ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଇସ୍ତଫା ନେଇ ବିଜେଡିର ପ୍ରତିକ୍ରିୟା: ‘ପାର୍ଟି ନୁହେଁ ମାଟିକୁ ଦେଇଛନ୍ତି ଗୁରୁତ୍ୱ’ ।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟଙ୍କ ଇସ୍ତଫାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ।

182

କନକ ବ୍ୟୁରୋ: ବିଜେପିର ଦୁଇ ବରିଷ୍ଠ ନେତା ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ରଙ୍କ ଇସ୍ତଫା ଦେବା ନେଇ ଚାଲିଥିବା କଳ୍ପନା ଜଳ୍ପନାର ଆଜି ଅନ୍ତ ଘଟିଛି । ଏହି ଦୁଇ ବରିଷ୍ଠ ନେତା ଆଜି ବିଜେପିରୁ ଇସ୍ତଫା ଦେବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ସେ ଆଗକୁ କେଉଁ ଦଳରେ ମିଶିବେ ଏବଂ ଆଗକୁ କଣ ସବୁ ପଦକ୍ଷପ ନେବେ ସେନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ତେବେ ଏସବୁ ଭିତରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟଙ୍କ ଇସ୍ତଫାକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ପାର୍ଟି ପାଇଁ ନୁହେଁ ମାଟି ପାଇଁ ଦଳ ଛାଡିଛନ୍ତି ଉଭୟ ନେତା । ଭାରତୀୟ ଜନତା ପର୍ଟିର ବରିଷ୍ଠ ନେତା ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ର ଯେଉଁ ସବୁ ପ୍ରସଙ୍ଗ ନେଇ ଦଳ ଛାଡିଛନ୍ତି ତାହା ସମ୍ପୁର୍ଣ୍ଣ ଯୁକ୍ତିଯୁକ୍ତ । ମହାନଦୀ ପ୍ରସଙ୍ଗ ହେଉ ଅବା ବ୍ରାହ୍ମଣୀର ଦ୍ୱିତୀୟ ସେତୁ ନିର୍ମାଣ ପ୍ରସଙ୍ଗ ହେଉ, ତାଙ୍କର ଏହି ନିଷ୍ପତିକୁ ଆମେ ସ୍ୱାଗତ କରୁଛୁ ବୋଲି କହିଛନ୍ତି ସସ୍ମିତ । ଏହି ଦୁଇ ନେତା ବିଜେପିରୁ ଇସ୍ତଫା ଦେଇ ପାର୍ଟିକୁ ପଛରେ ପକାଇ ମାଟିକୁ ଆଗକୁ ଆଣିଛନ୍ତି । ଦଳରେ ନିଜର ସ୍ୱାର୍ଥ ନଦେଖି ଜନତାଙ୍କ କଥା ଚିନ୍ତା କରିଛନ୍ତି ଯାହା ବାସ୍ତବରେ ପ୍ରଂଶସାଯୋଗ୍ୟ । ଏବଂ ଭାରତୀୟ ଜନତା ପାର୍ଟିରେ ଏପରି ଅନେକ ନେତା ଅଛନ୍ତି ଯେଉଁମାନେ କି, ମାଟିକୁ ଆଗକୁ ଆଣିବାକୁ ଚାହୁଁଛନ୍ତି କିନ୍ତୁ ଦଳରେ କୋଣଠେସା ହୋଇ ରହିଥିବାରୁ ଆଗକୁ ଆସି ତାଙ୍କ ବକ୍ତବ୍ୟ ରଖିପାରୁ ନାହାଁନ୍ତି । କିନ୍ତୁ ବିଜୟ ଏବଂ ଦିଲ୍ଲୀପଙ୍କ ଇସ୍ତଫା ପରେ ଆଗାମୀ ଦିନରେ ଦଳରେ କୋଣଠେସା ହୋଇ ରହିଥିବା ନେତା ମଧ୍ୟ ମୁହଁ ଖୋଲିବେ ବୋଲି କହିଛନ୍ତି ସସ୍ମିତ ।