ଧାବିକା ସରସ୍ୱତୀ ଚାନ୍ଦଙ୍କର ନିଆରା ପ୍ରୟାସ । ବିନା ମୂଲ୍ୟରେ ନିଜର ଶ୍ରମ ଦେଇ ଗାଁ ମାଟିରେ ଗଢୁଛନ୍ତି ଆଥଲେଟ୍ ।

438

କନକ ବ୍ୟୁରୋ : ଜାତୀୟ ସ୍ତରର ଧାବିକା ସରସ୍ୱତୀ ଚାନ୍ଦଙ୍କର ନିଆରା ପ୍ରୟାସ । ବିନା ମୂଲ୍ୟରେ ନିଜର ଶ୍ରମ ଦେଇ ଗାଁ ମାଟିରେ ଗଢୁଛନ୍ତି ଆଥଲେଟ୍ । ଜାତୀୟସ୍ତରର କ୍ରୀଡାରେ ଭାଗନେଇ ଜିଲ୍ଳା ତଥା ରାଜ୍ୟ ଓ ଦେଶର ଗୌରବ ବଢାଇବା ପାଇଁ ତାଙ୍କର ଏହି ପ୍ରୟାସ ।

ଦିନେ ଜାତୀୟ ଓ ଆନ୍ତର୍ଜାତୀୟ ଟ୍ରାକରେ ସ୍ପ୍ରିଂଟର ଭାବେ ଗୌରବ ଆଣିଥିବା ଯାଜପୁର ରସୁଲପୁର ବ୍ଲକ ଚକଗୋପାଳପୁର ଗାଁର ସରସ୍ୱତୀ ଚାନ୍ଦ ଏବେ ଗାଁ ମାଟିରେ ଆଥଲେଟ୍ ତିଆରି କରିବାରେ ଲାଗିଛନ୍ତି । ଜାରକା କଳ୍ପତରୁ ଦାସ ଷ୍ଟାଡିୟମ ପରିସରରେ ପ୍ରତିଦିନ ସକାଳୁ ପ୍ରାୟ ୧୫ଜଣ ପ୍ରଶିକ୍ଷାର୍ଥୀଙ୍କୁ ମାଗଣାରେ ଟ୍ରେନିଂ ଦେଉଛନ୍ତି ଧାବିକା ସରସ୍ୱତୀ ଚାନ୍ଦ ।

ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ସରସ୍ୱତୀ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରି ଏବେ ପୋଲିସ ବିଭାଗରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଆଜି ବି ଖେଳ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଛି । ସେଥିପାଇଁ ତ ସେ ଗ୍ରାମାଞ୍ଚଳରୁ ଆଥଲେଟ୍ ତିଆରି କରିବାରେ ଲାଗିଛନ୍ତି । ପିଲାଙ୍କୁ ପାହଡ ଚଢାଇବା, ଭାର ଉତୋଳନ, ଫୁଟବଲ ସହ ବିଭିନ୍ନ ଶାରିରୀକ ପ୍ରଶିକ୍ଷଣ ଦିଆଯାଉଛି । ଏଠାରେ ପ୍ରଶିକ୍ଷଣ ନେଉଥିବା ଅନେକ ଖେଳାଳି ଜିଲ୍ଲା ଓ ରାଜ୍ୟସ୍ତରରେ ଖେଳି ସଫଳତା ପାଇଛନ୍ତି, ଆଗକୁ ଦେଶ ପାଇଁ ଖେଳିବେ ବୋଲି ଆଶା ରଖିଛନ୍ତି ପ୍ରଶିକ୍ଷକ ସରସ୍ୱତୀ ଚାନ୍ଦ ।