ସାରଥୀଙ୍କ ପାଇଁ ସର୍ତ୍ତ: ବାରିମୂଳ ଯାଇ ପାରିବେନି କି ଧର୍ମସଭା କରି ପାରିବେନି, ହାଇକୋର୍ଟ ଦେଲେ ୫ ନିର୍ଦ୍ଦେଶ

6,114

କନକ ବ୍ୟୁରୋ: ଚାରି ବର୍ଷ ପରେ ଜେଲର ଚାରି କାନ୍ଥରୁ ବାହାରିବେ ବାବା ସାରଥୀ ଓରଫ ସନ୍ତୋଷ ରାଉଳ । ସାରଥୀ ସାମ୍ରାଜ୍ୟର ପ୍ରତିଷ୍ଠାତା ଜେଲରେ ୪ ବର୍ଷ ବିତାଇବା ପରେ ଆଜି ତାଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ୨ଟି ମାମଲାରେ ଜାମିନ ପାଇଥିଲେ ହେଁ ଆଜି ଆଉ ଏକ ମାମଲାରେ ତାଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ । ବାରିମୂଳ ଆଶ୍ରମର ଅନ୍ତେବାସୀ ମାଆଝିଅଙ୍କ ପକ୍ଷରୁ ହୋଇଥିବା ୩ୟ ମାମଲାରେ ତାଙ୍କୁ ଜାମିନ ଦେଇଛନ୍ତି କୋର୍ଟ । ଜାମିନ ସହ କେତେଟା ସର୍ତ୍ତ ମଧ୍ୟ ରଖିଛନ୍ତି । ତେବେ ଜାମିନ ପରେ ଜେଲରୁ ମୁକୁଳିବେ ସାରଥୀ ।

ନଜର ପକାନ୍ତୁ କେଉଁ କେଉଁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ । ୩ୟ ମାମଲାରେ ୨ ଲକ୍ଷ ଟଙ୍କାର ୨ ଜାମିନଦାର ବଦଳରେ ଜାମିନ ମିଳିଥିବା ବେଳେ ୫ଟି ସର୍ତ୍ତ ରଖିଛନ୍ତି କୋର୍ଟ ।

କଣ ରହିଛି ସାରଥୀଙ୍କ ପାଇଁ ସର୍ତ୍ତ…

୧-ଜେଲରୁ ମୁକୁଳିବା ପରେ ସାକ୍ଷୀଙ୍କୁ ପ୍ରଭାବିତ କରି ପାରିବେନି ସାରଥୀ । କୋଣସି ବି ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

୨-ବାବାଙ୍କୁ ମନା ବାରିମୂଳ । ନିଜ ଆଶ୍ରମ ବାରିମୂଳକୁ ଯାଇ ପାରିବେନି ସାରଥୀ । ଜାମିନ ପାଇଲା ପରେ ବି ବାରିମୂଳକୁ ଯିବାକୁ କଟକଣା ଜାରି କରିଛନ୍ତି କୋର୍ଟ ।

୩-ବାରିମୂଳ ଛଡା ରାଜ୍ୟ ବାହାରକୁ ମଧ୍ୟ ଯାଇପାରିବେନି ସାରଥୀ

୪-ଜେଲରୁ ବାହାରିବା ପରେ କୌଣସି ସ୍ଥାନରେ ଧର୍ମୀୟ ସଭା କରି ପାରିବେନି ସାରଥୀ । ସାଧାରଣ ସ୍ଥାନରେ ଧର୍ମ ସଭା କରିବାକୁ ମନା କରିଛନ୍ତି କୋର୍ଟ ।

୫-ଉପରୋକ୍ତ ୪ ବଡ ବଡ ନିର୍ଦ୍ଦେଶ ସହ ତଦନ୍ତକାରୀ ଅଧିକାରୀଙ୍କୁ ପୂର୍ଣ୍ଣମାତ୍ରାରେ ତଦନ୍ତରେ ସାହାଯ୍ୟ କରିବାକୁ ସାରଥୀକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।