କେଉଁଠି ଅଛନ୍ତି ସାରଥୀ? ଜେଲରୁ ମୁକୁଳିବା ପରେ ଆତ୍ମଘୋଷିତ ବାବାଙ୍କ ନୂଆ ଠିକଣାକୁ ନେଇ ବଢିଲା ଚର୍ଚ୍ଚା; ବାରିମୂଳ ଯିବା ଉପରେ ଲାଗିଛି କଟକଣା

411

କନକ ବ୍ୟୁରୋ: କେଉଁଠି ଅଛନ୍ତି ସାରଥୀ ? ଜେଲରୁ ମୁକୁଳିବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା । ୪ ବର୍ଷ ପରେ ଗତକାଲି ଚୌଦ୍ୱାର ଜେଲରୁ ବାହାରିଥିଲେ ସନ୍ତୋଷ ରାଉଳ ଓରଫ ସାରଥୀ । ତେବେ ଖବର ଅନୁସାରେ, ଜେଲରୁ ବାହାରିବା ପରେ ସାରଥୀ ଅଜଣା ସ୍ଥାନକୁ ଚାଲିଯାଇଛନ୍ତି । ସାରଥୀଙ୍କ ବାରିମୂଳ ଆଶ୍ରମ ଯିବା ଉପରେ କୋର୍ଟ କଟକଣା ଜାରି କରିଛନ୍ତି । ତେଣୁ ସାରଥୀ ଏବେ କେଉଁଠି ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଙ୍କି ମାରିଛି । ଗତକାଲି ଜେଲରୁ ବାହାରିବା ବେଳେ ସାରଥୀ ଧୋତି ପିନ୍ଧିଥିବା ବେଳେ ମଥାରେ ଚନ୍ଦନ ଟିପା ରହିଥିଲା । ରାତି ପ୍ରାୟ ୭ଟା ୫୦ ବେଳକୁ ଜେଲରୁ ବାହାରିଥିଲେ ସାରଥୀ ।

ପୂର୍ବରୁ ଦୁଇଟି ମାମଲାରେ ଜାମିନ ମିଳିଥିବା ବେଳେ ସୋମବାର, ସାରଥୀଙ୍କୁ ତୃତୀୟ ମାମଲାରେ ଜାମିନ୍ ଦେଇଥିଲେ ହାଇକୋର୍ଟ । ୨ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନରେ ଯିବାକୁ ଅନୁମତି ଦେଇଥିଲେ ହାଇକୋର୍ଟ । ତେବେ ଜାମିନ୍ ମଂଜୁର କରିବା ସହ ସର୍ତ୍ତର୍ ରଖିଥିଲେ ଉଚ୍ଚ ନ୍ୟାୟାଳୟ । ତଦନ୍ତରେ ସହଯୋଗ କରିବା ପାଇଁ ସର୍ତ୍ତ ରଖାଯାଇଥିବା ବେଳେ ତଳ କୋର୍ଟ ଅନ୍ୟ ସର୍ତ୍ତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ସର୍ତ୍ତ ମୂତାବକ, ସାରଥୀ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମକୁ ଯିବେ ନାହିଁ । ଧାର୍ମିକ ସମାବେଶ ଓ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ । ରାଜ୍ୟ ବାହାରକୁ ଯାଇପାରିବେ ନାହିଁ । ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ ଏବଂ ତଦନ୍ତରେ ସହଯୋଗ କରିବେ । ସାରଥି ଗିରଫ ହେବା ପରେ ଆଶ୍ରମରେ ଦୀର୍ଘ ବର୍ଷ ଧରି ରହୁଥିବା ଜଣେ ମହିଳା ଓ ତାଙ୍କ ମାଆ ଅଭିଯୋଗ ଆଣିଥିଲେ ।

ସେମାନଙ୍କୁ ନିର୍ଯର୍ାତନା ଦିଆ ଯାଉଥିବା ସହ ବିବାହ କରାଇଦେବା ବାହାନାରେ ସୁନା ଗହଣା ଓ ଟଙ୍କା ଲୁଟି ନିଆଯାଇଥିବା ନେଇ କେନ୍ଦ୍ରାପଡ଼ାରେ ଅଭିଯୋଗ କରିଥିଲେ ମାଆ, ଝିଅ । ଶେଷରେ ଏହି ମାମଲାରେ ସାରଥୀଙ୍କୁ ଜାମିନ ଦେଇଥିଲେ ହାଇକୋର୍ଟ । ତେବେ ହଜାର ହଜାର ଭକ୍ତଙ୍କ ଭଗବାନ ସାଜିଥିବା ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କ ହାଇଦ୍ରାବାଦର ଏକ ହୋଟେଲରେ ଜିନ୍ସ ପରିହିତ ରୂପ ସାମ୍ନାକୁ ଆସିଥିଲା । ଅଭିଯୋଗ ହୋଇଥିଲା, ଜଣେ ଡାକ୍ତରୀ ଛାତ୍ରୀଙ୍କ ସହ ହୋଟେଲରେ ରହୁଥିଲେ ସାରଥି ଏହାପରେ ବାବାଙ୍କୁ ନେଇ ବିବାଦ ବଢିଥିଲା । ଧିରେ ଧିରେ ବାବାଙ୍କ ବାରିମୂଳ ଆଶ୍ରମରେ ଚାଲିଥିବା କେଳେଙ୍କାରୀ ପଦାକୁ ଆସିଥିଲା । ଏହାକୁ ନେଇ ରାଜ୍ୟବ୍ୟାପି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତାପରେ ବାବାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇଥିଲା । ଏପରିକି ଆଶ୍ରମରେ ପଶି ଭଙ୍ଗାରୁଜା କରିଥିଲେ ଉତ୍ୟକ୍ତ ଲୋକେ । ତାପରେ ବାବାଙ୍କୁ ରାତି ଅଧିଆ ଉଠାଇ ନେଇଥିଲା ପୋଲିସ୍ ।