ବଦଳୁଛି ସିମୁଳିଆ ସମୀକରଣ ! ପଦ୍ମ ଛାଡି ଶଙ୍ଖ ଧରିଲେ ଶଶୀ ସାହୁ ।

2,518

କନକ ବ୍ୟୁରୋ : ବଦଳୁଛି ବାଲେଶ୍ୱର ସିମୁଳିଆ ନିର୍ବାଚନ ମଣ୍ଡଳୀର ସମୀକରଣ । ବିଜେପିଠାରୁ ମୁହଁ ଫେରାଇ ପୁଣି ଥରେ ବିଜେଡିକୁ ଫେରିଛନ୍ତି ଶଶୀ କୁମାର ସାହୁ । ୨୦୧୪ରେ ଶଶୀ ସାହୁ ବିଜେଡି ଛାଡି ବିଜେପିରେ ସାମିଲ ହୋଇ ବିଧାୟକ ପ୍ରାର୍ଥୀ ହୋଇଥିଲେ । ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲେ ଶଶୀ । କିନ୍ତୁ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ବିଜେପିରେ ସାମିଲ ହେବା ପରେ ଏପଟ ସେପଟ ହୋଇଯାଇଥିଲା ଶଶୀ ସାହୁଙ୍କ ରାଜନୈତିକ ଭବିଷ୍ୟତ । ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ସହିତ ନପଡିବାରୁ କୋଣଠେସା ହୋଇ ରାଜନୈତିକ ଅସ୍ତିତ୍ୱ ହରାଇଥିଲେ ଶଶୀ । ଶେଷରେ କୌଣସି ବାଟ ନପାଇ ପୁଣି ଥରେ ବିଜେଡିକୁ ଫେରିଛନ୍ତି । ଆଉ ଚାହୁଁଛନ୍ତି ୨୦୧୯ ନିର୍ବାଚନ ମଇଦାନରେ ବିଜୁ ଜନତା ଦଳରୁ ପ୍ରାର୍ଥୀ ହେବା ପାଇଁ । ଆଜି ବିଧିବଦ୍ଧ ଭାବେ ବାଲେଶ୍ୱର ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ।

କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦଳରେ ପଶୁ ପଶୁ ମୁଣ୍ଡରେ ଚାଳ ବାଜିଲାଣି ଶଶୀଙ୍କର । ସ୍ଥାନୀୟ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ତାଙ୍କର ସମର୍ଥକ ଶଶୀଙ୍କ ଗୋଷ୍ଠୀଙ୍କୁ ଜୋରଦାର ବିରୋଧ କରୁଛନ୍ତି । ଅନ୍ୟପଟେ ସ୍ଥାନୀୟ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଟିକେଟ୍ ଲବିରେ ଆଗରେ ଅଛନ୍ତି । ଏବଂ ତାଙ୍କୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଗ୍ରୀନ୍ ସିଗନାଲ ଦେଇଥିବା କଥା ନିଜ କର୍ମୀଙ୍କୁ କହିବା ସହିତ ନିର୍ବାଚନ ପ୍ରଚାର ମଧ୍ୟ ଆରମ୍ଭ କରିସାରିଲେଣି ଜ୍ୟୋତିପ୍ରକାଶ । କିନ୍ତୁ ଟିକେଟ୍ ଆଶାରେ ଆସିଥିବା ଶଶୀ ପୂର୍ବରୁ ଅନେକ ବିବାଦ ଘେରରେ ଥିଲେ । ଚିଟଫଣ୍ଡ ସମ୍ପୃକ୍ତି ଅଭିଯୋଗରେ ସିବିଆଇ ସ୍କାନରରେ ଥିଲେ ଶଶୀ । ଆଉ ଜେରା ମଧ୍ୟ ହୋଇଥିଲେ, ଯାହା ତାଙ୍କ ଭାବ ମୂର୍ତ୍ତିକୁ ନଷ୍ଟ କରିଥିଲା । ବିଜେପି କୋଣଠେସା ହେବା ପରେ ପୁଣି ଥରେ ବିଜେଡିକୁ ଫେରିଛନ୍ତି ଶଶୀ ।