ସିରିଜ ଜିତିଲା ଟିମ୍ ଇଣ୍ଡିଆ । ଶଶୀ ଥରୁର କହିଲେ, ରୋହିତଙ୍କ ବଦଳରେ ଶ୍ରେୟସ ହୁଅନ୍ତୁ କ୍ୟାପଟେନ, ଅନ୍ୟ ଖେଳାଳୀଙ୍କୁ ମିଳୁ ସୁଯୋଗ ।

427

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ବିଜୟୀ ହେବା ସହ ସିରିଜ ହାତେଇଛି ଟିମ୍ ଇଣ୍ଡିଆ । ଏବେ କିୱି ଦଳକୁ ମାତ୍ ଦେଇ ସିରିଜ୍ କ୍ଲିନ୍ ସୁଇପ ଲକ୍ଷ୍ୟରେ ରହିଛି ଭାରତୀୟ ଦଳ । କୋଲକାତାରେ ତୃତୀୟ ଟି-୨୦ ଖେଳାଯିବାକୁ ଥିବା ବେଳେ ଏହାପୂର୍ବରୁ ବଡ ବୟାନ ଦେଇଛନ୍ତି କଂଗ୍ରେସ ନେତା ଶଶୀ ଥରୁର । ରାଞ୍ଚି ଷ୍ଟାଡିୟମରେ ରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ଦେଖିବା ପରେ ଥରୁର ଆଗାମୀ ମ୍ୟାଚକୁ ନେଇ ଯେଉଁ ବୟାନ ଦେଇଛନ୍ତି ତାହା କ୍ରିକେଟପ୍ରେମୀଙ୍କୁ ଭାବିବାକୁ ବାଧ୍ୟ କରିବ ନିଶ୍ଚୟ । ଶଶୀ ଥରୁରଙ୍କ ଅନୁଯାୟୀ, ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ବରିଷ୍ଠ ଖେଳାଳୀଙ୍କୁ ବିଶ୍ରାମ ଦେଇ ଶ୍ରେୟସ ଆୟରଙ୍କୁ ଅଧିନାୟକ ଦାୟିତ୍ୱ ଦେବା ଆବଶ୍ୟକ ।

ରାଞ୍ଚି ଷ୍ଟାଡିୟମରେ ଖେଳ ଦେଖିବା ପରେ ଶଶୀ ଥରୁର ଟ୍ୱିଟ୍ କରିଛନ୍ତି । ମ୍ୟାଚ୍ ଦେଖୁଥିବାର ଫଟୋ ସେୟାର କରିବା ସହ ଶଶୀ ଲେଖିଛନ୍ତି, ଟି-୨୦ ସିରିଜରେ ଭାରତର ବିଜୟ ଦେଖି ବହୁତ ଖୁସି ଲାଗିଲା । ଆଗାମୀ ମ୍ୟାଚରୁ ସେହି ଖେଳାଳୀଙ୍କୁ ବିଶ୍ରାମ ଦେବା ଆବଶ୍ୟକ ଯେଉଁମାନେ ଟୁର୍ଣ୍ଣାମେଣ୍ଟରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ସାରିଲେଣି । ଖାସକରି ରୋହିତ ଶର୍ମା, କେଏଲ ରାହୁଲ, ରିଷଭ ପନ୍ତ, ଭୁବନେଶ୍ୱର କୁମାର, ଦୀପକ ଚହରଙ୍କ ଭଳି ଖେଳାଳୀଙ୍କୁ ବିଶ୍ରାମ ଦେବା ଆବଶ୍ୟକ । ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଉନଥିବା ଖେଳାଳୀଙ୍କୁ ସୁଯୋଗ ମିଳିବା ଉଚିତ ଓ ସେମାନଙ୍କୁ ପ୍ରତିଭା ଦେଖାଇବାର ପ୍ଲାଟଫର୍ମ ଦେବା ଆବଶ୍ୟକ । ଶଶୀଙ୍କ ଏହି ପରାମର୍ଶକୁ କିଛି କ୍ରିକେଟପ୍ରେମୀ ପସନ୍ଦ କରିଥିବା ବେଳେ କିଛି କ୍ରିକେଟପ୍ରେମୀ ନାପସନ୍ଦ କରିଛନ୍ତି । ତେବେ ବେଞ୍ଚରେ ବସିଥିବା ଖେଳାଳୀଙ୍କୁ ସୁଯୋଗ ମିଳିବା ଉଚିତ ବୋଲି କିଛି କ୍ରୀଡାବିତ କହିଛନ୍ତି । ଯେହେତୁ ଦଳ ସିରିଜ ଜିତି ସାରିଛି, ତେଣୁ ନୂଆ ଖେଳାଳୀଙ୍କୁ ସୁଯୋଗ ଦେବା ଆବଶ୍ୟକ ବୋଲି କିଛି କ୍ରିକେଟପ୍ରେମୀ କହିଛନ୍ତି ।

୬୫ ବର୍ଷୀୟ ଶଶୀ ଥରୁର କଂଗ୍ରେସ ସରକାରରେ କେନ୍ଦ୍ରମନ୍ତ୍ରୀ ରହିଥିଲେ । ଅନେକ ସମୟରେ ଶଶୀଙ୍କ ବୟାନ କଂଗ୍ରେସକୁ ଅଡୁଆରେ ପକାଇଛି । ୨୦୦୬ରେ ଜାତିସଂଘର ମହାସଚିବ ପଦ ପାଇଁ ନିର୍ବାଚନ ଲଢିଥିଲେ ମଧ୍ୟ ଏଥିରେ ପରାଜିତ ହୋଇଥିଲେ । ପରେ କଂଗ୍ରେସର ହାତ ଧରି ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନରେ ଥିରୁଅନନ୍ତପୁରମ ଆସନରୁ ବିଜୟୀ ହୋଇ ଆସୁଛନ୍ତି ।