କନକ ବ୍ୟୁରୋ : ଜେଲରୁ ବାହାରିଲେ ଜୁହାର ହେଲେ । ଜେଲରୁ ବାହାରିବା ବେଳେ ବାବା ସାରଥୀ ଜୁହାର ହେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ବୋଧହୁଏ ଭବିଷ୍ୟତରେ ଯେପରି ଆଉ ଜେଲର ମାଟି ନ ମାଡିବେ ସେଥିପାଇଁ ମୁକୁଳିବା ସମୟରେ ଜୁହାର ହୋଇଥିଲେ ନିଜକୁ ଆତ୍ମଘୋଷିତ ଭଗବାନ ସଜାଇଥିବା ବାବା ସାରଥୀ । ହାଇକୋର୍ଟରୁ ଜାମିନ ପାଇବା ପରେ ଆଜି ଚୌଦ୍ୱାର ଜେଲରୁ ମୁକଳିଛନ୍ତି ଭଣ୍ଡ ସାରଥୀ ଓରଫ ସନ୍ତୋଷ ରାଉଳ । ଆଉ ଜେଲରୁ ସଜ ହୋଇ ସାରଥୀ ବାହାରିଥିବାର ଦେଖିବାକୁ ମିଳିଛି । ମଥାରେ ଚିତା ଚଇତନ ଓ ବେକରେ ଧୋବ ଫରଫର ଗାମୁଛାରେ ନଜର ଆସିଛନ୍ତି ସାରଥୀ ।
ଏହାଛଡା ଜେଲରେ ନିଜର ଅଲୌକିକତା ବିଷୟରେ ଜଣାଇବାକୁ ଯାଇ ସାରଥୀ ଯାଦୁ ମଧ୍ୟ ଦେଖାଇଛନ୍ତି । ଜେଲ କର୍ମଚାରୀଙ୍କୁ ଯାଦୁ କରି ଅନେକଥର ମିଠା ଖୁଆଇଛନ୍ତି କିନ୍ତୁ କେବେ ଆକାଶରୁ ବିଭୂତି ବାହାର କରିପାରିନାହାନ୍ତି । ସାରଥୀ ନିଜକୁ ଆଧ୍ୟାତ୍ମିକ ଲୋକ କହୁଥିଲେ ମଧ୍ୟ ‘ଆଜ୍ଞା’ର ମାନେ ଜାଣିନଥିବା କହିଛନ୍ତି ଜେଲ କର୍ମଚାରୀ ।
Follow Us