ହକି ବିଶ୍ୱକପ ପୂର୍ବରୁ ଭାରତକୁ ଲାଗିଲା ଝଟକା, ଅର୍ନ୍ତଜାତୀୟ ହକିରୁ ସନ୍ନ୍ୟାସ ନେଲେ ସର୍ଦ୍ଦାର ସିଂ ।

35

ହକିକୁ ବାଏ ବାଏ କଲେ ସର୍ଦ୍ଦାର । ପୂର୍ବତନ ଭାରତୀୟ ହକି ଟିମର ଅଧିନାୟକ ସର୍ଦ୍ଦାର ସିଂହ ବୁଧବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି । ଏହାସହ ସର୍ଦ୍ଦାରଙ୍କ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ ଖେଳିବା ଆଶା ମଉଳିଛି । ଏସିଆନ ଗେମ୍ସରେ ଖରାପ ପ୍ରଦର୍ଶନ ପାଇଁ ସେ ଏଭଳି ନିଷ୍ପତି ନେଇଥିବା ଜଣାପଡିଛି । ଏହା ପୂର୍ବରୁ ଆଜି ଚାମ୍ପିୟନ୍ସ ଟ୍ରଫି ଓ ହକି ବିଶ୍ୱକପ ପାଇଁ ଜାତୀୟ ଶିବିର ପାଇଁ ୨୫ ଜଣିଆ ଟିମର ଘୋଷଣା କରାଯାଇଥିଲା । ଯେଉଁଥିରୁ ସର୍ଦ୍ଦାର ସିଂହଙ୍କ ନାମ ବାଦ ପଡିଥିଲା । ଆଉ ଏହାପରେ ନିଷ୍ପତି ନେଇଥିଲେ ସର୍ଦ୍ଦାର ସିଂହ ।

୩୨ ବର୍ଷୀୟ ସର୍ଦ୍ଦାର ସିଂହ ଦୀର୍ଘ ୧୨ ବର୍ଷ ଧରି ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରୁଥିଲେ । ଏହି ସମୟ ମଧ୍ୟରେ ସେ ୩୫୦ରୁ ଅଧିକ ମ୍ୟାଚ ଖେଳିଛନ୍ତି ।ଏପରିକି ୨୦୦୮ରୁ ୨୦୧୬ ପର୍ଯ୍ୟନ୍ତ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ସର୍ଦ୍ଦାର । ଦୁଇଟି ଅଲମ୍ପିକ୍ସରେ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରିଛନ୍ତି ସର୍ଦ୍ଦାର ।

ନିଜ ଅବସର ନେଇ ସର୍ଦ୍ଦାର କହିଛନ୍ତି, ଦୀର୍ଘ ଦିନ ଧରି ସେ ଭାରତୀୟ ଦଳ ପକ୍ଷରୁ ଖେଳିଛନ୍ତି । ଏପରିକି ଦୀର୍ଘ ୧୨ ବର୍ଷ ମଧ୍ୟରେ ହକି ତାଙ୍କୁ ନୂଆ ପରିଚୟ ଦେଇଛି । କିନ୍ତୁ ଏବେ ଯୁବ ଓ ପ୍ରତିଭାବାନ ଖେଳାଳୀଙ୍କୁ ସୁଯୋଗ ଦେବାକୁ ଅବସର ନେଉଥିବା କହିଛନ୍ତି ସର୍ଦ୍ଦାର । ପରିବାରବର୍ଗ, ହକି ଇଣ୍ଡିଆ ଓ ସାଥୀ ଖେଳାଳୀଙ୍କ ସହ ଆଲୋଚନା କରିବା ପରେ ଏଭଳି ନିଷ୍ପତି ନେଇଛି । ତେବେ ସର୍ଦ୍ଦାରଙ୍କ ହଠାତ୍ ଏଭଳି ସନ୍ନ୍ୟାସ ନେବା ପ୍ରଂଶସକଙ୍କୁ ଚକିତ କରିଛି ।