କେନ୍ଦ୍ରାପଡା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ଶ୍ୱଶୁରଘର ଜିଲ୍ଲାରେ ଶଶୀଭୂଷଣଙ୍କୁ ମିଳିଲା ଟିକେଟ, ଆସନ୍ତାକାଲି କରିବେ ନାମାଙ୍କନପତ୍ର ଦାଖଲ

895

କନକ ବ୍ୟୁରୋ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । କେନ୍ଦ୍ରାପଡା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । କେନ୍ଦ୍ରାପଡା ଆସନରୁ ଶଶୀଭୂଷଣ ବେହେରାଙ୍କୁ ପ୍ରାର୍ଥୀ କରିଛି ଦଳ । ଆଉ ଏହାସହ ୧୪୭ ଆସନର ପ୍ରାର୍ଥୀ ତାଲିକାରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ । ଏହାପୂର୍ବରୁ ୧୪୬ ଆସନରେ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ କେନ୍ଦ୍ରାପଡା ଆସନ ପାଇଁ ଅଙ୍କ ଛିଣ୍ଡୁନଥିଲା । ଆଉ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଶେଷ ପ୍ରାର୍ଥୀ ଭାବେ ଶଷୀଭୂଷଣଙ୍କ ନାଁ ଘୋଷଣା କରିଛି ଦଳ ।

କେନ୍ଦ୍ରାପଡା ପାଇଁ ଶଶୀଭୂଷଣଙ୍କ ସର୍ମ୍ପକ ନୂଆ ନୁହେଁ । କାରଣ ଶଶୀଭୂଷଣଙ୍କ ଶ୍ୱଶୁରଘର ହେଉଛି କେନ୍ଦ୍ରାପଡା । ତେଣୁ ତାଙ୍କୁ କେନ୍ଦ୍ରାପଡାରୁ ପ୍ରାର୍ଥୀ କରି ଦଳ ଅନ୍ତଃକନ୍ଦଳକୁ ପ୍ରଶମିତ କରିବା ସହ ଶଶୀଙ୍କୁ ମଧ୍ୟ ମନାଇ ପାରିଛି । ଏହି ଆସନ ପାଇଁ କିଶୋର ଓ ସିପ୍ରା ଆଶାୟୀ ଥିଲେ ମଧ୍ୟ ଦୁହିଁଙ୍କୁ ନେଇ ବଡ ଦ୍ୱନ୍ଦ୍ୱରେ ରହିଥିଲା ଦଳ । କିଶୋର ପୂର୍ବରୁ ବିବାଦୀୟ ଥିବା ବେଳେ ସିପ୍ରାଙ୍କୁ ପ୍ରାର୍ଥୀ କରିଥିଲେ ଦଳରେ ଅନ୍ତଃକନ୍ଦଳ ବଢିଥାନ୍ତା । ତେଣୁ ଦୁହିଁଙ୍କୁ ବାଦ୍ ଦେଇ ଶଶୀଭୂଷଣଙ୍କୁ କେନ୍ଦ୍ରାପଡାରେ ଟିକେଟ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ବିଜେଡି ସୁପ୍ରିମୋ । ଜୟଦେବ ଆସନରୁ ବିଧାୟକ ଥିବା ଶଶୀଭୂଷଣଙ୍କ ଟିକେଟ କଟିବା ପରେ ତାଙ୍କୁ କେନ୍ଦ୍ରାପଡାରୁ ଟିକେଟ ଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।