ରାଜନୀତିରେ ରୋଚକ ଦୃଶ୍ୟ । ସରପଞ୍ଚ ପ୍ରାର୍ଥିନୀ ନେଲେ ଶପଥ । କହିଲେ, ମତେ ଜିତାଇଲେ ମୁଁ ବାହା ହେବିନି

194

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ଦୁଲୁକୁଛି ଗାଁ ଦାଣ୍ଡ । ଭୋଟରଙ୍କୁ ମନେଇବାକୁ ପ୍ରାର୍ଥୀ ଆପଣାଇଛନ୍ତି ନିଜସ୍ୱ ରଣନୀତି । କିଏ କହୁଛି ମୁଁ ଗାଁର ଝିଅ, ସରପଞ୍ଚ ହେଲେ ବିବାହ କରିବିନି ବୋଲି କହିଛନ୍ତି । ତ ଆଉ କେଉଁଠି ପ୍ରାର୍ଥୀ ସ୍କୁଟିରେ ନିଜର ପୋଷ୍ଟର ଲଗାଇ କରୁଛନ୍ତି ପ୍ରଚାର ।

‘ମତେ ଜିତାଇଲେ ମୁଁ ବାହା ହେବିନି’

ପଞ୍ଚାୟତ ନିର୍ବାଚନ ପାଇଁ ଦୁଲୁୁକୁଛି ଗାଁ ଦାଣ୍ଡ । ଘରକୁ ଘର ବୁଲି ପ୍ରଚାର କରିବା ବେଳେ ଜଣେ ଯୁବ ମହିଳା ପ୍ରାର୍ଥୀଙ୍କୁ କାହିଁକି ଭୋଟ୍ ଦେବେ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ଇନ୍ଦଳା ପଞ୍ଚାୟତର ଲୋକେ । ପଞ୍ଚାୟତରେ ୩ ଜଣ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । କାହିଁକି ୨୨ ବର୍ଷୀୟ ଲାବଣ୍ୟ ମଲ୍ଲିକଙ୍କୁ ଗାଁ ଲୋକେ ଭୋଟ୍ ଦେବେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । କାରଣ ଲାବଣ୍ୟ ସରପଞ୍ଚ ହେବା ପରେ ବିବାହ କରି ଶାଶୂ ଘରକୁ ପଳାଇଲେ କେମିତି ହେବ ଗାଁର ବିକାଶ ବୋଲି ପ୍ରଶ୍ନ କରିଛନ୍ତି ଲୋକେ । ଆଉ ଭୋଟରଙ୍କ ବିଶ୍ୱାସ ଜିତିବା ପାଇଁ ଗାଁରେ ଠାକୁରଙ୍କ ଆଗରେ ଶପଥ କରିଛନ୍ତି ସରପଞ୍ଚ ପ୍ରାର୍ଥିନୀ । କହିଛନ୍ତି ସେ ଜିତିଲେ ୫ ବର୍ଷ ପାଇଁ ବାହା ହେବେନି ।

ସେହିପରି ପ୍ରଚାର ପାଇଁ ପ୍ରାର୍ଥୀ ବିଭିନ୍ନ ଗୀତ ରେକର୍ଡିଂ କରୁଥିବା ବେଳେ ପୁରୀ ଜିଲ୍ଲା ଗୋପ ବ୍ଲକର ଇସାଣପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଭଜନ ସଙ୍କୀର୍ତ୍ତନ କରି ଦୁଇ ମହିଳା ପ୍ରାର୍ଥୀ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ କଟକ ଜିଲ୍ଲା ବାରଙ୍ଗ ବ୍ଲକ୍ କୁରାନଗ ଶାସନ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ କୁମାର ସିହ୍ନା । ସେ ସ୍କୁୁଟିରେ ବୁଲି ପ୍ରଚାର କରୁଛନ୍ତି । ନିଜ ସ୍କୁଟିରେ ପୋଷ୍ଟର ଲଗାଇବା ସହିତ ଗାଡି ପଛରେ ଅଭିଯୋଗ ବାକ୍ସ ରଖି ପ୍ରଚାର କରୁଛନ୍ତି । ଏପରି ନିଆରା ଶୈ÷ଳୀ ଆପଣାଇବାର କାରଣ କହିଛନ୍ତି ତାଙ୍କ ପାଖରେ ନାହିଁ ଅର୍ଥ ।