ପୁଣି ଭଗବାନ ବନିଲେ ବଦନାମ ବାବା ! ବାଙ୍କିରେ ହେଲା ସାରଥୀଙ୍କ ସତସଙ୍ଗ

98

କନକ ବ୍ୟୁରୋ : ପୁଣି ଭଗବାନ ବନିଲେ ବଦନାମ ବାବା । ଜେଲରେ ଥିବା ସାରଥୀଙ୍କ ନାଁରେ ସତସଙ୍ଗ । ଚୌଦ୍ୱାର ଜେଲରେ ସନ୍ତୋଷ ରାଉଳ ଓରଫ୍ ସାରଥୀ ବନ୍ଦୀ ଜୀବନ କାଟୁଥିବା ବେଳେ ଏପଟେ ବାଙ୍କୀରେ ଚାଲିଛି ସତସଙ୍ଗ । ଯୌନ ନିର୍ଯାତନା ଏବଂ ଠକେଇ ଭଳି ସଂଗୀନ ମାମଲାରେ ଛନ୍ଦି ହୋଇଥିଲେ ସୁଦ୍ଧା ଲୋକଙ୍କ ମନରୁ ଯାଇନି ବାବା ମୋହ । ସାରଥୀଙ୍କୁ ଭଗବାନ ମାନି ବାଙ୍କୀରେ ଅନୁଷ୍ଠିତ ହୋଇଛି ସତସଙ୍ଗ । ସତେ ଯେମିତି ଲୋକଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ଦେଇଛନ୍ତି ସାରଥୀ । ବାଙ୍କୀରେ ହୋଇଥିବା ସାରଥୀ ସତସଙ୍ଗର ଚିତ୍ର ଦେଖିଲେ ଯେକେହି ବି ଦ୍ୱନ୍ଦ୍ୱରେ ପଡ଼ିଯିବ ଯେ, ଏହି ସାରଥୀ ଓରଫ୍ ସନ୍ତୋଷ ରାଉଳଙ୍କୁ ନେଇ ସାରା ଓଡ଼ିଶା ଦୋହଲି ଯାଇଥିଲା ।

ବିଭିନ୍ନ ଅଭିଯୋଗରେ ଛନ୍ଦି ହୋଇ ଚୌଦ୍ୱାର ଜେଲର ଚାରିକାନ୍ଥ ଭିତରେ ବନ୍ଦି ହୋଇରହିଛନ୍ତି ସାରଥୀ, ଆଉ ଏପେଟ ବାଙ୍କୀରେ ଜମିଛି ବାରିମୁଳା ଆଶ୍ରମର ଆସର । ଠିକ୍ ସାରଥୀଙ୍କ ଶୈଳରେ ଚାଲିଛି ସତସଙ୍ଗ । ଉପସ୍ଥିିତ ଲୋକଙ୍କୁ ନୀତିବାଣୀ ଶୁଣାଉଛନ୍ତି ସାରଥୀଙ୍କ ଅନୁଗତ । ଏମିତିକି ଏବେବି ଲୋକଙ୍କ ଘରେ ପୂଜା ପାଉଛନ୍ତି ସାରଥୀ ଓରଫ୍ ସନ୍ତୋଷ ରାଉଳ ।

ଏକାଧିକ ମାମଲାରେ ଫଶି ରହିଥିବା ସାରଥୀଙ୍କୁ ୨ଟି ମାମଲାରେ ମିଳିଛି ସର୍ତ୍ତମୂଳକ ଜାମିନ ।

ସର୍ତ୍ତ ରହିଛି-

– କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମକୁ ପ୍ରବେଶ କରି ପାରିବେ ନାହିଁ ସାରଥୀ

– ଧାର୍ମିକ ସଭା-ସମିତି କରିପାରିବେ ନାହିଁ

-ଶୋଭାଯାତ୍ରା ଆଦି କରିପାରିବେ ନାହିଁ

ଏହି ସବୁ କଟକଣାରେ ସର୍ତ୍ତମୁଳକ ଜାମିନ୍ ମିଳିଛି । ଜେଲରୁ ବି ବାହାରି ନାହାଁନ୍ତି । କିନ୍ତୁ ତାଙ୍କରି ଇଙ୍ଗିତରେ ବାଙ୍କୀରେ ଅନୁଷ୍ଠିତ ହୋଇଛି ସାରଥୀ ସତସଙ୍ଗ । ଅଗଷ୍ଟ ୮, ୨୦୧୫ ସାରଥୀଙ୍କ ହାତରେ ପଡ଼ିଥିଲା ହାତକଡ଼ି । ଠକେଇ ଏବଂ ଯୌନ ନିର୍ଯାତନା ମାମଲାରେ ସନ୍ତୋଷ ରାଉଳ ଗିରଫ ହୋଇଥିଲେ । ଆସନ୍ତାକାଲି ଏହି ଘଟଣାକୁ ଦୁଇବର୍ଷ ପୁରିବ । ଏହି ଦୁଇବର୍ଷ ଭିତରେ ବଦଳି ଯାଇଛି ଚିତ୍ର । ପୁଣି ଥରେ ଶ୍ରଦ୍ଧାଳୁଙ୍କ ମନରେ ସାରଥୀଙ୍କ ପ୍ରତି ପୁରୁଣା ଭାବ ଜାଗ୍ରତ ହୋଇଛି ।