ରକ୍ତ କର୍କଟରେ ଯନ୍ତ୍ରଣା ପାଉଛନ୍ତି ସରସ୍ୱତୀ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, କାନ୍ଦି କାନ୍ଦି ସାହାଯ୍ୟ ପାଇଁ ନେହୁରା ହେଉଛନ୍ତି ସରସ୍ୱତୀ

135

କନକ ବ୍ୟୁରୋ: ବୃଦ୍ଧ ବୟସରେ ସାହାରା ବୋଲି କେହି ନାହିଁ । ପରସ୍ପରର ସାହାରା ହୋଇ ଜୀବନ ବିତାଉଛନ୍ତି ବୃଦ୍ଧ ଦମ୍ପତ୍ତି । ତା ଉପରେ ଜୀବନର ଦୁଃଖକୁ ଦ୍ୱିଗୁଣିତ କରିଛି ରୋଗ । ସ୍ତ୍ରୀକୁ ରକ୍ତ କର୍କଟ ରୋଗ ହେବା ପରେ ଏହି ଦୁଃଖୀ ସଂସାର ଉପରେ ଏବେ ଚଡକ ପଡିଛି । ଅଭାବକୁ ବ୍ୟୟ ସାପେକ୍ଷ ରୋଗ ଯେମିତି ବୋଝ ଉପରେ ଲଳିତା ବିଡା । ଭାଗ୍ୟକୁ ଦୋଷ ଦେଇ ଲୁହ ଗଡେଇବା ଛଡା ଏହି ପରିବାର ପାଖରେ ଉପାୟ ବି କିଛି ନାହିଁ ।

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ଗୋପ୍ତିରା ଗ୍ରାମର ସରସ୍ୱତୀ ବାଇ । ସ୍ୱାମୀ ନରେଶ ବାଇ ଦହିବରା ବିକ୍ରି କରି ପରିବାର ପୋଷନ୍ତି । ଦହିବରା ବିକ୍ରିରେ ଯାହା ଦି ପଇସା ରୋଜଗାର ହୁଏ ସେଥିରେ ପରିବାର ଚଳିଯାଏ । ଦୁଃଖ କଷ୍ଟରେ ସଂସାର ଚଳେ । ପୁଅ ବିବାହ ପରେ ବାପା, ମାଙ୍କଠାରୁ ଅଲଗା ହୋଇ ରହୁଛନ୍ତି । ସେବେଠାରୁ ସାହାରା କହିଲେ କେହି ବି ନାହିଁ । ରୋଗାଗ୍ରସ୍ତ ସ୍ତ୍ରୀର ସବୁ କାମ କରୁଛନ୍ତି ସ୍ୱାମୀ ନରେଶ ।

କିଛି ଦିନ ତଳେ ସ୍ତ୍ରୀ ସରସ୍ୱତୀଙ୍କ ବେକରେ ଫୁଲା ପଡିଥିଲା । ପରେ ଚିକିତ୍ସା ପାଇଁ ବିଭିନ୍ନ ସ୍ଥାନରେ ବୁଲି ଦେଖାଇବାପରେ ଡାକ୍ତର ତାଙ୍କୁ ରକ୍ତ କର୍କଟ ରୋଗ ହୋଇଛି ବୋଲି କହିଥିଲେ । ଏ ରୋଗର ଚିକିତ୍ସା ବ୍ୟୟ ବହୁଳ ଜାଣିବାପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଭାଙ୍ଗି ପଡିଥିଲେ । ବିଜୁ ସ୍ୱାସ୍ଥ୍ୟ କାର୍ଡ ସଂପୂର୍ଣ୍ଣ ଚିକିତ୍ସା ସମ୍ଭବ ନୁହେଁ, ତା ଛଡା ବାରମ୍ବାର ଯିବା ଆସିବା, ରହିବା, ଖାଇବା ଓ ଔଷଧ କଥା ବି ଅଛି । ଏତେ ଟଙ୍କା ଆସିବ କୁଆଡୁ । କେମିତି ହେବ ସ୍ତ୍ରୀର ଚିକିତ୍ସା ଏହି କଥା ଭାବି ଭାବି ସ୍ୱାମୀ ବି ଚିନ୍ତାରେ ପଡିଛନ୍ତି ।

ସ୍ତ୍ରୀ ରୋଗାଗ୍ରସ୍ତ ହେବା ପରେ ସ୍ୱାମୀ ନରେଶ ବେପାର କରିବା ଦୂରର କଥା ସବା ଶୁଶୃଷା ଓ ଘର କାମରେ ଦିନ ଯାଉଛି । ସ୍ତ୍ରୀଙ୍କୁ ଗାଧୋଦେଇବାଠୁ ଆରମ୍ଭ କରି ଖାଇବାକୁ ଦେବା ଘର କାମ ସବୁ ସ୍ୱାମୀ ନରେଶ ହିଁ କରୁଛନ୍ତି । ସ୍ତ୍ରୀ ର ସ୍ୱାସ୍ଥ୍ୟ ବି ଦିନକୁ ଦିନ ବିଗିବାକୁ ଲାଗିଛି । ଯାହା କିଛି ମାଗି ଯାଚି ଆଣୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ । ଯଦି ନରେଶଙ୍କ ପରିବାରକୁ କିଛି ସରକାରୀ କିମ୍ବା ବେସରକାରୀ ସାହାଯ୍ୟ ମିଳିପାରନ୍ତି ତେବେ ଏ ଦୁଃଖି ସଂସାର ପୁଣି ହସି ଉଠନ୍ତା । ଆଉ ସରସ୍ୱତୀଙ୍କ ରୋଗ ଭଲ ହୋଇ ପାରନ୍ତା ।

ଆପଣ ବି ଚାହିଁଲେ ସରସ୍ୱତୀଙ୍କୁ ସହାୟତାର ହାତ ବଢାଇପାରିବେ । ଯଦି ଆପଣ ସରସ୍ୱତୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଲେଖିରଖନ୍ତୁ ତାଙ୍କ ବ୍ୟାଙ୍କ ଡିଟେଲ୍ସ ।

ଏସବିଆଇ ବ୍ୟାଙ୍କ
ଆକାଉଣ୍ଟ ନମ୍ବର – ୩୪୯୯୦୪୩୩୭୯୪
ଆଇଏଫଏସସି କୋଡ – SBIN୦୦୧୨୦୫୯
ମୋବାଇଲ ନମ୍ବର – ୭୭୫୧୮୩୬୯୨୬
ଆସନ୍ତୁ ଏକାଠି ହେବା ସରସ୍ୱତୀଙ୍କ ମୁହଁରେ ହସ ଫୁଟାଇବା । ଆଉ ତାଙ୍କୁ ନୂଆ ଜୀବନ ଦେବା ।