କର୍ମଚାରୀଙ୍କ ମୁଣ୍ଡରେ ଦୋଷ ଦେଇ ଜାମିନ ପାଇବାକୁ ଜାଗୀ-ବୈଜୟନ୍ତ କରୁଛନ୍ତି କି ଉଦ୍ୟମ ? ସାରୁଅ ଜମି କେଳେଙ୍କାରୀ ମାମଲାରେ ନୂଆ ଫର୍ଦ୍ଦ ।

411

କନକ ବ୍ୟୁରୋ : ସାରୁଅ ଜମି ଦୁର୍ନୀତି ଅଭିଯୋଗ ମାମଲାରେ ନିଜ ଉପରୁ ଦୋଷ ଖସାଇଲେ ଓଟିଭି ଏମଡି ଜାଗୀ ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା । ଏ ନେଇ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରି ଉଭୟ ପିଟିସନ ଦାଖଲ କରିଛନ୍ତି । ଏଥିରେ ସେମାନେ ଓଡିଶା ଇନଫ୍ରାଟେକର ତତକାଳୀନ ନିର୍ଦ୍ଦେଶକ ବିଭୁ ରଥ ଓ ମନୋରଞ୍ଜନ ଷଡଙ୍ଗୀଙ୍କ ଉପରେ ଦୋଷ ଲଦିଛନ୍ତି । ପିଟିସନରେ କୁହାଯାଇଛି, ଏମାନେ ଓଡିଶା ଇନଫ୍ରାଟେକର ଦୈନିନ୍ଦିକ କାମ ବୁଝୁଥିଲେ । ଏଥିରେ ସେମାନଙ୍କର କୌଣସି ଭୂମିକା ନଥିଲା ।

ଦୋଷ ଛଡାଉଛନ୍ତି ଜାଗୀ-ବୈଜୟନ୍ତ ! ସାରୁଅ ଜମି କେଳେଙ୍କାରୀ ମାମଲାରେ ନୂଆ ଫର୍ଦ୍ଦ । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରି ପୁଣି ପିଟିସନ ଫାଇଲ କରିଛନ୍ତି ଓଟିଭି ଏମଡି ଜାଗୀ ମଙ୍ଗତ ପଣ୍ଡା ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ପିଟିସନରେ ଦର୍ଶଯାଇଛି,
– ବୈଜୟନ୍ତ ପଣ୍ଡା କେବେ ମଧ୍ୟ ଓଡିଶା ଇନଫ୍ରାଟେକର ନିର୍ଦ୍ଦେଶକ ନଥିଲେ
– କମ୍ପାନୀର ପରିଚାଳନାରେ କେବେ ମଧ୍ୟ ଭାଗିଦାରୀ ନଥିଲେ
– ଜାଗୀ ମଙ୍ଗତ ପଣ୍ଡା ୨୦୦୮ ରୁ ୨୦୧୦ ଯାଏଁ କମ୍ପାନୀର ନିର୍ଦ୍ଦେଶକ ଥିଲେ
– ବିଭୁ ରଥ ଏବଂ ମନୋରଂଜନ ଷଡଙ୍ଗୀ କମ୍ପାନୀର ପରିଚାଳନା କଥା ବୁଝୁଥିଲେ
– ଓଡିଶା ଇନଫ୍ରାଟେକର ଦୈନନ୍ଦିନ କାର୍ଯ୍ୟ ବିଭୁ, ମନୋରଂଜନଙ୍କ ଉପରେ ନ୍ୟସ୍ତ ଥିଲା
– ରବି ସେଠୀ ବିଭୁ ରଥଙ୍କର ଡ୍ରାଇଭର ଭାବେ ନିଯୁକ୍ତ ଥିଲେ

କିଛି ଏଭଳି ଯୁକ୍ତି ଦର୍ଶାଇ ଜାଗୀ ପଣ୍ଡା ଓ ବୈଜୟନ୍ତ ନିଜକୁ ଓଡିଶା ଇନଫ୍ରାଟେକରୁ ଦୂରେଇ ନେବାକୁ ଚେଷ୍ଟା କରିଛନ୍ତି । ସାରୁଅରେ ୨୨ ଜଣ ଆଦିବାସୀ ଲୋକଙ୍କ ଠାରୁ ଜମି କିଣାବିକାରେ ହୋଇଥିବା ଚଂଚକତାରେ କୌଣସି ଭୂମିକା ନଥିବା ଦର୍ଶାଇ ଆଗୁଆ ଜାମିନ ପାଇବାକୁ ଉଦ୍ୟମ କରିଛନ୍ତି ।

ବଡ କଥା ହେଉଛି, ଓଡିଶା ଇନଫ୍ରାଟେକର ସର୍ବାଧିକ ସେୟାର ହୋଲଡର ହେଉଛନ୍ତି ବୈଜୟନ୍ତ ଓ ଜାଗୀ ପଣ୍ଡା । ଏଥିସହ ପଣ୍ଡା ଇନଭେଷ୍ଟମେଂଟର ମଧ୍ୟ ଏଥିରେ ସେୟାର ରହିଛି, ଯାହାର ମାଲିକାନା ଅଛି ବିଜେପି ନେତା ବୈଜୟନ୍ତଙ୍କ ହାତରେ ।
ଗୁରୁତ୍ୱପୁର୍ଣ୍ଣ କଥା ହେଉଛି, ଜାଗୀ ପଣ୍ଡା ୨୦୧୦ରେ ଇସ୍ତଫା ଦେବା ପରେ ବିଭୁ ରଥ ଓଡିଶା ଇନଫ୍ରାଟେକର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଲେ । ଆଉ ଏହା ପରେ ହିଁ ସାରୁଅରେ ଜମି କିଣିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୨୦୧୦ରୁ ୨୦୧୩ ମଧ୍ୟରେ ହୋଇଥିଲା ସମସ୍ତ କାରସାଦି । ବାସ୍ ଏହାକୁ ଆୟୁଧ କରି ଚଂଚକତାର ପୁରା ଅଧ୍ୟାୟରୁ ନିଜକୁ ଖସାଇଦେବାକୁ ଉଭୟ ଜାଗୀ ଓ ବୈଜୟନ୍ତ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି ।

ପ୍ରଶ୍ନ ଉଠୁଛି,
– କର୍ମଚାରୀଙ୍କ ମୁଣ୍ଡରେ ଦୋଷ ଦେଇ ଜାମିନ ପାଇବାକୁ ଜାଗୀ-ବୈଜୟନ୍ତ ଉଦ୍ୟମ କରୁଛନ୍ତି କି ?
– ଜମି କିଣିବାକୁ ରବୀ ସେଠୀଙ୍କୁ କିଏ ଦେଇଥିଲା ଟଙ୍କା ?
– ଓଡିଶା ଇନଫ୍ରାଟେକ ନାଁକୁ ଜମି ହସ୍ତାନ୍ତର ହେବା ବେଳେ ଟଙ୍କା କାରବାର ହୋଇଥିଲା କି ନାହିଁ ?
– କମ୍ପାନୀର ସେୟାର ହୋଲଡର ଭାବେ ଜାଗୀ-ବୈଜୟନ୍ତଙ୍କ କଣ ଭୂମିକା ଥିଲା ?
– କଳାଧନର ବ୍ୟବହାର ନେଇ କ୍ରାଇମବ୍ରାଞ୍ଚ ତଥ୍ୟ ଦେଇଥିବା ବେଳେ, ଏଦିଗରେ କମ୍ପାନୀ କର୍ତ୍ତୃପକ୍ଷ ଚୁପ କାହିଁକି ଅଛନ୍ତି ?

ପୂର୍ବରୁ ହାଇକୋର୍ଟ ସାରୁଅ ଜମି ଦୁର୍ନୀତି ମାମଲାରେ ଜାଗୀ-ବୈଜୟନ୍ତଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଦେଇଥିବାରୁ ଉଭୟଙ୍କ ଗିରଫଦାରୀର ଆଶଙ୍କା ବଢିଥିଲା । ପୁରା ପ୍ରକ୍ରିୟାରେ ବେଆଇନ ଟ୍ରାଞ୍ଜାକ୍ସନ ଏବଂ ଆଇନକୁ ଫାଙ୍କିବା ଭଳି ସାଂଘାତିକ ଅଭିଯୋଗରେ କ୍ରାଇମବ୍ରାଞ୍ଚ ତଦନ୍ତଭାର ନିଜ ହାତକୁ ନେଇଛି ।