କନକ ବ୍ୟୁରୋ : ଆଜିଠୁ ଦୁଇ ଦିନ ରାଜ୍ୟ କଂଗ୍ରେସ ନବ ସଂକଳ୍ପ ଶିବିର ଆୟୋଜନ ହେବ । ରାଜସ୍ଥାନ ଉଦୟପୁରରେ ବସିଥିବା ଚିନ୍ତନ ଶିବିରର ନିଷ୍ପତି ଅନୁଯାୟୀ ଏହି ବୈଠକ ବସିବ । ନବ ନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାର ଏହି ବୈଠକ ବସିବ । ରାଜଧାନୀ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଇଂଜିନିୟର୍ସରେ ବସିବାକୁ ଥିବା ଏହି ବୈଠକରେ ଓଡିଶା ପ୍ରଭାରୀ ଡକ୍ଟର ଏ ଚେଲ୍ଲା କୁମାରଙ୍କ ସମେତ ଏଆଇସିସି ସମ୍ପାଦକ ଜି ରୁଦ୍ରରାଜୁ ଓ ଅନ୍ୟାନ୍ୟ ନେତା ଯୋଗଦେବେ ।

Advertisment

ଆଜିର ବୈଠକରେ କଂଗ୍ରେସ ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକ, ପୂର୍ବତନ ପିସିସି ସଭାପତି, ୨୦୧୯ ସାଧାରଣ ନିର୍ବାଚନରେ ଯେଉଁମାନେ ସାଂସଦ ଓ ବିଧାୟକ ପ୍ରାର୍ଥୀ ହୋଇଥିଲେ ଯୋଗଦେବେ । ସେମାନଙ୍କ ସହ ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ଏଆଇସିସି କର୍ମକର୍ତା, ପୂର୍ବତନ କର୍ମକର୍ତା, ପିସିସି କର୍ମକର୍ତା, ଜିଲ୍ଲା କଂଗ୍ରେସ ସଭାପତି ଉପସ୍ଥିତ ରହିବେ । ସେହିପରି ଆସନ୍ତାକାଲି ବୈଠକରେ ପୂର୍ବତନ ପିସିସି ସଭାପତି, ଏଆଇସିସି ସମ୍ପାଦକ, ଜିଲ୍ଲା କଂଗ୍ରେସ ସଭାପତି, ବ୍ଲକ ଓ ନଗର କଂଗ୍ରେସ ସଭାପତି ଯୋଗ ଦେବେ ।

ଆଗକୁ ସାଧାରଣ ନିର୍ବାଚନ । ଏହା ପୂର୍ବରୁ କଂଗ୍ରେସ ପାଇଁ ଅନେକ ଚ୍ୟାଲେଞ୍ଜ ରହିଛି । ଦଳର ନେତାଙ୍କୁ ଏକାଠି କରିବା, ଦଳୀୟ ନେତାଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷର ସମାଧାନ କରିବା, ତୃଣମୂଳ ସ୍ତରରେ କର୍ମୀଙ୍କୁ ଉତ୍ସାହିତ କରିବା ରହିଛି ନବ ନିଯୁକ୍ତ ପିସିସି ସଭାପତିଙ୍କ ପାଇଁ ଚ୍ୟାଲେଞ୍ଜ । ବଡ କଥା ହେଉଛି ରାଜ୍ୟ ଏବଂ କେନ୍ଦ୍ରରେ ସରକାରରେ ବିଜେଡି ଏବଂ ବିଜେପି ରହିଛି । ଏହି ଦୁଇ ଦଳ ନିଜ ନିଜ ସରକାରର ଯୋଜନାକୁ ଲୋକଙ୍କ ପାଖରେ ପ୍ରଚାର କରି ବିଭିନ୍ନ ସମୟରେ ଭୋଟ୍ ମାଗୁଥିବାର ନଜିର ରହିଛି । ଏପରି ସ୍ଥିତିରେ କଂଗ୍ରେସ ଲୋକଙ୍କୁ ପାଖକୁ ଯାଇ ଭୋଟ୍ ମାଗିବା କଷ୍ଟକର ।