୪ ବର୍ଷ ପରେ ଜେଲର ୪ କାନ୍ଥ ଭିତରୁ ମୁକୁଳିଲେ ‘ମାନ୍ୟବର’ ! ଚୌଦାର ଜେଲ୍ ଆଗରେ ଲାଗିଛି ସାରଥୀ ଭକ୍ତଙ୍କ ଗହଳି ।

308

କନକ ବ୍ୟୁରୋ : ଦୀର୍ଘ ୪ ବର୍ଷ ପରେ ଜେଲର ୪ କାନ୍ଥ ଭିତରୁ ବାହାରକୁ ଆସିଲେ ବାବା ସାରଥୀ । ସମସ୍ତ ୩ଟି ଯାକ ମାମଲାରେ ଜାମିନ୍ ପାଇବା ପରେ ଆଜି ଚୌଦ୍ୱାର ଜେଲରୁ ମୁକୁଳିଛନ୍ତି ବାବା ସାରଥୀ ଓରଫ ସନ୍ତୋଷ ରାଉଳ । ଆଜି ସନ୍ଧ୍ୟାରେ କେନ୍ଦ୍ରାପଡା ଏସଡିଜେଏମ୍ କୋର୍ଟରୁ ରିଲିଜ୍ ଅର୍ଡର ଆସିବା ପରେ ଶେଷରେ ଜେଲରୁ ମୁକୁଳିଛନ୍ତି ଆତ୍ମଘୋଷିତ ବାବା ସାରଥୀ ।

ପୂର୍ବରୁ ୨ଟି ମାମଲାରେ ତାଙ୍କୁ ଜାମିନ ମିଳି ସାରିଥିଲେ ବି କେନ୍ଦ୍ରାପଡ଼ା ଏସଡିଜେଏମ୍ ଅଦାଲତରେ ବିଚାରାଧୀନ ମାମଲାରେ ଜାମିନ ମିଳି ନ ଥିବାରୁ ସେ ଚୌଦ୍ବାର ଜେଲରେ ରହି ଆସୁଥିଲେ। କିନ୍ତୁ ସେହି ମାମଲାରେ ଜାମିନ ମିଳିବାର ତିନି ଦିନ ବିତି ଯାଇଥିଲେ ମଧ୍ୟ ସାରଥି ଜେଲରୁ ମୁକୁଳି ପାରିନଥିଲେ । ତେବେ ଆଜି ରିଲିଜ୍ ଅର୍ଡର ପହଞ୍ଚିବାରୁ ଶେଷରେ ଜେଲରୁ ମୁକୁଳିଛନ୍ତି ସାରଥୀ ।

ଜାମିନ ସହ କେତେଟା ସର୍ତ୍ତ ମଧ୍ୟ ରଖିଛନ୍ତି କୋର୍ଟ ।

୧-ଜେଲରୁ ମୁକୁଳିବା ପରେ ସାକ୍ଷୀଙ୍କୁ ପ୍ରଭାବିତ କରି ପାରିବେନି ସାରଥୀ । କୋଣସି ବି ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

୨-ବାବାଙ୍କୁ ମନା ବାରିମୂଳ । ନିଜ ଆଶ୍ରମ ବାରିମୂଳକୁ ଯାଇ ପାରିବେନି ସାରଥୀ । ଜାମିନ ପାଇଲା ପରେ ବି ବାରିମୂଳକୁ ଯିବାକୁ କଟକଣା ଜାରି କରିଛନ୍ତି କୋର୍ଟ ।

୩-ବାରିମୂଳ ଛଡା ରାଜ୍ୟ ବାହାରକୁ ମଧ୍ୟ ଯାଇପାରିବେନି ସାରଥୀ

୪-ଜେଲରୁ ବାହାରିବା ପରେ କୌଣସି ସ୍ଥାନରେ ଧର୍ମୀୟ ସଭା କରି ପାରିବେନି ସାରଥୀ । ସାଧାରଣ ସ୍ଥାନରେ ଧର୍ମ ସଭା କରିବାକୁ ମନା କରିଛନ୍ତି କୋର୍ଟ ।

୫-ଉପରୋକ୍ତ ୪ ବଡ ବଡ ନିର୍ଦ୍ଦେଶ ସହ ତଦନ୍ତକାରୀ ଅଧିକାରୀଙ୍କୁ ପୂର୍ଣ୍ଣମାତ୍ରାରେ ତଦନ୍ତରେ ସାହାଯ୍ୟ କରିବାକୁ ସାରଥୀକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଗଣମାଧ୍ୟମରେ ସାରଥୀଙ୍କ ରୋମାନ୍ସ ଖବର ପ୍ରସାରଣ ପରେ ଅଗଷ୍ଟ ୭ରେ କଟକର ଏକ ଥାନାରେ ସାରଥୀଙ୍କ ନାମରେ ଯୌନ ଶୋଷଣ ନେଇ ଅଭିଯୋଗ କରିଥିଲେ ଯୁବତୀ । ଆଉ ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ୮ ଅଗଷ୍ଟ ୨୦୧୫ । ରାତି ଅଧିଆ କ୍ରାଇମବ୍ରାଞ୍ଚ ପଶିଲା ବାରିମୂଳରେ । ଉଠାଇ ଆଣିଲା ଭଣ୍ଡବାବାଙ୍କୁ । କେନ୍ଦ୍ରାପଡାରୁ କଟକ । ରିମାଣ୍ଡ ପରେ ରିମାଣ୍ଡ । ଜେରା ପରେ ଜେରା । ଖୋଲିଲା ଅଧ୍ୟାତ୍ମିକ ଗୁରୁଙ୍କ ଅସଲି ମୁଖା ତିନି ତିନି ଜଣ ମହିଳା ବାବାଙ୍କ ବିରୋଧରେ ଆଣିଲେ ଅସାଦାଚରଣ ଅଭିଯୋଗ । ଆଇନ୍ ଜାଲରେ ଛନ୍ଦି ହୋଇ, ବାବା ପାଲଟିଗଲେ ଖଳନାୟକ ବାବା ।

ବାବା ଗିରଫ ହେବା ପରେ କ୍ରାଇମବ୍ରାଞ୍ଚ ରାଡାରରେ ଆସିଥିଲା ସାରଥୀର କଳା ସାମ୍ରାଜ୍ୟ । ଆଶ୍ରମ ମଧ୍ୟରେ ବେଆଇନ ଅର୍ଥ କାରବାର ହେଉଥିବା ଖବର ଉପରୁ ପରଦା ଉଠାଇଥିଲା କ୍ରାଇମବ୍ରାଞ୍ଚ । ଆଉ ଏହି ବେଆଇନ ଅର୍ଥ କାରବାର ପଛର ମୁଖ୍ୟ ସୁତ୍ରଧର ତଥା ଭଣ୍ଡ ବାବାଙ୍କ ଧରମ ପୁଅ ସତ୍ୟମ ରାଉଳକୁ ମୁମ୍ବାଇରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଆଉ ଏହାପରେ ସାରଥୀଙ୍କ କଳା ସାମ୍ରାଜ୍ୟ ଏକ ପ୍ରକାର ଧୂଳିସାତ ହୋଇଥିଲା ।