିଳିଛି । ୨୪ଲକ୍ଷ ଘରକୁ ମାଗଣାରେ ବିଜୁଳୀ ମିଳିଛି । ଆଉ ୪୦ ଲକ୍ଷ ଭଉଣୀମାନଙ୍କୁ ମାଗଣା ଉଜ୍ଜ୍ୱଳା ଦେଇଛନ୍ତି କେନ୍ଦ୍ର ସରକାର । ତେବେ ଏହା କେବଳ କେନ୍ଦ୍ର ସରକାରଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ମୋଦି ।

ସେପଟେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି କି, ବିଜେପିର ମୁଖ୍ୟମନ୍ତ୍ରୀ ଯଦି ଏଠି ରହିଥାନ୍ତେ ସମସ୍ତ ବିକାଶମୂଳକ କାମ ବହୁତ ଦ୍ରୁତ ଗତିରେ ହୁଅନ୍ତା । ଏଠିକାର ସରକାରଙ୍କ ସହଯୋଗ ନମିଳିବା ସତ୍ୱେ ଆମେ ବହୁତ ପରିଶ୍ରମ କରିଛୁ । କଂଗ୍ରେସ ସହ ବିଜେଡି ଭଳି ଦଳ ଗରିବଙ୍କୁ ଗରିବ ଅବସ୍ଥାରେ ରଖିବାକୁ ଚାହିଁଛନ୍ତି । ତେଣୁ କେନ୍ଦ୍ରରେ ପୁଣି ବିଜେପି ସରକାର ଓ ଓଡିଶାରେ ମଧ୍ୟ ବିଜେପି ସରକାରକୁ ବାଛିବାର ସମୟ ଆସିଛି । ଏବଂ ଡବଲ ଇଞ୍ଜିନ୍ ଲାଗିଲେ ଓଡ଼ିଶାର ବିକାଶ ଦ୍ରୁତ ଗତିରେ ହୋଇପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସେପଟେ ବିଜେଡି ମୋଦିଙ୍କୁ ଜବାବ୍ ଦେଇ କହିଛି ଯେ, ଡବଲ ଇଂଜିନ କ’ଣ ଛତିଶଗଡରେ ଲାଗିନଥିଲା କି, ଆଉ ୧୫ ବର୍ଷ ହେବ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଲାଗିନଥିଲା କି ? ସେଠାରେ କେମିତି ଫେଲ ମାରିଲା ଏହି ଡ଼ବଲ ଇଂଜିନ୍ ? ଏବେ ଡବଲ ଇଞ୍ଜିନ ଫେଲ ମାରିଛି ଆଉ ବର୍ତ୍ତମାନ ଏହା କେବଳ ଏକ ଡବା । ୨୦୧୯ରେ କଦାପି କାମ କିରିବନି ଏହି ଇଞ୍ଜିନ୍ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ଏପରିକି ଓଡିଶାର ସିଙ୍ଗଲ ଇଂଜିନ ହେଉଛନ୍ତି ନବୀନ ପଟ୍ଟନାୟକ । ଦୃଢତାର , ନିଷ୍ଠାର ସହିତ ଗତ ୧୯ ବର୍ଷ ହେଲା କାମ କରି ଆସୁଛନ୍ତି  । ତେଣୁ ବିଜେପିର ତ୍ରିପୁରା ମଡେଲ ଓଡିଶାରେ କାମ କରିବନି । କାରଣ ଓଡିଶାବାସୀ ନବୀନଙ୍କୁ ଭଲ ପାଉଛନ୍ତି । ଆଉ ୨୦୧୯ରେ ବିଜେଡି ସୁପ୍ରିମୋ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେଡି କହିଛି ।