ଝୁଲିଛି ଝୁଲା ପୋଲ ଭାଗ୍ୟ : ବିଳମ୍ବିତ କାମକୁ ନେଇ ବଢୁଛି ଅସନ୍ତୋଷ

36

କନକ ବ୍ୟୁରୋ : ଝୁଲିଛି ଝୋଲା ପୋଲର ଭାଗ୍ୟ । ବିଳମ୍ବିତ ନିର୍ମାଣ କାମକୁ ନେଇ ବିଚ୍ଛିନ୍ନାଂଚଳରେ ବଢୁଛି ଅସନ୍ତୋଷ । ବହୁ ପ୍ରତିକ୍ଷିତ ଗୁରୁପ୍ରୀୟା ସେତୁ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଂଚି ଥିବା ବେଳେ ବର୍ଷ ବର୍ଷ ଧରି ନିର୍ମାଣ ହୋଇପାରୁ ନାହିଁ ସାର୍କୁବନ୍ଧ ଝୁଲାପୋଲ । କୋଲକାତାର ଏକ ଘରୋଇ କମ୍ପାନୀ ସରଂଜାମ ପକାଇ ଟଙ୍କା ଉଠାଇ ନେଇ ପାର ହୋଇଯିବା ପରେ ମନ୍ଥର ଗତିରେ ଚାଲିଛି ପାହ୍ୟା କାମ ।

ଏ ହେଉଛି ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳବାସୀଙ୍କ ଦୁର୍ଦଶାର ଚିତ୍ର । ପ୍ରତିଦିନ ଏମିତି ବିପଦ ସଙ୍କୁଳ ଯାତ୍ରା କରିଥାନ୍ତି ବିଚ୍ଛିନ୍ନାଂଚଳ ଧୁଳିପୁଟ ଓ ରାଲେଗାଡା ପଂଚାୟତର ଲୋକେ । ଲାଲ କରିଡରରେ ଥିବା ୫୫ଟି ଗାଁର ଗର୍ଭବତୀ ମହିଳା ହୁଅନ୍ତୁ ବା ଛାତ୍ରଛାତ୍ରୀ, ସମସ୍ତେ ଏମିତି ସାର୍କୁବନ୍ଧ ନଈ ତଳ ପାହାଡି ରାସ୍ତା ଦେଇ ଯା’ଆସ କରନ୍ତି ।

ମାଓ ଅଧ୍ୟୁଷିତ ବିଚ୍ଛିନ୍ନାଂଚଳକୁ ଯୋଗାଯୋଗ ସୁଗମ କରିବା ପାଇଁ ୨୦୧୪ ମସିହାରେ ସାର୍କୁବନ୍ଧ ନାଳ ଉପରେ ଝୁଲା ପୋଲ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା । ଆଇ.ଏ.ପି ଯୋଜନାରେ ୩କୋଟି ୭୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ସାର୍କୁବନ୍ଧ ପୋଲ ନିର୍ମାଣ କାମ ଆରମ୍ଭ ହୋଇଛି ଯେ, ୪ ବର୍ଷ ହେଲା ସରୁନି । ଏହାରି ଭିତରେ ପୁଣି ଦୁର୍ନୀତିର ଗନ୍ଧ । ପୋଲ ବାବଦକୁ ସରଂଜାମ ଦେଇ ଆଗୁଆ ଦୁଇ କୋଟି ଟଙ୍କା ନେଇଯାଇଛି କୋଲକାତାର ଏକ ଘରୋଇ କମ୍ପାନୀ । ହେଲେ ସେ ସବୁ ସମାଗ୍ରୀ କେଉଁଠି ରହିଛି ତାର କୌଣସି ଠିକଣା ନାହିଁ ।

ମାଲକାନଗିରି ଆଇ.ଟି.ଡି.ଏ ୬୩ ଲକ୍ଷ ଟଙ୍କା ଖର୍ଚ କରି ଝୁଲା ପୋଲର ଦୁଇ ପଟେ ପାହ୍ୟା କାମ କରୁଛି । ସାର୍କୁବନ୍ଧ ଝୁଲା ପୋଲ ନିର୍ମାଣ କାମ ବିଳମ୍ବ ସହ ଅତି ନିମ୍ନମାନର ହେଉଥିବା ଅଭିଯୋଗର ଉତ୍ତର ରଖିଛନ୍ତି ମାଲକାନଗିରି ଆଇ.ଟି.ଡି.ଏ ଅଧିକାରୀ । ତେବେ ମାଓ ଅଧ୍ୟୁଷିତ ଅଂଚଳରେ ବିକାଶ ପହଂଚାଇବା ଉଦ୍ଦେଶ୍ୟରେ ବ୍ୟୟ ବହୁଳ ଝୁଲା ପୋଲର ପରିକଳ୍ପନା କରାଯାଇଛି । ହେଲେ ସାର୍କୁବନ୍ଧ ପୋଲ ନିର୍ମାଣରେ ଅହେତୁକ ବିଳମ୍ବ ଓ ନିମ୍ନମାନର କାମ ଅନେକ ଗୁଡିଏ ପ୍ରଶ୍ନ ଠିଆ କରିଛି ।