କନକ ବ୍ୟୁରୋ : ଖୋର୍ଦ୍ଧା ସାରୁଅ ଜମି ଦୁର୍ନତି ମାମଲାରେ କ୍ରାଇମବ୍ରାଞ୍ଚ ଓଟିଭର ସିଏଫଓ ତଥା ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀଙ୍କୁ ଗିରଫ କରିଛି । ଅଧିକ ପଚରାଉଚରା ପାଇଁ ତାଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି ତଦନ୍ତକାରୀ ଏଜେନ୍ସି । ମନୋରଂଜନ ଷଡଙ୍ଗୀଙ୍କ ବିରୋଧରେ ବିଭିନ୍ନ ଦଫା ଲଗାଯାଇଛି । ତେବେ କିଭିଳି ହୋଇଥିଲା ସାରୁଅ ଜମି ଦୁର୍ନୀତି ସେ ନେଇ ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି ।
ମିଳିଥିବା ସୂଚନା ଅନୁସାରେ,୨୦୧୦ ମସିହାରେ ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ପଦରୁ ଓଟିଭି ଏମଡି ଜାଗିମଙ୍ଗତ ପଣ୍ଡା ଇସ୍ତଫା ଦେବା ପରେ ମନୋରଞ୍ଜନ ଷଡଙ୍ଗୀ ଓ ବିଭୁ ରଥଙ୍କୁ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଥିଲା । ଏହାପରେ ଜୁନ ୨୦୧୦ଠାରୁ ସଂପୃକ୍ତ କମ୍ପାନୀ ଖୋର୍ଧାର ସାରୁଅରେ ଜମି କିଣିବା ପ୍ରକ୍ରିୟା ଆରମ୍ଭ କରିଥିଲା । ସେଠାରେ ଥିବା କିଛି ଅନୁସଚିତ ଜାତିଙ୍କ ଜମି କିଣିଥିଲା କମ୍ପାନୀ । ଆଇନ ଅନୁସାରେ, ଅନୁସୂଚିତ ଜାତି ଓ ଜନଜାତିଙ୍କ ବ୍ୟକ୍ତିଙ୍କ ନାଁରେ ଥିବା କୌଣସି ଜମିକୁ ଏକ ସାଧାରଣ ବର୍ଗର ବ୍ୟକ୍ତି କିଣିପାରିବ ନାହିଁ । ଆଉ କିଣାବିକା ହେଲେ ସଂପୃକ୍ତ ଜାତି ଓ ଜନଜାତି ଯେଭଳି ଭୂମିହୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ରଖାଯିବା ଜରୁରୀ ।
ତେବେ ୨୦୧୦ରୁ ୨୦୧୩ ମଧ୍ୟରେ ଏହି ଜମିକୁ ଶାଗମାଛ ଦରରେ କିଣାଯାଇଥିଲା । ଆଉ କମ୍ପାନୀର ଜଣେ ନିର୍ଦ୍ଦେଶକଙ୍କଠାରେ ଜଣେ ଡ୍ରାଇଭର ଥିବା ରବି ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଏହାକୁ କିଣାଯାଇଥିଲା । କିନ୍ତୁ ଜମିର ମାଲିକାନା ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ନାଁରେ କରାଯାଇଥିଲା । ରବିଙ୍କ ବୟାନ ଅନୁସାରେ, ତାଙ୍କ ଅଜାଣତରେ ବିଭିନ୍ନ କାଗଜପତ୍ରରେଦସ୍ତଖତ ନିଆଯାଇଥିଲା । ସେଲଡିଡରେ ଜମିର ମୂଲ୍ୟ ୬୫ ଲକ୍ଷ ଦର୍ଶାଯାଇଥିବାବେଳେ ତାଙ୍କୁ ୨ରୁ ୩ ଲକ୍ଷ ଦିଆଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା ।
କିନ୍ତୁ ତାଙ୍କୁ ଗୋଟିଏ ଟଙ୍କା ବି ଦିଆଯାଇନଥିବା ଅଭିଯୋଗ ଆଣିଛନ୍ତି ରବି ସେଠୀ । ଦସ୍ତଖତ ନ କଲେ ଚାକିରୀରୁ ବହିଷ୍କାର କରିବା ପାଇଁ ଧମକ ଦିଆଯାଇଥିଲା ଓ ଭୟଭୀତ ବି କରାଯାଇଥିଲା । ତେଣୁ ଚାକିରୀ ବହିଷ୍କାର ଭୟରେ ସେ ଦସ୍ତଖତ କରିଥିବା ରବି ତାଙ୍କ ବୟାନରେ କହିଛନ୍ତି । ଏହା ସିଧାସଳଖ ଠକେଇ ଓ ଦୁର୍ନୀତି ବୋଲି ତଦନ୍ତ ବେଳେ କ୍ରାଇମବ୍ରାଂଚ ଜାଣିବାକୁ ପାଇଛି । ଏ ନେଇ ରବି ସେଠୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଜମି ଦୁର୍ନୀତି ମାମଲାରେ କ୍ରାଇମବ୍ରାଂଚ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ପ୍ରାୟ ୧୫ ଦିନ ଧରି ତଦନ୍ତ କରିବା ପରେ କ୍ରାଇମବ୍ରାଂଚ ସାରୁଅ ଜମି ଜାଲିଆତିର ପର୍ଦ୍ଦାଫାସ କରିଛି ।