କନକ ବ୍ୟୁରୋ: ପ୍ରକଳ୍ପ କରି ଅଡୁଆରେ ସରପଞ୍ଚ । ଆକ୍ସନ ପ୍ଲାନ ନଥିବାରୁ ହୋଇପାରୁନି ବିଲ୍ । ରାୟଗଡା ସଦର ବ୍ଳକ ପିତାମହଲ ପଚାଂୟତ ଲାଡା ଗାଁର ନୂଆସାହିରେ ସୋଲାର ଡୁଆଲ ପମ୍ପ ପ୍ରକଳ୍ପକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରକଳ୍ପର ବିଲ୍ ହୋଇପାରୁନଥିବାରୁ ନିର୍ମାଣକାରୀ ସଂସ୍ଥା ସ୍ଥାନୀୟ ସଂରପଂଚକୁ ଟଙ୍କା ମାଗୁଛି । ଆଉ ଏବେ ଅଡୁଆରେ ପଡିଛନ୍ତି ସରପଂଚ । ନୂଆସାହିରେ ପିଇବା ପାଣିକୁ ନେଇ ସମସ୍ୟା ରହିଥିଲା । ଗାଁ ଠାରୁ ୨ କିଲୋମିଟର ଜାତୀୟ ରାଜପଥ ସହ ରେଳ ଲାଇନ୍ ପାରି ହୋଇ ଲୋକେ ପାଣି ଆଣୁଥିଲେ । ଲୋକଙ୍କ ସେହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ସରପଂଚ ସୋଲାର ଡୁଆଲ ପମ୍ପ ବସାଇଛନ୍ତି । ଲୋକେ ସେଠାରୁ ପାଣି ନେଇ ଉପକୃତ ହେଉଥିବା ବେଳେ ପ୍ରକଳ୍ପ ବାବଦ ବିଲ୍ ଏଯାଏଁ ହୋଇପାରିନଥିବା ଅଭିଯୋଗ ହୋଇଛି ।

Advertisment

ସରପଞ୍ଚ ଟୁଟୁ ତାଡିଙ୍ଗି ୨୦୨୩-୨୪ ବର୍ଷର ଆକ୍ସନ ପାଳନ ପ୍ରସ୍ତୁତ ବେଳେ ଲାଡା ଓ ପିତାମହଲ ଗାଁରେ ସୋଲାର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ବିଡିଓଙ୍କୁ ଜଣାଇଥିଲେ । ହେଲେ ସରପଞ୍ଚ ଦେଇଥିବା ଗାଁ ଦୁଇଟିରେ ପ୍ରକଳ୍ପ ନକରି ଅନ୍ୟ ଦୁଇଟି ଗାଁରେ ପ୍ରକଳ୍ପ କରିବା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଥିଲା । ଯେଉଁ ଗାଁରେ ପ୍ରକଳ୍ପ ଅଛି ସେଇଠି ପୁଣି ପ୍ରକଳ୍ପ ପାଇଁ ଯୋଜନା ହୋଇଥିଲା । କିନ୍ତୁ ସରପଞ୍ଚ ଗ୍ରାମସଭା ଜରିଆରେ ନୂଆସାହିରେ ସୋଲାର ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ପାରିତ କରି ସଭାର ରେଜୋଲେସନ କପି ବିଡିଓଙ୍କୁ ପ୍ରଦାନ କରିଥିଲେ । ପରେ ଲାଡା ନୂଆସାହିରେ ସିଏଫ୍ସି ୨ ଲକ୍ଷ ୮୬ ହଜାର ଅନୁଦାନରେ ଡୁଆଲ ସୋଲାର ପମ୍ପ ନିର୍ମାଣ କରାଇଥିଲେ । ଯାହା ଆଜି ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ପ୍ରକଳ୍ପରୁ ପାଣି ପାଇ ଲୋକଙ୍କ ଶୋଷ ମେଂଟୁଥିବା ବେଳେ ସରକାରୀ ନିୟମର ଦ୍ୱାହି ଦେଇ ପ୍ରକଳ୍ପ ବାବଦର ଅର୍ଥ ଦେଉନାହାନ୍ତି ବିଭାଗୀୟ ଅଧିକାରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ । ସେପଟେ ସରକାରୀ ସ୍ତରରେ ବିଲ୍ ହେଉନଥିବାରୁ କାମ ବାବଦ ଟଙ୍କା ସରପଂଚଙ୍କୁ ମାଗୁଛନ୍ତି ପ୍ରକଳ୍ପ କରିଥିବା ସଂସ୍ଥା ।

ଅନ୍ୟପଟେ ମାପଚୁପ କରି ଯଥାଶୀଘ୍ର ବିଲ କରାନଯାଏ ତାହା ହେଲେ ଆଗାମୀ ଦିନରେ ନୂଆସାହି ଗ୍ରାମବାସୀ ବ୍ଳକ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି । ଲୋକଙ୍କ ଅଭିଯୋଗର ସତ୍ୟାସତ ଜାଣିବା ପାଇଁ ବ୍ଳକ କାର୍ଯ୍ୟାଳୟରେ ବିଡିଓଙ୍କ ଠାରୁ ଆରମ୍ଭ କରି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ମଧ୍ୟ ସେମାନେ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।