ପୁଣି ବଢିଲା ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆଙ୍କ ଅଡୁଆ । ୨୦୦ ଭୋଟ ପାଇଁ ୪ ଲକ୍ଷ ଟଙ୍କା ଦେଇଥିବା କହିଲେ ମନ୍ଦିର ପୂଜକ ।

211

କନକ ବ୍ୟୁରୋ: ବଲାଙ୍ଗୀର ବିଲେଇସର୍ଡା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆଙ୍କ ଅଡୁଆ ବଢିଛି । ୨ଶହ ଭୋଟ୍ ପାଇଁ ୪ଲକ୍ଷ ଟଙ୍କାର କାରବାର ହୋଇଥିବା ମିଳିଛି ପ୍ରମାଣ । ଘଟଣାରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ମଧ୍ୟ ଏନେଇ ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ । ପୂର୍ବରୁ ସରପଞ୍ଚ ପଦ ନିଲାମ କରିବା ପାଇଁ ଉଦ୍ୟମ ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଅପରପକ୍ଷରେ କଳାହାଣ୍ଡିରେ ମଧ୍ୟ ସରପଞ୍ଚ ପ୍ରାର୍ଥୀ ଲୋଭନୀୟ ଲଟେରୀ ଟିକେଟ ବାଣ୍ଟି ଭୋଟ୍ ହାତେଇବାକୁ ଉଦ୍ୟମ କରୁଥିଲେ ।

ବଲାଙ୍ଗୀର ଜିଲ୍ଲା କସୁରପାଲି ଗାଁର ପାଟଣେଶ୍ୱରୀ ମନ୍ଦିର ପୂଜକ ଚକ୍ରଧର ପଣ୍ଡାଙ୍କ ସ୍ୱୀକାରୋକ୍ତି ଏବେ ଚର୍ଚ୍ଚା ସୃଷ୍ଟି କରିଛି । ୨୦୦ ଭୋଟ ପାଇଁ ମନ୍ଦିର କମିଟିକୁ ବିଲେଇସର୍ଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ ୪ ଲକ୍ଷ ଟଙ୍କା ଦେଇଥିବା କହିଛନ୍ତି ଚକ୍ରଧର । ଆଉ ଯାହାକୁ ନେଇ ଏବେ ସୁଶାନ୍ତଙ୍କ ବିରୋଧରେ ଏତଲା ପାଇଁ ବିଡିଓଙ୍କୁ ସୁପାରିଶ କରିଛନ୍ତି ଜିଲ୍ଲାପାଳ ।

ପୁଇଁତଳା ବ୍ଲକ ବିଲେଇସର୍ଡା ପଞ୍ଚାୟତର ସରପଞ୍ଚ ପଦବୀ ଗାଁର ଜଗନ୍ନାଥ ମନ୍ଦିର ପୂଜା କମିଟି ବୈଠକରେ ନିଲାମ ହୋଇଥିବା ଅଭିଯୋଗ ହୋଇଥିଲା । ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିୟା ୪୪ ହଜାର ଟଙ୍କାରେ ନିଲାମ ଜିତିଥିଲେ । ଆଉ ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ ।

ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ବିଳାସିନୀ ଶର୍ମା ସୁଶାନ୍ତଙ୍କ ବିରୁଦ୍ଧରେ ପ୍ରଶାସନକୁ ଦେଇଥିବା ପ୍ରମାଣକୁ ଜବତ କରି ତଦନ୍ତ ଆଗେଇବ ବୋଲି ଜଣାପଡିଛି । ଏପଟେ ସାମାଜିକ କର୍ମୀ ବିରେନ୍ଦ୍ର କୁମାର ପଣ୍ଡା ମଧ୍ୟ ଏହି ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଅନ୍ୟପଟେ ପ୍ରଚାର ବେଳେ ପ୍ରାର୍ଥୀ ବାଣ୍ଟୁଛନ୍ତି ଲଟେରୀ ଟିକେଟ । ଏଥିରେ ସୁନା, ରୂପା, ଫ୍ରିଜ, ୱାସିଂ ମେସିନଠାରୁ ଆରମ୍ଭ କରି ଖେଳ ସାମଗ୍ରୀ ପର୍ଯ୍ୟନ୍ତ ୧୦ ପ୍ରକାରର ୧୨୦୦ ପୁରସ୍କାର ଜିତିବାର ସୁଯୋଗ ରହିଛି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଏମିତି ଲୋଭନୀୟ ଅଫର ଦେଇ ଟିକେଟ ବାଣ୍ଟିଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କୁହୁରା ଗ୍ରାମ ପଞ୍ଚାୟତ ପ୍ରାର୍ଥିନୀ ସସ୍ମିତା ନାଏକ । ଯଦି ସେ ନିର୍ବାଚନ ଜିତନ୍ତି ତେବେ ଆସନ୍ତା ମାସରେ ଲଟେରୀ ଉଠାଣ କରି ଭୋଟରଙ୍କୁ ପୁରସ୍କାର ଦେବାକୁ ଆଶ୍ୱାସନା ଦେଇଛନ୍ତି, ଯାହା ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି କରିଛି ।