ଶାହାଙ୍କୁ ବିଜେଡିର ଜବାବ ! ନିରୁତ୍ସାହିତ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଡାହା ମିଛ କହୁଛନ୍ତି ଶାହା ।

ନିର୍ବାଚନ ପ୍ରଚାରରେ ଆସି ଆଜି ଗଜପତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଦେଇଥିବା ଭାଷଣର ଜବାବ ରଖିଛି ବିଜେଡି ।

650
କନକ ବ୍ୟୁରୋ: ନିର୍ବାଚନ ପ୍ରଚାରରେ ଆସି ଆଜି ଗଜପତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଦେଇଥିବା ଭାଷଣର ଜବାବ ରଖିଛି ବିଜେଡି । ବିଜେପି ସ୍ଥିତି ଦେଖି ନିରୁତ୍ସାହିତ ହୋଇପଡିଥିବା କର୍ମୀଙ୍କୁ ଉତ୍ସାହିତ କରିବାକୁ ଅମିତ ଶାହା ଗୁଡାଏ ମିଛ କହିବାକୁ ବାଧ୍ୟ ହୋଇଛନ୍ତି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।
ସସ୍ମିତ ପାତ୍ର ଏହା ମଧ୍ୟ କହିଛନ୍ତି, ଆଜି ଯେତେବେଳେ ଅମିତ୍ ଶାହା ଗଜପତିରେ ନିର୍ବାଚନ ପ୍ରଚାର କରୁଥିଲେ ସେହି ସମୟରେ ଗଜପତିରୁ ବିଜେପିର ଦୁଇ ଜଣ ବରିଷ୍ଠ ନେତା ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ତେଣୁ ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ସେ ମିଛ ଭାଷଣ ଦେବାରେ କିଛି ଅସଙ୍ଗତି ନାହିଁ । ଶ୍ରୀ ଶାହାଙ୍କୁ ଓଡ଼ିଶାରେ ତାଙ୍କ ଦଳର ପ୍ରାର୍ଥୀଙ୍କ ଅବସ୍ଥା ସମ୍ପର୍କରେ ମାଲୁମ୍ ନାହିଁ  । ଏଠି ବିଜେପିର ପ୍ରମୁଖ ନେତା ହାରିଯିବା ଭୟରେ ନିର୍ବାଚନ ଲଢ଼ିବାକୁ ସାହାସ କରିନାହାନ୍ତି । ବିଜେପି ଟିକେଟ ପାଇସାରିଥିବା ସତ୍ତେ୍ୱ ଜଣେ ପ୍ରାର୍ଥୀ ଦଳ ଛାଡ଼ି ବିଜେଡ଼ିରେ ଯୋଗଦେଇଛନ୍ତି । ବିଜେପି ଟିକେଟରେ ଲଢି ଜିତି ପାରିବେ ନାହିଁ  ବୋଲି ତାଙ୍କର ହୃଦବୋଧ ହୋଇଛି । ଖାଲି ସେ ନୁହଁନ୍ତି,ବିଜେପି ଟିକେଟ ପାଇସାରିଥିବା ୧୦ରୁ ୧୫ ଜଣ ନେତା ଏବେ ବିଜେଡ଼ି ସମ୍ପର୍କରେ ଅଛନ୍ତି । ବିଜେପି ପ୍ରାର୍ଥୀ ଭାବେ ସେମାନେ ଜିତିପାରିବେ ନାହିଁ ବୋଲି ସ୍ୱୀକାର କରିଥିବା ବେଳେ ବିଜେଡ଼ିରୁ ଜିତିବା ନିଶ୍ଚିତ ବୋଲି କହିଛନ୍ତି । ବିଜେପି ନିଜ ପାଇଁ ପ୍ରାର୍ଥୀ ଖୋଜି ପାଉ ନ ଥିବାରୁ ବିଜେଡ଼ି ଅଫିସ ଆଗରେ ବୁଲି ପ୍ରାର୍ଥୀ ଖୋଜୁଛି ବୋଲି ସସ୍ମିତ ପାତ୍ର କହିଛନ୍ତି  ।
ସସ୍ମିତ ପାତ୍ର ଆହୁରି କହିଛନ୍ତି କି, ଅମିତ ଶାହା ଯଦି କହିବାର ଥିଲା, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ତାଙ୍କ ଦଳ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି କାହିଁକି ପୂରଣ ହୋଇନି କହିଥିଲେ ଭଲ ହୋଇଥାଆନ୍ତା । ସେହିଭଳି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା କାହିଁକି ହୋଇନାହିଁ କହିଥିଲେ ଭଲ ହୋଇଥାନ୍ତା । କିନ୍ତୁ ଦୁଃଖର କଥା ତାଙ୍କ ଭାଷଣରେ ଏସବୁ କଥା ସ୍ଥାନ ପାଇନାହିଁ ବୋଲି କଡା ଭାଷାରେ ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।