ମହିଳା ସାଂସଦଙ୍କ ସହ ଫଟୋକୁ ନେଇ ଟ୍ରୋଲ ହେଲେ କଂଗ୍ରେସ ସାଂସଦ ଶଶୀ ଥରୁର । ୟୁଜର୍ସ କହିଲେ ଏପରି କଥା…

218

କନକ ବ୍ୟୁରୋ: ମହିଳା ସାଂସଦଙ୍କ ଗହଣରେ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ଏକ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ଥରୁର ଟ୍ୱିଟରରେ ସେୟାର କରିବା ପରେ କଡା ପ୍ରତିକ୍ରିୟା ଦେଇଛନ୍ତି ୟୁଜର୍ସ । ଫଳରେ ଶଶୀ ଥରୁରଙ୍କୁ ପୁଣିଥରେ ଆଉ ଏକ ପୋଷ୍ଟ କରି କ୍ଷମା ମାଗିବାକୁ ପଡିଛି ।
ଫଟୋରେ ଯେଉଁ ମହିଳା ସାଂସଦଙ୍କୁ ଦେଖୁଛନ୍ତି ସେମାନେ ହେଲେ କଂଗ୍ରେସ ସାଂସଦ ପରନୀତ କୌର ଏବଂ ଜୋଥିମାନି, ଟିଏମସି ସାଂସଦ ନୁସରତ ଜାହାନ ଏବଂ ମିମି ଚକ୍ରବର୍ତ୍ତୀ, ଏନସିପି ସାଂସଦ ସୁପ୍ରିୟା ସୁଲେ, ଡିଏମକେ ସାଂସଦ ଥାମିଦାଚି ଥାଙ୍ଗାପାଣ୍ଡିଅନ୍ । ଏହି ଫଟୋକୁ ଟ୍ୱିଟରରେ ଅପଲୋଡ କରିବା ସହ ଥରୁର ଯାହା ଲେଖିଥିଲେ ତାକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ୟୁଜର୍ସ ।

ଶଶୀ ଥରୁର ଏହି ଫଟୋକୁ ସେୟାର କରିବା ସହ ଲେଖିଛନ୍ତି ଯେ, ‘କିଏ କହୁଛି ଲୋକସଭା କାମ କରିବା ପାଇଁ ଏକ ଆକର୍ଷଣୀୟ ସ୍ଥାନ ନୁହେଁ? ଆଜି ସକାଳେ ଛଅ ଜଣ ସାଥୀ ସାଂସଦଙ୍କ ସହିତ… ‘ । ଏପରି ପୋଷ୍ଟ କରିବା ପରେ କିଛି ୟୁଜର୍ସ ଏହାକୁ ଶଶୀ ଥରୁରଙ୍କ କଦର୍ଯ୍ୟ ଚିନ୍ତାଧାରା ବୋଲି ମଧ୍ୟ କହିଛନ୍ତି । ଅଲିଶ ରେହମାନ ନାମକ ଜଣେ ୟୁଜର ଏହି ଫଟୋକୁ ଅନୁଚିତ କହିବା ସହ କେବଳ ଗ୍ଲାମର ବଢାଇବାକୁ ମହିଳାଙ୍କୁ ଲୋକସଭାକୁ ନିର୍ବାଚିତ କରାଯାଉଛି । ମଉଜ ପାଇଁ କିଛି ନେତା ରାଜନୀତିରେ ମହିଳାଙ୍କ ସଂରକ୍ଷଣ ଦାବୀ କରୁଥିବା କହିଛନ୍ତି । ସେହିପରି ଅନ୍ୟଜଣେ ୟୁଜର ମହିଳାଙ୍କୁ ଲୋକସଭାର ଆକର୍ଷଣ ବଢାଇବାକୁ କୌଣସି ସାମଗ୍ରୀ ବୋଲି ଭାବି ମହିଳାଙ୍କ ଅପମାନ ନକରିବାକୁ କହିଛନ୍ତି ।

ୟୁଜର୍ସଙ୍କ ଠାରୁ ତୀବ୍ର ପ୍ରତିକ୍ରିୟା ପାଇବା ପରେ ପୁଣି ଥରେ ଟ୍ୱିଟ କରି କ୍ଷମା ପ୍ରାର୍ଥନା କରିଛନ୍ତି ଶଶୀ ଥରୁର । ଏହି ସେଲ୍ଫି ମଜାରେ ମଜାରେ ନିଆଯାଇଥିଲା । କାହାର ଭାବନାକୁ କ୍ଷୁର୍ଣ୍ଣ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ । ସେ ସବୁବେଳେ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ କାମ କରିବାକୁ ଭଲ ପାଆନ୍ତି । ତେଣୁ ସେ କ୍ଷମା ମାଗିନେଉଛନ୍ତି ବୋଲି ଟ୍ୱିଟ କରିଛନ୍ତି ।