କନକ ବ୍ୟୁରୋ: ଗାଁକୁ ରାସ୍ତା ନାହିଁ କି ବ୍ରିଜ ନାହିଁ । ନଦୀ ପାର ହେଲେ ମିଳୁଛି ଜୀବନ ଜୀବିକା । ନଦୀ ପାର ପାଇଁ ପଡ଼ୋଶୀଙ୍କ କାନ୍ଧ ଏକମାତ୍ର ଭରସା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜି୍ଲା ବନ୍ଧୁ ଗାଁ ବ୍ଲକର ଗତିପୁଟ ଗାଁରେ । ପ୍ରଶାସନ ଓ ନେତାଙ୍କ ପ୍ରତିଶ୍ରୁତିରେ ଅଟକିଛି ଗମନାଗମନ ସୁବିଧା । ଅସହାୟ ବୃଦ୍ଧାଙ୍କୁ ବୋହି ବୋହି ନଦୀ ପାର କରାଇଲେ ବନ୍ଧୁଗାଁର ମହିଳା ସରପଞ୍ଚ । କେହି ପଚାରିଲେ ନାହିଁ କି କେହି ଆସିଲେ ନାହିଁ । ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ନିଜେ ମହିଳା ସରପଞ୍ଚ ଓ ନିଜ ଭଉଣୀଙ୍କ ସହଯୋଗରେ ଝଞ୍ଜାବତୀ ନଦୀ ପାର କରାଇ ବନ୍ଧୁ ଗାଁ ବ୍ଲକରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ ।
ବୃଦ୍ଧା ମହିଳାଙ୍କ ୩ଟି ଝିଅ । ସବୁ ବାହା ହୋଇସାରିଛନ୍ତି । ଏକାକୀ ବୃଦ୍ଧ ମହିଳା ଜଣଙ୍କ ଗାଁ ମୁଣ୍ଡରେ ରହୁଥିଲେ । ବୃଦ୍ଧା ମହିଳାଙ୍କ ଦେହ ହାତ ଫୁଲିଗଲା କାମ କରିପାରିଲେ ନାହିଁ । ଜ୍ୱର ମାଡ଼ିବସିଲା ସହଯୋଗ କରିବାକୁ କେହି ଆସିଲେ ନାହିଁ । ଶେଷରେ ବନ୍ଧୁଗାଁ ବ୍ରକର ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ନିଜେ ବୃଦ୍ଧା ମହିଳାଙ୍କୁ ନିଜ ଭଉଣୀଙ୍କ ସହାୟତାରେ ଘରୁ ଟେକି ଟେକି ନଦୀ ପାର କରି ୨ କିଲୋମିଟର ଦୂରରେ ଥିବା ବନ୍ଦୁଗାଁ ମେଡିକାଲରେ ପହଞ୍ଚାଇ ଚିକିତ୍ସା କରାଉଛନ୍ତି । ବହୁ ବର୍ଷ ହେଲା ଏପରି ଦୟନୀୟ ଅବସ୍ଥାରେ ଚାଲିଛି ଗାଁଲୋକଙ୍କ ଜୀବନ ଜୀବିକା ।
Follow Us