ଅଦୃଶ୍ୟ ଶତ୍ରୁ କରୋନା ସହ ଲଢ଼ିବାକୁ ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତି । ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଲେ ସରକାର, ଗାଁ ଗହଳିରେ ଭୂତାଣୁର ସଂକ୍ରମଣ ରୋକିବାକୁ ଗୁରୁତ୍ୱ ।

698

କନକ ବ୍ୟୁରୋ: କରୋନା ସହ ଓଡ଼ିଶା କରୁଥିବା ଯୁଦ୍ଧରେ ବିଜୟ ପାଇଁ ରାଜ୍ୟ ସରକାର ବଳିଷ୍ଠ ପଦକ୍ଷେପ ପରେ ପଦକ୍ଷେପ ନେଉଛନ୍ତି । ଓଡ଼ିଶାରେ କରୋନାର ବେଗ ମନ୍ଥର ଥିବା ସତ୍ୱେ ମଧ୍ୟ ରାଜ୍ୟ ସରକାର ଏହାକୁ ନେଇ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ତେଣୁ ତୃଣମୂଳସ୍ତରକୁ ଏହା ବ୍ୟାପିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ବଡ଼ ନିଷ୍ପତି ନେଇଛନ୍ତି । ବାହାର ରାଜ୍ୟରୁ ଯେଉଁମାନେ ଆସୁଛନ୍ତି ବା ଆସିବେ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ । ତେବେ ଏନେଇ ପ୍ରତି ପଞ୍ଚାୟତରେ ରେଜିଷ୍ଟ୍ରେସନ ସୁବିଧା ରଖାଯିବ ବୋଲି ଘୋଷଣା କରିଛନ୍ତି ନବୀନ ।

ଅନ୍ୟପଟେ କରୋନା ସମସ୍ୟାକୁ ଦୃଷ୍ଟିରେ ରଖି ମାନବିକତା ଦେଖାଇବାକୁ ପଡ଼ିବ । ତେଣୁ ଅନ୍ୟରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କ ପାଇଁ ରେଜିଷ୍ଟ୍ରେସନ୍ ବାଧ୍ୟତାମୂଳକ କରାଯାଇଛି । ପ୍ରତି ପଞ୍ଚାୟତରେ ଏହି ବ୍ୟବସ୍ଥା ଲାଗୁ ହୋଇଛି । ଫେରୁଥିବା ଲୋକଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟିନରେ ରଖାଯିବ । ତେବେ କୋଭିଡ୍-୧୯ ବିପର୍ଯ୍ୟୟ ଆଇନ୍ ମୁତାବକ ଏହି କାର୍ଯ୍ୟକୁ ତୁଲାଇବା ପାଇଁ ପ୍ରତି ପଞ୍ଚାୟତର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରି ଐତିହାସିକ ନିଷ୍ପତି ନେଇଛନ୍ତି ସରକାର । ଅସାଧାରଣ ପରିସ୍ଥିତିର ମୁକାବିଲା ପାଇଁ ସେମାନଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ଯେଉଁମାନଙ୍କ ୧୪ ଦିନିଆ କ୍ୱାରେଣ୍ଟାଇନ ପିରିୟଡ ଶେଷ ହେବ ତତକ୍ଷଣାତ ସେମାନଙ୍କୁ ୨ ହଜାର ଟଙ୍କା ସହାୟତା ରାଜ୍ୟ ସରକାରଙ୍କ ତରଫରୁ ଦିଆଯିବ ବୋଲି ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ନବୀନ । ତେବେ ଏନେଇ ରାଜ୍ୟର ସମସ୍ତ ପଞ୍ଚାୟତର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ ଭଳି କ୍ଷମତା ପ୍ରଦାନ କରାଯାଇଛି । ତେବେ କୋଭିଡ୍-୧୯ ମୁକାବିଲା ନିୟମାନୁସାରେ ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ଉଚିତ ସେବା ଯୋଗାଇ ଦେଇପାରିବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ନବୀନ କହିଛନ୍ତି ।

ତେବେ ଆମ ରାଜ୍ୟରେ ଅନ୍ୟ ରାଜ୍ୟର ୧ ଲକ୍ଷରୁ ଅଧିକ ଲୋକ ରହିଯାଇଛନ୍ତି ଏବଂ ସେମାନଙ୍କର ଯତ୍ନ ଆମେ ନେଉଛୁ । ସେହିଭଳି ଅନ୍ୟରାଜ୍ୟରେ ଓଡ଼ିଶାର ଲକ୍ଷ ଲକ୍ଷ ଭଭାଇ ଭଉଣୀ ରହି ଯାଇଛନ୍ତି ସେମାନଙ୍କ ଅବସ୍ଥା ମୋତେ ଦୁଃଖ ଦେଇଛି । କିନ୍ତୁ ସେମାନଙ୍କ ଯତ୍ନ ନେଇ ଆମ୍ଭେ ଅନ୍ୟରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ପ୍ରତିଦିନ ଆଲୋଚନା କରୁଛୁ । କଟକଣା ଉଠିବା ପରେ ଆମେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ସେମାନଙ୍କୁ ଓଡ଼ିଶାକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବୁ ।