ସଫଳତାର ଅନନ୍ୟ ଉଦାହରଣ ସରିତା । ସୋସିଆଲ ମିଡିଆରେ ବସ୍ତିରୁ ଆମେରିକା ଯାଏଁ ଯାତ୍ରାର କାହାଣୀ

423

କନକ ବ୍ୟୁରୋ: ଏବେ ସୋସିଆଲ ମିଡିଆରେ ଉତ୍ତରପ୍ରଦେଶର ୨୮ ବର୍ଷିୟା ଯୁବତୀ ସରିତା ମାଲିଙ୍କୁ ନେଇ ଚର୍ଚ୍ଚା । ବସ୍ତିର ଏକ ଚାଳଘରେ ରହୁଥିବା ସରିତା ନିଜର ଅଦମ୍ୟ ଚେଷ୍ଟା ଦ୍ୱାରା ଜେଏନୟୁରେ ପଢିବା ପରେ ଏବେ ଆମେରିକାରେ ପହଞ୍ଚିଛନ୍ତି । ତାଙ୍କ ସଂଘର୍ଷ କାହାଣୀ ଏବେ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଛି ।

ସରିତା ଉତ୍ତରପ୍ରଦେଶ ଜୋନପୁରର ବାସିନ୍ଦା । ସରିତାଙ୍କ ବାପା ଜଣେ ଶିଶୁ ଶ୍ରମିକ ଭାବେ ମୁମ୍ବାଇ ପଳାଇ ଆସି ସେଠାରେ ରହିଯାଇଥିଲେ ।ତେଣୁ ସେଠାରେ ସରିତାଙ୍କ ପରିବାର ଏକ ବସ୍ତିରେ ରହୁଛନ୍ତି । ସରିତାଙ୍କ ଜନ୍ମ ମୁମ୍ବାଇର ଏହି ବସ୍ତିରେ ହୋଇଛି । ନୁଆଁଣିଆ ଚାଳ ଘରେ ସରିତାଙ୍କ ପରିବାରର ୬ଜଣ କୁଟୁମ୍ବ ରହୁଛନ୍ତି । ହେଲେ ଦାରିଦ୍ର୍ୟର ଉତ୍ପୀଡନ ସରିତାଙ୍କ ଧୀଶକ୍ତିକୁ କିନ୍ତୁ ବାଧା ଦେଇପାରିନାହିଁ । ପଙ୍କରେ ପଙ୍କଜ ଫୁଟିବା ପରି ସରିତାଙ୍କ ଜ୍ଞାନ ପ୍ରସ୍ଫୁଟିତ ହୋଇଥିଲା । ଆଜି ତାଙ୍କର ଜ୍ଞାନକୁ ସମସ୍ତେ ଜାଣିପାରିଛନ୍ତି ।

ଗ୍ରାଜୁଏସନ୍ ପର୍ଯ୍ୟନ୍ତ ସରିତା ବସ୍ତିରେ ହିଁ ରହୁଥିଲେ । ଏଥିରେ ତାଙ୍କର ସଫଳତା ପରେ ସେ ଦିଲ୍ଲୀର ଜେଏନୟୁ ୟୁନିଭର୍ସିଟିରେ ନାଁ ଲେଖାଇଥିଲେ । ଆଉ ଏହାପରେ ସେ ଆଗେଇ ଚାଲିଥିଲେ । ଜେଏନୟୁରେ ମଧ୍ୟ ତାଙ୍କର ଅନନ୍ୟ ସଫଳତା ପରେ ସେ ଆମେରିକାରେ ଉଚ୍ଚଶିକ୍ଷା ପାଇଁ ଆବେଦନ କଲେ । ଆମେରିକାର ଦୁଇ ଦୁଇଟି ୟୁନିଭର୍ସିଟିରୁ ତାଙ୍କୁ ଚୟନ କରାଗଲା । ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ ଓ ୟୁନିଭର୍ସିଟି ଅଫ୍ ୱାଶିଂଟନ । ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆରେ ତାଙ୍କୁ ପ୍ରତିଷ୍ଠିତ ଫେଲୋସିପ୍ ମଧ୍ୟରୁ ଅନ୍ୟତମ ‘ଚାନ୍ସଲର ଫେଲୋସିପ୍’ ମିଳିଛି ।

ସୋସିଆଲ ମିଡିଆରେ ନିଜ ଜୀବନ ସଂଘର୍ଷର କାହାଣୀ ବଖାଣିଛନ୍ତି ସରିତା । ବାପା ନିଜ ଖେଳିବା , ପଢିବା ସମୟରେ ପେଟ ପୋଷିବାକୁ ଉତ୍ତରପ୍ରଦେଶରୁ ମୁମ୍ବାଇ ଚାଲିଆସିଥିଲେ । ଏଠାରେ ଦିନ ମଜୁରିଆ ଭାବେ କାମ କଲେ । ଏହା ସହ ସିଗ୍ନାଲ ପାଖରେ ଛିଡା ହୋଇ ଫୁଲ ବିକନ୍ତି । ସେଥିରେ ଯାହା ମିଳେ ସେଥିରେ ୬ ପ୍ରାଣୀ କୁଟୁମ୍ବ ଚଳନ୍ତି । ସବୁ ଭାଇ ଭଉଣୀଙ୍କ ଭିତରେ ପାଠପଢାରେ ସବୁଠୁ ଆଗୁଆ ଥିଲେ ସରିତା । ତାଙ୍କର ଧୀଶକ୍ତି ଦେଖି ବାପା, ମା ମଧ୍ୟ ତାଙ୍କୁ ମଣିଷ କରିବାକୁ ଅଣ୍ଟା ଭିଡିଲେ । ଆଉ ଯେତେ କଷ୍ଟ ପଡୁ ପଛେ ଝିଅକୁ ମଣିଷ କରିବାକୁ ଚାହିଁଲେ । ଏଥିପାଇଁ ସରିତାଙ୍କ ବାପା , ମାଙ୍କୁ ଯେତିକି କଷ୍ଟ କରିବାକୁ ପଡିଛି, ସରିତାଙ୍କୁ ମଧ୍ୟ ସେତିକି କଷ୍ଟ କରିବାକୁ ପଡିଛି । ଦାରିଦ୍ର୍ୟ ସତ୍ତେ୍ୱ ଆଗକୁ ବଢିବାକୁ ନିଜକୁ ଦୃଢ କରିଥିଲେ ।
ବାସ୍ ଏହି ଦୃଢ ସଙ୍କଳ୍ପ ତାଙ୍କୁ ବସ୍ତିରୁ ଜେଏନୟୁ ପରି ନାମୀ ୟୁନିଭର୍ସିଟିକୁ ଆସିବାକୁ ବାଟ କାଢିଦେଲା । ତା’ ପରେ ସିଧା ଆମେରିକା । ତେବେ ଜେଏନୟୁରେ ତାଙ୍କ ଜୀବନକୁ ଏକ ନୂଆ ମୋଡ ମିଳିଛି । ଜେଏନୟୁରେ ପଢା ସମୟରେ ଅନେକ କିଛି ଶିକ୍ଷା ପାଇଛନ୍ତି, ଯାହାକୁ ସେ ଭବିଷ୍ୟତରେ ସାରା ସମାଜରେ ବାଣ୍ଟିବେ ବୋଲି କହିଛନ୍ତି ସରିତା