କିଏ ଡାକେ ଜୋକର ତ କିଏ କହେ ନାଟୁଆ… ଲୋକଙ୍କୁ ହସେଇ ନପାରିଲେ ପାଉଣା ମିଳେନା…

399

କନକ ବ୍ୟୁରୋ: ସନ୍ଧ୍ୟା ଆସେ, ସିଏ ସଜେଇ ହୁଅନ୍ତି । ଆଖିରେ କଜଳ, ଓଠରେ ନାଲି ରଙ୍ଗ ଓ ନାକ ତଳେ କୁନି ନିଶ । ମୁଣ୍ଡରେ ନାଲି ଟୋପି ଓ ମୁଁହରେ କୌତୁକିଆ ଭଙ୍ଗୀ ଦେଖାଇ ସେ ସମସ୍ତଙ୍କୁ ହସାନ୍ତି । କିଛି ଦେଖିକି ତାଙ୍କୁ ହସନ୍ତି, କିଛି ତାଙ୍କ ସହ ସେଲ୍ଫି ଉଠାନ୍ତି, କିଏ ପୁଣି କମେଣ୍ଟ ମାରି ଚାଲିଯାନ୍ତି । ଓଡ଼ିଶାର ଯେଉଁଠି ଯେଉଁଠି ମେଳା ପଡେ ସାଙ୍ଗରେ କିଛି ରଙ୍ଗ, ନକଲି ନିଶ, ଖଣ୍ଡିଏ ବାଡ଼ି ଓ ଦର୍ଶକଙ୍କ ପାଇଁ ହସର ଗଣ୍ଠିଲି ନେଇ ସେ ଯାଆନ୍ତି । ତାଙ୍କ ନାଁ ସରୋଜ ସାହୁ, ବରଗଡ଼ କୁମ୍ଭାରୀରେ ତାଙ୍କର ଘର । ୧୫ ବର୍ଷ ବୟସରୁ ସେ ଏମିତି କଳା ଦେଖାଉଛନ୍ତି । ଆଗରୁ ରାଧା, ଭାରତ ମାତା, ବିଦେଶୀ ମହିଳା ହେଉଥିବା ସରୋଜ ଏବେ କିନ୍ତୁ ଚାର୍ଲି ଚାପଲିନ ହିଁ ହେଉଛନ୍ତି ।

ଖଣ୍ଡିଏ ଲୁହା ଟେବୁଲ ଉପରେ ବାଡ଼ିଟିକୁ ରଖି ସେ ଝୁଲୁଥାନ୍ତି । ଘଣ୍ଟେ କି ଦି ଘଣ୍ଟା ନୁହେଁ ବରଂ ୬ ଘଣ୍ଟା ଧରି ଝୁଲି ରହିବାକୁ ପଡେ । ଯଦି କେବେ ଭାରସାମ୍ୟ ହରାଇ ଝୁଲିପାରନ୍ତି ନାହିଁ ସେଦିନ ଆଉ ପାଉଣା ମିଳେନି । ତାଙ୍କୁ କଷ୍ଟ ହୁଏ, କିନ୍ତୁ ଲୋକଙ୍କ ଓଠର ଧାରେ ହସ ତାଙ୍କୁ ସବୁଦିନ ସଜେଇ ହେବାକୁ କୁହେ । ବର୍ଷକର ଅଧା ଦିନ ଚାଷ କରିବାକୁ ପଡେ । କେମିତି ବା ନ କରିବେ, ଚାଷ ପରା ତାଙ୍କର ପେସା । କଳା ଦେଖାଇବା ନିଶା ହୋଇପାରେ କିନ୍ତୁ ଜୀବନର ପ୍ରତିଟି ଦୁଆରରେ ପେସା ବି କବାଟ ଠକଠକ କରେ ।

କଳା ପ୍ରଦର୍ଶନ ବେଳେ ସରୋଜଙ୍କୁ କିଏ ଚାର୍ଲି ଚାପଲିନ ଡାକନ୍ତି ତ କିଏ ପୁଣି ଜୋକର ଡାକନ୍ତି, ଆଉ କିଛି ନାଟୁଆଟିଏ ବି କହିବାକୁ ପଛାନ୍ତି ନାହିଁ । ଲୋକଙ୍କ ହସ ପାଇଁ ନିଜକୁ ସବୁଦିନ ସନ୍ଧ୍ୟାରେ ସଜାନ୍ତି । କେମିକାଲ ମିଶା ରଙ୍ଗ ଓ ପାଉଡର ବୋଳି ମଞ୍ଚକୁ ଯାଆନ୍ତି ।