ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଶଶିକଳାଙ୍କ ବଡ ଘୋଷଣା । ରାଜନୀତିରୁ ସନ୍ୟାସ ନେବାକୁ ଘୋଷଣା କଲେ ଜୟଲଳିତାଙ୍କ ବାନ୍ଧବୀ ।

213

କନକ ବ୍ୟୁରୋ: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏକ ବଡ ଓଲଟ ପାଲଟ ଦେଖିବାକୁ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବିଶ୍ୱସ୍ଥ କୁହାଯାଉଥିବା ଶଶିକଳା ରାଜନୀତିରୁ ଅବସର ନେବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି କି ତାମିଲନାଡୁରେ ଏଆଇଏଡିଏମକେ ର ସରକାର ଗଠନ ହେବା ପାଇଁ ସେ ରାଜନୀତିରୁ ସନ୍ୟାସ ନେଉଛନ୍ତି । ଏହାସହ ସେ କହିଛନ୍ତି କି ଏଆଇଏଡିଏମକେ ର ବିଜୟ ପାଇଁ ସେ ଭଗବାନ ଓ ଭଉଣୀ ଜୟଲଳିତାଙ୍କ ନିକଟରେ ପ୍ରାଥନା କରିବେ । କହିରଖୂୁ କି ତାମିଲନାଡୁରେ ମେ’୬ ତାରିଖରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

ଏକ ବୟାନ ଜାରି କରି ବୁଧବାର ଦିନ ଶଶିକଳା କହିଛନ୍ତି କି ସେ କୌଣସି ପଦ ଓ ସତ୍ତା ହାସଲ କରିବାକୁ ଲକ୍ଷ୍ୟ ରଖି ନାହାନ୍ତି । ତେଣୁ ସେ ସାର୍ବଜନୀନ ଜୀବନରୁ ବାହାରିବାକୁ ଚାହୁଁଛନ୍ତି । ସେ ଆହୁରି କହିଛନ୍ତି କି ଏଆଇଏଡିଏମକେ ଏକଜୁଟ୍ ହୋଇ ଆସନ୍ତା ନିର୍ବାଚନରେ ଡିଏମକେକୁ ପରାସ୍ତ କରିବାକୁ ସେ ଦଳର କର୍ମୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏହାସହ ଜୟଲଳିତାଙ୍କ ସଚ୍ଚା ସମର୍ଥକ ମାନଙ୍କୁ କହିଛନ୍ତି କି ଡିଏମକେକୁ ବିଧାନସଭା ନିର୍ବାଚନରେ କ୍ଷମତା ଦଖଲ କରିବାରୁ ଦୂରେଇ ରଖିବା ଓ ଜୟଲଳିତାଙ୍କ ସୁଶାସନକୁ ପୁଣି ତାମିଲନାଡୁକୁ ଫେରାଇ ଆଣିବାକୁ କହିଛନ୍ତି ।

କହିରଖୁ କି ଏଆଇଏଡିଏମକେରୁ ବହିସ୍କୃତ ହେବା ପରେ ଶଶିକଳା ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ୪ ବର୍ଷ ଜେଲରେ ରହିବା ପରେ ଗତମାସ ତାମିଲନାଡୁ ଫେରିଛନ୍ତି । ସେ ତାମିଲନାଡୁ ଫେରିବା ପରେ ତାଙ୍କ ସମର୍ଥକ ମାନେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବୋର୍ଦ୍ଧନା ଜଣାଇ ରାଜ୍ୟକୁ ସ୍ୱାଗତ କରିଥିଲେ । ସେଠାରେ ସେ ସକ୍ରିୟ ରାଜନୀତିରେ ରହିବେ ବୋଲି କହିଥିଲେ । କିନ୍ତୁ ହଠାତ୍ ଗତକାଲି ସେ ରାଜନୀତିରୁ ସନ୍ୟାସ ନେବାକୁ ଘୋଷଣା କରିବା ପରେ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି ।