କନକ ବ୍ୟୁରୋ: ହୃଦରୋଗରେ ଛଟପଟ ଝିଅ । ମା’ ଆଖିରୁ ସରୁନି ଲୁହ । ଯେତେ ମେଡିସିନ ଖାଇଲେ ବି ରୋଗରୁ ମିଳୁନି ଉପଶମ । ଦୀର୍ଘ ୪ବର୍ଷ ଧରି ଶଯ୍ୟାଶାୟୀ ହୋଇ ରହିଛନ୍ତି । ଆମେ କହୁଛୁ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ପଞ୍ଚାୟତ ଆଲିଆ ଗ୍ରାମର ଅର୍ଜୁନ ବେହେରାଙ୍କ ଝିଅ ସାରଥୀ ବେହେରାଙ୍କ କଥା । ଗତ୪ବର୍ଷ ଧରି ଝାଡ଼ା ଓ ପରିସ୍ରାଜନିତ ସମସ୍ୟା ରୋଗରେ ପୀଡିତ ଅଛନ୍ତି ସାରଥୀ । ଅନେକ ଡାକ୍ତରଙ୍କୁ ନିଜ ସମସ୍ୟା କହି ଔଷଧ ଖାଇଥିଲେ ମଧ୍ୟ ସୁଫଳ ମିଳିନାହିଁ । ଡାକ୍ତରଙ୍କ ପରାମର୍ଶକ୍ରମେ ଦୁଇଥର ଅପରେସନ ମଧ୍ୟ ହେଲା । ହେଲେ ଯନ୍ତ୍ରଣା କମିବା ପରିବର୍ତେ ବୃଦ୍ଧି ପାଉଛି । କେଉଁ କାରଣରୁ ଏଭଳି ସମସ୍ୟା ହେଉଛି ଡାକ୍ତର ଜାଣିପାରୁନାହାନ୍ତି ।
କେଉଁ କାରଣରୁ ସାରଥୀ ଏତେ ଯନ୍ତ୍ରଣା ପାଉଛନ୍ତି, ତା’ର କାରଣ ଡାକ୍ତର ନିରୂପଣ କରିପାରୁନାହାନ୍ତି । ଯେଉଁକାରଣରୁ ସେ ଇଛା ମୃତ୍ୟୁ ପାଇଁ ମହାମହିମ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି । ତା ସହିତ ନିଜ ଜନ୍ମ କଲା ଝିଅର ଏଭଳି କଷ୍ଟ ସହିନପାରି ମା’ ମଧ୍ୟ ଏଭଳି କିଛି ନିବେଦନ କରିଛନ୍ତି । କହିିଛନ୍ତି, ମୋ ଝିଅକୁ ବଂଚାଇ ଦିଅ, ନହେଲେ ମାରିଦିଅ । ସେପଟେ ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପଚାରିବାରୁ ସେ ଏହାକୁ ଗୁରୁତର ସହ ନେବା ସହିତ ନିଜ ଟିମକୁ ପଠାଇ ସାରଥୀଙ୍କ ସମସ୍ତ ଚିକିତ୍ସା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଝିଅର ରୋଗ ନିରୂପଣ କରି ଉଚ୍ଚତର ଚିକିତ୍ସା ପାଇଁ ପରିବାର ଲୋକେ ଓ ପଡ଼ୋଶୀ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।
ଦୀର୍ଘ ୪ବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହେଉଥିବା ସାରଥୀଙ୍କୁ ରାଜ୍ୟସରକାର କିମ୍ବା ସ୍ୱାସ୍ଥ୍ୟ ବିଭାଗ କେବେ ସେବା ଯୋଗାଇଦେଉଛନ୍ତି ଓ ସେ କେବେ ସୁସ୍ଥ ହେଉଛନ୍ତି ଦେଖିବାକୁ ବାକିରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/19-8.jpg)