କନକ ବ୍ୟୁରୋ : ବଡବଡିଆ ଖାଇଗଲେ ମନରେଗା ଟଙ୍କା । ଲୋକେ କାମ କରିବାକୁ ଦାଦନ ଖଟିବାକୁ ଯାଉଛନ୍ତି । କୋଠାବାଡି ଓ ବଡ ବଡ ଗାଡିର ମାଲିକ କାଗଜପତ୍ରର କାମ କରି ନେଉଛନ୍ତି ମଜୁରୀ । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଦଶରଥପୁରରୁ ।

Advertisment

ଅଭିଯୋଗ ଆସିଛି ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ପ୍ରତିନିଧି କୁହାଯାଉଥିବା ପ୍ରଦୀପ କୁମାର ମହାନ୍ତିଙ୍କ ନାଁରେ । ଦଶରଥପୁର ବ୍ଲକ ଗ୍ରାମନନ୍ଦିପୁର ପଂଚାୟତରୁ ପ୍ରଦୀପ ପୂର୍ବରୁ ସରପଂଚ ଥିଲେ । ବର୍ତମାନ ତାଙ୍କ ପତ୍ନୀ ସଂଯୁକ୍ତା ମହାନ୍ତି ସେଠାରେ ସରପଂଚ ଅଛନ୍ତି । ଅଭିଯୋଗ ଅନୁସାରେ, ପ୍ରଦୀପ କୁମାର ମହାନ୍ତି, ସଂଯୁକ୍ତା ମହାନ୍ତି ଓ ତାଙ୍କର ଦୁଇ ପୁଅ ଚୌଧୁରୀ ଦେବାଶିଷ ମହାନ୍ତି ଓ ଆର୍ଶୀବାଦ ମହାନ୍ତି ମାଟି ଉଠାଇବା ନାଁରେ ଲକ୍ଷ ଟଙ୍କା ମିଛ କାଗଜପତ୍ରରେ ଉଠାଇଛନ୍ତି । ଏ ନେଇ ଅଭିଯୋଗ ହୋଇଥିଲେ ବି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି ।

ଦଶରଥପୁର ବ୍ଲକରେ ଏଭଳି ମନରେଗା କେଳେଙ୍କାରୀ ନେଇ ବଡବଡିଆ ଅଧିକାରୀ କେମିତି ଜାଣିପାରିଲେନି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରଦୀପ ମହାନ୍ତି ଏବଂ ତାଙ୍କ ପତ୍ନୀ ସଂଯୁକ୍ତା ମହାନ୍ତି ୨୦୨୦ ଏପ୍ରିଲ୍ ୧୭ରୁ ଜୁଲାଇ ୨୬ ପର୍ଯ୍ୟନ୍ତ ୯୪ଦିନ ମାଟି କାମ କରିଛନ୍ତି । ଆଉ ମଜୁରୀ ବାବଦକୁ ନେଇଛନ୍ତି ୧୯ ହଜାର ୪୫୮ ଟଙ୍କା । ପେଟାନାଳର ମାଟି ଖୋଳିବା, ଭନ୍ଦେଶ୍ୱର ପୋଖରୀ ଖୋଳିବା ସହ ନଳିନୀକାନ୍ତ ନାୟକ ଓ ନିଶିକାନ୍ତ ସାହୁଙ୍କ ଜମି ଉନ୍ନତିକରଣ କାମ କରିଥିବା ଜବକାର୍ଡରେ ଦର୍ଶାଯାଇଛି । ତାଙ୍କର ଦୁଇ ପୁଅ ଚୌଧୁରୀ ଦେବାଶିଷ ମହାନ୍ତି ଓ ଆଶିର୍ବାଦ ମହାନ୍ତି ମଧ୍ୟ ମନରେଗାରେ କାମ ପାଇଛନ୍ତି । ୨୦୨୦ ଏପ୍ରିଲ୍ ୧୭ରୁ ଚଳିତବର୍ଷ ଏପ୍ରିଲ୍ ୨୯ ତାରିଖ ଯାଏଁ ବିଭିନ୍ନ ଯୋଜନାରେ ୧୧୯ଦିନ କାମ କରି ୨୭ହଜାର ୪୪୬ ଟଙ୍କା ମଜୁରି ନେଇଛନ୍ତି ଆଶିର୍ବାଦ ମହାନ୍ତି । ଆଉ ଜଣେ ପୁଅ ଚୌଧୁରୀ ଦେବାଶିଷ ମହାନ୍ତି ୨୦୨୦ ମେ ୮ରୁ ୨୦୨୨ ଡିସେମ୍ବର ୧୭ ମଧ୍ୟରେ ୧୧୯ଦିନ କାମ କରି ୨୮ହଜାର ୨୧୯ ଟଙ୍କା ମଜୁରି ନେଇଛନ୍ତି ।

ଗରିବ ଶ୍ରମଜୀବୀଙ୍କୁ କାମ ଯୋଗାଇ ଦେବାକୁ ନମରେଗା ଯୋଜନା ହୋଇଥିବାବେଳେ ସରକାରୀ ଟଙ୍କା ହରିଲୁଟ କରିବାକୁ ଜଣେ ପୂର୍ବତନ ସରପଂଚ, ତାଙ୍କ ପତ୍ନୀ ତଥା ବର୍ତମାନର ସରପଂଚ ଓ ତାଙ୍କ ଦୁଇ ପୁଅ ଯେଉଁ ଷଡ ଯନ୍ତ୍ର କରିଥିଲେ ତାହା ପଦାକୁ ଆସିଛି । ଏତେବଡ କୋଠା ଓ ଚାରିଚକିଆ ଗାଡି ଥାଇ ଏମାନେ କିଭଳି ଜବକାର୍ଡ ହାତେଇଲେ ଓ ସରକାର ଟଙ୍କା ଲୁଟିବାକୁ ଯୋଜନା କଲେ ଯାହା ସଂପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀ ଜାଣିପାରିଲେ ନାହିଁ, ତାହା ସବୁଠାରୁ ବଡ ପ୍ରଶ୍ନ ହୋଇଛି ।