ବୀରବଲଙ୍କ ଭଳି ବୁଦ୍ଧି ପାଞ୍ଚିଲେ ସରପଞ୍ଚ, ଚାରି ଦାବିଦାରଙ୍କ ମଧ୍ୟରୁ ପ୍ରକୃତ ମାଲିକକୁ ମିଳିଲା ଘୋଡା ।

209

କନକ ବ୍ୟୁରୋ : ପିଲାଦିନେ ଆପଣ ଆକବର-ବୀରବଲଙ୍କର କାହାଣୀ ପଢ଼ିଥିବେ । କିଭଳି ବୀରବଲ ନିଜ ବୁଦ୍ଧି ମାଧ୍ୟମରେ ସମସ୍ୟାର ସମାଧାନ କରୁଥିଲେ, ସେହି କାହାଣୀ ଆପଣଙ୍କୁ ଆନନ୍ଦ ଦେଇଥିବ । ଝାଡ଼ଖଣ୍ଡର ଗଢୱାରେ ଏଭଳି ଏକ ନିଆରା ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଗ୍ରାମ ପଞ୍ଚାୟତ ପକ୍ଷରୁ ବୀରବଲଙ୍କ ବୁଦ୍ଧି ପ୍ରୟୋଗ କରି ଅସଲି ମାଲିକକୁ ଖୋଜି ପାଇଛନ୍ତି । ମିଳିଥିବା ସୂଚନା ମୁତାବକ ଗଢୱା ଜିଲ୍ଲାର ସୁଅରଜଂଘାରେ ରହୁଥିବା ମଙ୍ଗଳଙ୍କୁ ଦୁଇ ମାସ ତଳେ ଜଙ୍ଗଲରୁ ଏକ ଘୋଡା ମିଳିଥିଲା । ମଙ୍ଗଳ ଘୋଡ଼ାକୁ ନେଇ ଘରକୁ ଆସିଥିବାବେଳେ ତାହାର ନାମ ତୋଫାନ ଦେଇଥିଲେ ।

କିଛି ଦିନ ପରେ ଦୁଇ ଜଣ ବ୍ୟକ୍ତି ସୁଅରଜଂଘା ଗାଁକୁ ଆସି ଘୋଡ଼ାଟି ସେମାନଙ୍କର ବୋଲି ଦାବି କରିଥିଲେ । ସମସ୍ୟା ଏତିକିରେ ତୁଟିନଥିଲା । ୫ ଦିନ ତଳେ ସୁଅରଜଂଘା ଗାଁର ପଡୋଶୀ ଗାଁ ପଚୋରରୁ ପ୍ରହ୍ଲାଦ ନାମକ ବ୍ୟକ୍ତି ଆସି ଘୋଡାଟି ତାଙ୍କର ବୋଲି ଦାବି କରିଥିଲେ । ଏହା ପରେ ଘଟଣାଟି ଗ୍ରାମପଞ୍ଚାୟତରେ ପହଞ୍ଚିଥିଲା । ଗୋଟିଏ ଘୋଡାକୁ ଚାରି ଜଣ ମାଲିକ ଥିବାବେଳେ କିଭଳି ଠିକ ମାଲିକକୁ ଘୋଡ଼ାଟି ଦିଆଯାଇପାରିବ ସେ ନେଇ ସରପଂଚ ଅଜୟ ସିଂହ ଉପାୟ ପାଞ୍ଚିଥିଲେ ।

ଗ୍ରାମପଂଚାୟତ କାର୍ଯ୍ୟାଳୟ ବାହାରେ ଘୋଡ଼ାଟିକୁ ବାନ୍ଧି ଦେଇ ଚାରି ଜଣଙ୍କୁ ଘୋଡା ପାଖକୁ ପଠାଯାଇଥିଲା । ଆଉ ଘୋଡ଼ାଟି ଯେଉଁ ବ୍ୟକ୍ତିମାନଙ୍କୁ ଦେଖି ଚିହିଁକି ଥିଲା ଓ ଯେଉଁ ବ୍ୟକ୍ତିଙ୍କ ପାଖରେ ଶାନ୍ତ ଭାବେ ରହୁଥିଲା, ସେମାନଙ୍କୁ ଅଲଗା ଅଲଗା ଛିଡା କରାଯାଇଥିଲା ।ଶେଷରେ ପଚୋର ଗାଁର ପ୍ରହ୍ଲାଦ ହିଁ ପ୍ରକୃତ ମାଲିକ ବୋଲି ଜଣାପଡିଥିଲା ।

Comments are closed.