ସିରିଏଲରେ ହିରୋଇନଙ୍କ ହାତରେ ସାପକୁ ନେଇ ଆରମ୍ଭ ହେଲା ବିବାଦ! ପଶୁ କଲ୍ୟାଣ ବୋର୍ଡକୁ ଚିଠି ଲେଖିଲେ ସ୍ନେକ ହେଲପ୍ ଲାଇନ୍ ସଦସ୍ୟ

110

କନକ ବ୍ୟୁରୋ : ସିରିଏଲ୍ ହିରୋଇନଙ୍କ ହାତରେ ସାପ । ପ୍ଲାଷ୍ଟିକ୍ କିମ୍ବା ଖେଳନାର ସାପ ନୁହେଁ, ବରଂ ସତ ସତିକା ନାଗ ସାପ । ଜୀ-ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ତୋ ପାଇଁ ମୁଁ’ ଧାରାବାହିକରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ଯାହାକୁ ନେଇ ଉଠିଛି ଆପତି । ଏହି ଦୃଶ୍ୟକୁ ନେଇ ଭାରତୀୟ ପଶୁ କଲ୍ୟାଣ ବୋର୍ଡକୁ ଚିଠି ଲେଖି ଅଭିଯୋଗ କରିଛନ୍ତି ସ୍ନେକ୍ ହେଲ୍ପଲାଇନର ସଦସ୍ୟ ଶୁଭେନ୍ଦୁ ମଲ୍ଲିକ । ଅନ୍ୟପଟେ ଜୀ-ସାର୍ଥକ କର୍ତୃପକ୍ଷଙ୍କୁ ଏନେଇ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଦର୍ଶକଙ୍କୁ ମନୋରଂଜନର ଖୋରାକ୍ ଯୋଗାଇ ଦେବା ନାଁରେ ସରୀସୃପ ଜନ୍ତୁଙ୍କ ଜୀବନ ସହ କେଉଁ ଭଳି ଭାବରେ ଖେଳ ଖେଳାଯାଇପାରେ ଟିଭି ସିରିଏଲ୍ର ଏହି ଦୃଶ୍ୟ ହିଁ ପ୍ରମାଣ କରୁଛି । କେବଳ ସାପର ଜୀବନ ସହ ଖେଳ ଖେଳାଯାଉ ନାହିଁ, ବରଂ ଅଭିନୟ କରୁଥିବା ଅଭିନେତ୍ରୀଙ୍କ ଜୀବନକୁ ବି ବାଜି ଲାଗାଯାଉଛି ।

ଜୀ-ସାର୍ଥକରେ ପ୍ରସାରିତ ହେଉଥିବା ଧାରାବାହିକ- ‘ତୋ ପାଇଁ ମୁଁ’ର କିଛି ଦୃଶ୍ୟକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଯେଉଁଥିରେ ଅଭିନେତ୍ରୀ ଜଣକ ଶିବ ମନ୍ଦିର ଯାଇଥିବା ବେଳେ ହାତରେ ଗୁଡେଇ ହୋଇ ଯାଉଛି ଏକ ନାଗ ସାପ । ଯାହାକୁ ଜୋରରେ ଛାଟି ଦେବାର ପ୍ରୟାସ ବି କରୁଛନ୍ତି ଅଭିନେତ୍ରୀ । ଇଏ କୌଣସି ଖେଳନା ବା ପ୍ଲାଷ୍ଟିକ୍ ସାପ ନୁହେଁ ବରଂ ସତ ସତିକା ସାପ ।ଟିଭି ସିରିଏଲରେ ଏଭଳି ଜୀବନ୍ତ ସାପର ବ୍ୟବହାର ନେଇ ଆପତି ଉଠାଇଛନ୍ତି ସ୍ନେକ୍ ହେଲ୍ପଲାଇନର ସଦସ୍ୟ ଶୁଭେନ୍ଦୁ ମଲ୍ଲକି ।

ଟିଭି ସିରିଏଲରେ ଦେଖାଯାଇଥିବା ଏହି ଦୃଶ୍ୟକୁ ନେଇ ଭାରତୀୟ ପଶୁ କଲ୍ୟାଣ ବୋର୍ଡକୁ ଚିଠି ଲେଖି ଅଭିଯୋଗ କରିଛନ୍ତି ଶୁଭେନ୍ଦୁ ମଲ୍ଲିକ । ସାପକୁ ଢ଼ାଳ ଭାବରେ ବ୍ୟବହାର କରିବା ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ର ଉଲଂଘନ ବୋଲି ଦର୍ଶାଇଛନ୍ତି । ଏହା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଶୁଭେନ୍ଦୁ ମଲ୍ଲିକ ।
ଏବେ ପ୍ରଶ୍ନ ଉଠିଛି-
-ସତ ସତିକା ସାପ ବଦଳରେ ପ୍ଲାଷ୍ଟିକ୍ ସାପର ବ୍ୟବହାର ହୋଇ ପାରିଥାନ୍ତା ନା ନାହିଁ ?
-ଏହି ଦୃଶ୍ୟ ଉଭୟ ସାପ ଏବଂ ଅଭିନେତ୍ରୀଙ୍କ ଜୀବନକୁ ସଂକଟରେ ପକାଉଛି ନା ନାହିଁ ?