କନକ ବ୍ୟୁରୋ: ଝାରସୁଗୁଡାରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ହତ୍ୟାକୁ ନେଇ ରାଜନୀତି ଜୋର ଧରିଛି । ହତ୍ୟାକାଣ୍ଡ ପରେ ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୀର୍ଘ ସମୟ ଧରି ଜଣେ ବ୍ୟକ୍ତି ଶାସନରେ ରହିବା ଯୋଗୁ ରାଜ୍ୟରେ ଏଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ସାଧାରଣ ଲୋକଙ୍କ ସହ ଜନପ୍ରତିନିଧିମାନେ ମଧ୍ୟ ଓଡ଼ିଶାରେ ସୁରକ୍ଷିତ ନାହାଁନ୍ତି । ବିଶେଷକରି ଝାରସୁଗୁଡାରେ ଦୁଇ ମାସ ମଧ୍ୟରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ସମର୍ଥଙ୍କ ହତ୍ୟା ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥତିକୁ ପଦାରେ ପକାଇଛି । ଏହା ଲୋକଙ୍କ ବିଶ୍ୱାସ ଏବଂ ଭରଷାକୁ ଦୁର୍ବଳ କରିଦେଇଛି । କୌଣସି ପ୍ରକାରର ସହାନୁଭୂତି ସାମର୍ଥଙ୍କ ପରିବାରର କ୍ଷତି ଭରଣା କରିପାରିବ ନାହିଁ । ରାଜବାସୀଙ୍କ ସୁରକ୍ଷା ଓଡ଼ିଶା ସରକାର ସୁନିଶ୍ଚିତ କରିବା ଦରକାର ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Advertisment

କେନ୍ଦ୍ରମନ୍ତ୍ରୀ ଟୁଇଟ କରି ଏଭଳି କହିବା ପରେ ଏହାର ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଧର୍ମେନ୍ଦ୍ରଙ୍କୁ ଭାଇ ବୋଲି ସମ୍ବୋଧନ କରି ସସ୍ମିତ କହିଛନ୍ତି, ଓଡ଼ିଶାକୁ ଆଇନ ବିହୀନ ବ୍ରାଣ୍ଡିଂ କରିବା ଶାନ୍ତିପ୍ରିୟ ରାଜବାସୀଙ୍କୁ ଲଜ୍ଜିତ କରିଛି । ନିଜର ରାଜନୈତିକ ଏଜେଣ୍ଡା ପାଇଁ ଓଡ଼ିଶାକୁ ବଦନାମ କରନ୍ତୁ ନାହିଁ । ଆପଣ ଆଇନଶୃଙ୍ଖଳା ଏବଂ ଅପରାଧ ଭିତରେ ଥିବା ପାର୍ଥକ୍ୟ ବୁଝିନାହାଁନ୍ତି । ପଦ୍ମପୁରରେ ଜିଏସଟି ରେଡ ବେଳେ ଆଇନଶୃଙ୍ଖଳା ପରିସ୍ଥତି ଉପୁଜିଥିଲା । ଯେତେବେଳେ ଶତାଧିକ ବିଜେପି କର୍ମୀ ଜବରଦସ୍ତି ଜିଏସଟି ଅଧିକାରୀଙ୍କ କାଗଜପତ୍ର ଛଡାଇ ନେଇଥିଲେ । ଏଭଳି ସମ୍ବେଦନଶୀଳ ଘଟଣାରେ ରାଜନୀତି ନ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସସ୍ମିତ ପାତ୍ର । ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆସାମ, ହରିଆଣାରେ ଦୁଷ୍କର୍ମ ଓ ହତ୍ୟା ବଢୁଥିବା କହିଛନ୍ତି ସସ୍ମିତ ପାତ୍ର ।