କନକ ବ୍ୟୁରୋ : ସାରୁଅ ଜମି ଦୁର୍ନୀତି ମାମଲାରେ ଓଟିଭି ପରିଚାଳନା ନିର୍ଦ୍ଦେଶିକା ଜାଗୀ ମଙ୍ଗତ ପଣ୍ଡା ଏବଂ ବୈଜୟନ୍ତ ପଣ୍ଡାଙ୍କୁ ଅନ୍ତରୀଣ ଜାମିନ ନମିଳିବା ପରେ ଉଭୟଙ୍କର ଅଡୁଆ ବଢିଯାଇଛି । ନିଜ ରାୟରେ ହାଇକୋର୍ଟ କହିଛନ୍ତି, ସାରୁଅ ଜମି ଦୁର୍ନୀତି ମାମଲା ରାଜନୈତିକ ପ୍ରତିଶୋଧ ପରାୟଣତାର ଅଂଶବିଶେଷ ନୁହେଁ । ପିଟିସନରଙ୍କ ଓକିଲଙ୍କ ପକ୍ଷରୁ ଯେଉଁ ସବୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା, ତାହା ପ୍ରମାଣିତ ହୋଇପାରିଲା ନାହିଁ । ଶାସକ ଦଳର ଏଥିରେ କୌଣସି ସଂପୃକ୍ତି ଥିବା ଯୁକ୍ତିକୁ ହାଇକୋର୍ଟ ଖାରଜ କରିଥିବା ବେଳେ ଜାଗୀ ମଙ୍ଗତ ପଣ୍ଡାଙ୍କ ତରଫରୁ ଜାରି କରାଯାଇଥିବା ପ୍ରେସ ରିଲିଜରେ କୁହାଯାଇଛି, ରାଜ୍ୟ ସରକାରଙ୍କ ବ୍ୟକ୍ତିଗତ ଆକ୍ରୋଶ ପାଇଁ ଓଟିଭି ବିରୁଦ୍ଧରେ ୨୦ରୁ ଅଧିକ ମାମଲା ହୋଇଛି ।
ଜାଗୀ-ବୈଜୟନ୍ତ ମାମଲା ଉପରେ କଣ କହିଲେ ହାଇକୋର୍ଟ ? ସାରୁଅ ଜମି ପ୍ରସଙ୍ଗରେ ବଢିଲା କି ଉଭୟଙ୍କର ଅଡୁଆ ? ସାରୁଅ ଜମି ଦୁର୍ନୀତି ମାମଲାରେ କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧିକ ଶାଖା ପକ୍ଷରୁ ଦାୟର ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରିଦେବା ସହ ଉଭୟଙ୍କ ଆଗୁଆ ଜାମିନ ମଧ୍ୟ ନାକଚ କରି ଦେଇଥିଲେ । ରାୟ ଶୁଣାଇବା ବେଳେ କୋର୍ଟ କହିଛନ୍ତି,
- ରାଗ ରଖି, ଗୁପ୍ତ ଅଭିପ୍ରାୟରେ ଶାସକ ଦଳର ଇଚ୍ଛା ଅନୁସାରେ ମାମଲା ଦାୟର ହୋଇଥିବା ନେଇ ଯେଉଁ ଯୁକ୍ତି ପିଟିସନରଙ୍କ ପକ୍ଷରୁ ଦର୍ଶାଯାଇଥିଲା, ତାକୁ ପ୍ରମାଣିତ କରିବା ପାଇଁ କୌଣସି ତଥ୍ୟ ଉପସ୍ଥାପନ କରାଯାଇପାରିଲା ନାହିଁ
- କମ୍ପାନୀ ଏବଂ ଏହାର ଅଧିକାରୀଙ୍କ ବିରୁଦ୍ଧରେ ଏକାଧିକ ମାମଲା ରୁଜ୍ଜୁ ହୋଇଥିବା ଯୁକ୍ତିକୁ ଭିନ୍ନ ଭିନ୍ନ ଭାବରେ ବିଚାର କରିବାର ଆବଶ୍ୟକତା ରହୁଛି
- ତେଣୁ ଶାସକ ଦଳର ଇଙ୍ଗିତରେ ଏଭଳି ମାମଲା ଦାୟର ହୋଇଥିବା ଯୁକ୍ତିକୁ ଖାରଜ କରିବାର ଆବଶ୍ୟକତା ରହୁଛି
- ଇଓଡବ୍ଲ୍ୟୁ ପକ୍ଷରୁ ବେନାମୀ ଟ୍ରାନଜାକ୍ସନ ଉପରେ ତଦନ୍ତ କରିବାକୁ ଆୟକର ବିଭାଗକୁ କୁହାଯାଇଛି, ମୂଳ ମାମଲାର ତଦନ୍ତ କ୍ରାଇମବ୍ରାଂଚ ପକ୍ଷରୁ ଜାରି ରହିପାରିବ
ହାଇକୋର୍ଟଙ୍କ ରାୟରୁ ଗୋଟିଏ ଦିଗ ସ୍ପଷ୍ଟ, ସାରୁଅ ଜମି ଦୁର୍ନୀତି ମାମଲା ରାଜନୈତିକ ପ୍ରତିଶୋଧ ପରାୟଣତାର ଅଂଶବିଶେଷ ନୁହେଁ । ତେଣୁ ଏହାକୁ ରାଜନୈତିକ ଦୃଷ୍ଟିରେ ଦେଖାଯାଇ ପାରିବ ନାହିଁ । ବଡ କଥା ହେଉଛି ମାମଲା ପ୍ରଥମେ ଯେତେବେଳେ ହାଇକୋର୍ଟ ଯାଇଥିଲା ଆଉ ଶୁଣାଣି ଶେଷ ହେବା ଭିତରେ କଂପାନୀର ଜଣେ ନିର୍ଦ୍ଦେଶକ ଏବଂ ଜଣେ କର୍ମଚାରୀ ନିଜ ନିଜ ପଦରୁ ଇସ୍ତଫା ଦେଇ ସାରିଥିବାରୁ ମାମଲାରେ ଆଉ ତାଙ୍କର ବିଶେଷ କିଛି ଭୂମିକା ନଥିଲା ।
ମାମଲା ଖାରଜ ହେଲା, ଆଗକୁ କଣ ? ସାରୁଅ ମାମଲାରେ କଣ ରହିବ ଜାଗୀ-ବୈଜୟନ୍ତଙ୍କ ଆଭିମୁଖ୍ୟ ? ଏହାରି ଭିତରେ ଓଟିଭି ପରିଚାଳନା ନିର୍ଦ୍ଦେଶିକା ଜାଗୀ ମଙ୍ଗତ ପଣ୍ଡା ଏକ ପ୍ରେସ ରିଲିଜ ଜାରି କରି କହିଛନ୍ତି,
- ରାଜ୍ୟ ସରକାରଙ୍କ ବ୍ୟକ୍ତିଗତ ଆକ୍ରୋଶ ପାଇଁ ଓଟିଭି ବିରୁଦ୍ଧରେ ୨୦ରୁ ଅଧିକ ମାମଲା ହୋଇଛି
- ଦୁର୍ନୀତି ବିରୁଦ୍ଧରେ ମୁହଁ ଖୋଲିବା ଆଉ ପରେ ବୈଜୟନ୍ତ ବିଜେପିରେ ମିଶିବା ପରେ ଅନୁଷ୍ଠାନ ଓ ପରିବାର ସଦସ୍ୟଙ୍କୁ ଟାର୍ଗେଟ କରାଯାଉଛି
- ସମସ୍ତ ମାମଲାରେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବୁ
- ଜାତୀୟ ଏଜେନସୀ ଦ୍ୱାରା ତଦନ୍ତ କରିବାର ଆବଶ୍ୟକତା ରହୁଛି
ପୂର୍ବରୁ ମାମଲାର ଶୁଣାଣି ବେଳେ ପିଟିସନରଙ୍କ ଓକିଲ କହିଥିଲେ,
- କୋଭିଡ ହସ୍ପିଟାଲର ଅଭିଜ୍ଞତା ସଂକ୍ରାନ୍ତୀୟ ଏକ ଅଡିଓ ଟେପ୍ ଓଟିଭିରେ ପ୍ରସାରଣ କରାଯାଇଥିବାରୁ ରାଗ ରଖି ଏଫଆଇଆର କରାଯାଇଥିଲା
ରବି ସେଠୀଙ୍କ ପକ୍ଷରୁ ଓକିଲ ଯୁକ୍ତି ଦର୍ଶାଇଥିଲେ
- ନିଜର ପ୍ରଭାବଶାଳୀ ଭୂମିକାକୁ ଉପସ୍ଥାପନ କରି ଅନୁସୁଚିତ ଜାତି ବର୍ଗର ଲୋକଙ୍କୁ ଠକି ଜମି କାରବାର କରାଯାଇଥିଲା
ଖାଲି ଏତିକି ନୁହେଁ
- କଂପାନୀରେ ବାକି ରହିଥିବା ଟଙ୍କାକୁ ବାହାନା କରି ରବି ସେଠୀଙ୍କ ଠାରୁ ବହୁ କାଗଜରେ ଦସ୍ତଖତ କରାଯାଇଥିବା ନେଇ ଯୁକ୍ତି ରଖାଯାଇଥିଲା
ମାମଲା ଖାରଜ ପାଇଁ ହୋଇଥିବା ଆବେଦନ ରଦ୍ଦ ହେବା ଏବଂ ଅନ୍ତରୀଣ ଜାମିନ ଦେବାକୁ କୋର୍ଟ ମନା କରିବା ପରେ ତଦନ୍ତକାରୀ ସଂସ୍ଥା ପରବର୍ତ୍ତୀ ପଦକ୍ଷେପ ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି ।