ଏ ଏମିତି ଜଣେ ସରପଞ୍ଚ ଯିଏ ୫ ବର୍ଷରେ ୫ ଥର ଯାଇଛନ୍ତି ପଞ୍ଚାୟତ ଅଫିସ । କୁଡିଆରେ ରହୁଛନ୍ତି, ପୁଅ ଖଟୁଛନ୍ତି ଦାଦନ ।

447

କନକ ବ୍ୟୁରୋ: ଝାଟିମାଟି ଘରେ ସରପଞ୍ଚ । ପଂଚାୟତରେ କଣ ହେଉଛି, କେତେ କାମ ଆସୁଛି କେତେ ଟଙ୍କା ଅସୁଛି ସରପଂଚ ପାଖରେ ଖବର ନଥିବା ବେଳେ କେବଳ ନାମକୁ ମାତ୍ର ସରପଞ୍ଚ କରି ପଂଚାୟତ ଚଳାଉଛନ୍ତି ଅଫିସର । ସରପଞ୍ଚ ଙ୍କ ବିନା ଦସ୍ତଖତରେ ମଧ୍ୟ ହେଇଯାଉଛି ଉନ୍ନୟନ ମୂଳକ କାମର ବିଲ ।

ଝାଟିମାଟି ଘରେ ଠିଆ ହୋଇଥିବା ମହିଳା ଜଣକ ହେଉଛନ୍ତି ଜଣେ ସରପଞ୍ଚ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଦପାଲ୍ଲି ପଂଚାୟତର ସରପଞ୍ଚ ହେମ ନାୟକ । ବୟସ ପ୍ରାୟ ୬୦ । ଗତ ପଂଚାୟତ ନିର୍ବାଚନରେ ବାଦପଲ୍ଲୀ ପଂଚାୟତରେ ସରପଞ୍ଚ ପ୍ରାର୍ଥୀ ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ଏସି କୋଟାରେ ତାଙ୍କୁ ଅପ୍ରତିଦ୍ୱନ୍ଦି ଭାବେ ସରପଞ୍ଚ ନିର୍ବାଚିତ କରାଯାଇଛି । ସରପଞ୍ଚ ହେବାର ପାଂଚ ବର୍ଷରେ ମାତ୍ର ୫ ଥର ପଂଚାୟତ ଅଫିସ ଯାଇଥିବା ଏହି ମହିଳା ବ୍ଲକରେ ବର୍ତମାନ ବିଡିଓ କିଏ ଅଛନ୍ତି ତାହା ଜାଣି ନାହାନ୍ତି । ସରପଞ୍ଚ ହିସାବରେ ତାଙ୍କୁ କେତେ ଦରମା ମିଳୁଛି ତାହା ବି ଜଣାନାହିଁ । ପଂଚାୟତର ସବୁ ଉନ୍ନୟନ ମୂଳକ କାମ ପଂଚାୟତ କର୍ମଚାରୀ କରୁଥିବା ବେଳେ ସରପଞ୍ଚ ଙ୍କ ବିନା ଦସ୍ତଖତରେ ବି ବିଲ୍ କରାଯାଉଥିବା ଅଭିଯୋଗ ହୋଇଛି । ହେମଙ୍କୁ ନାମକୁ ମାତ୍ର ସରପଞ୍ଚ ତାଙ୍କ ପରିବାରକୁ ଡରାଇ ଧମକାଇ ସବୁ କାମ କରାଯାଉଥିବା ହେମଙ୍କ ପୁଅ ଅଭିଯୋଗ କରିଛନ୍ତି ।

ନାମକୁ ମାତ୍ର ସରପଞ୍ଚ ହୋଇଥିବା ହେମାଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ବାବଦରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବ । ଏଇ ଛୋଟିଆ ଘରେ ରହୁନ୍ତି ସରପଞ୍ଚ ହେମ, ତାଙ୍କ ସ୍ୱାମୀ, ଦୁଇ ପୁଅ ଓ ଦୁଇ ବୋହୂ । ମାଆ ସରପଞ୍ଚ ହୋଇଥିବା ବେଳେ ଦୁଇ ପୁଅ ଦାଦନ ଖଟନ୍ତି । ସ୍ଥିତି ଏପିର ଯେ, ପରିବାର ଓଳିଏ ଖାଇଲେ ଓଳିଏ ଉପବାସ ରୁହନ୍ତି । ଏଭଳି ସ୍ଥିତିରେ ସରପଂଚ ହେମ କିଛି ଜାଣୁନଥିବାରୁ ପଂଚାୟତରେ ଅଫିସର ରାଜ ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ହେମଙ୍କ ଅବସ୍ଥା ଦେଖିଲେ ଯେ କେହି ବି ଭାବିବାକୁ ବାଧ୍ୟ ହେବେ ସତରେ ଏଇ ମହିଳା କଣ ଜଣେ ସରପଞ୍ଚ । ଯାହାଙ୍କ ଅଜଣାତରେ ପଂଚାୟତରେ ସବୁ କାମ ହୁଏ । ତେବେ ସେ ଯାହାବି ହେଉ, ଜିଲ୍ଲା ପ୍ରସାଶନ ଏହାକୁ ଦୃଷ୍ଟି ଦେଇ ବାଦପାଲ୍ଲି ପଂଚାୟତରେ ହେଉଥିବା ଉନ୍ନୟନ ମୂଳକ କାମ ତଦାରଖ କରିବା ନିହାତି ଜରୁରୀ ।