ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ : ‘ଏକତା ପାଇଁ ଦୌଡ’କୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

122

କନକ ବ୍ୟୁରୋ : ଆଜି ସାରା ଦେଶ ପାଳୁଛି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ । ଏଥିପାଇଁ ସାରା ଦେଶରେ କେନ୍ଦ୍ର ସରକାରଙ୍କ ତରଫରୁ ‘ରନ ଫର ୟୁନିଟି’ର ଆୟୋଜନ କରଯାଇଛି । ସ୍ୱାଧୀନତା ପରେ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ସମଗ୍ର ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହେଉଛି । ଏଥିପାଇଁ ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ରନ୍ ଫର ୟୁନିଟି’ ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ପ୍ରାୟ ୨୦ ହଜାର ଲୋକ ଅଂଶ ଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, କ୍ରୀଡ଼ା ରାଜ୍ୟମନ୍ତ୍ରୀ ବର୍ଦ୍ଧନ ସିଂହ ରାଠୋର ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ସୂଚନା ଯୋଗ୍ୟ ଯେ ଆଜି ସର୍ଦ୍ଧାର ପଟେଲଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କେନ୍ଦ୍ର ମନ୍ତ୍ରୀମଣ୍ଡଳର ବହୁ ମନ୍ତ୍ରୀ ସ୍ୱର୍ଗତ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମଠାରେ ଆୟୋଜିତ ସମାବେଶରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆଜି ହେଉଛି ସ୍ୱର୍ଗତ ପଟେଲଙ୍କ ଜୟନ୍ତୀ ଓ ସ୍ୱର୍ଗତ ଇନ୍ଦିରାଗାନ୍ଧିଙ୍କ ତିରୋଧାନ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଭୟ ନେତାଙ୍କୁ ସ୍ମରଣ କରି କହିଥିଲ ଯେ ସର୍ଦ୍ଦାର ପଟେଲ ଆମକୁ ‘ଓ୍ଵାନ ଇଣ୍ଡିଆ’ ଦେଇଛନ୍ତି ।

ସ୍ୱାଧୀନତା ଆନ୍ଦୋଳନ ଓ ସ୍ୱାଧୀନତା ପରବର୍ତ୍ତୀ ଭାରତ ଗଠନରେ ସର୍ଦ୍ଦାର ପଟେଲଙ୍କ ଅବଦାନ ଆମକୁ ଗର୍ବିତ କରେ । ପ୍ରଧାନମନ୍ତ୍ରୀ କହିଥିଲେ ବିଭିନ୍ନ ମଧ୍ୟରେ ଏକତା ଆମ ଜାତୀୟ ଚରିତ୍ର । ଆମ ଚଳଣି,ଆମ ଭାଷା, ଆମ ସଂସ୍କତି ଭିନ୍ନ ଭିନ୍ନ ହୋଇଥଲେ ମଧ୍ୟ ଆମେ ଏକ। ବିଭିନ୍ନତା ଭିତରେ ଏକତା ହେଉଛିି ଆମ ଦେଶର ମହାନତା । କିନ୍ତୁ ପରବର୍ତ୍ତୀ ସମୟରେ ସର୍ଦ୍ଦାର ପଟେଲଙ୍କ ଅବଦାନକୁ ଅଣଦେଖା କରାଯାଇଛି । ମାତ୍ର ଦେଶର ଯୁବଶକ୍ତି ସର୍ଦ୍ଦାର ପଟେଲ ଓ ଦେଶ ଗଠନରେ ତାଙ୍କ ଅବଦାନକୁ ସମ୍ମାନ କରନ୍ତି ବୋଲି କହିବା ସହିତ ରନ ଫର ୟୁନିଟି ତାଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜିର ଯୁବ ପିଢୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନକୁ ଭୂଲିବା ଉଚିତ ନୁହେଁ ବୋଲି କହିଛନ୍ତି ।

ଏହି ରନ ଫର ୟୁନିଟି କାର୍ଯ୍ୟକ୍ରମରେ କ୍ରୀଡ଼ାବିତ ପିଭି ସିନ୍ଧୁ, ମିତାଲି ରାଜ, ଦୀପା କର୍ମକାରଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଏକତାର ଶବଥପାଠ କରାଇବା ସହିତ ପତାକା ଦେଖାଇ ରନ ଫର ୟୁନିଟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।