ସନ୍ଧ୍ୟାରେ ଶରଦଙ୍କ ‘ପାୱାର’ ସୋ’ । ବିଜେପି ସହ ହାତ ମିଳାଇଥିବା ନେତାଙ୍କୁ ମନେ ପକାଇଦେଲେ ଦଳ ବଦଳ ନିୟମ କଥା ।

1,091

କନକ ବ୍ୟୁରୋ : ଗୋଟିଏ ରାତିରେ ବଦଳି ଗଲା ମହାରାଷ୍ଟ୍ରର ରାଜନୈତିକ ଚିତ୍ର । ଠିକ୍ ଗୋଟିଏ ଦିନ ପୂର୍ବରୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ପ୍ରାୟତଃ ନିଶ୍ଚିତ ଥିଲା । ସ୍ଥିର ହୋଇଥିଲା ଶିବସେନା-କଂଗ୍ରେସ ଓ ଏନସିପି ମିଳିତ ଭାବରେ ସରକାର ଗଠନ କରିବେ । ହେଲେ, ନେତାଙ୍କ ଆଖି ଖୋଲିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନଭିସ୍ । ଆଉ ସରକାର ଗଠନରେ ସାଥୀ ହୋଇ ସାମ୍ନାକୁ ଆସିିଲେ ଏନସିପି ବିଧାୟକ ଦଳ ନେତା ଅଜିତ ପାୱାର । ଯିଏ, ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଦେବେନ୍ଦ୍ର ଫଡନବୀଶ ଫ୍ଲୋର ଟେଷ୍ଟରେ ପାସ୍ ହେବ ତ? ଏ ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଫ୍ଲୋର ଟେଷ୍ଟ ପୂର୍ବରୁ ବଡ ବୟାନ ଦେଇଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ମୁଖ୍ୟମନ୍ତ୍ରୀ ଭାବେ ସିନା ଦେବେନ୍ଦ୍ର ଶପଥ ନେଇଗଲେ କିନ୍ତୁ ବହୁମତ ସାବ୍ୟସ୍ତ କରିପାରିବେ ନାହିଁ ବୋଲି କହିଛନ୍ତି ଶରଦ ପାୱାର ।

ପ୍ରେସ କନଫରେନ୍ସରେ ଶରଦ ପାୱାର କହିଛନ୍ତି ଅଜିତଙ୍କ ସହ ଯାଇଥିବା ୧୧ ବିଧାୟକଙ୍କ ମଧ୍ୟରୁ ୨ ବିଧାୟକ ଫେରି ଆସିଥିବା ବେଳେ ଅନ୍ୟ ଜଣେ ବିଧାୟକ ଟ୍ୱିଟର ମାଧ୍ୟମରେ ନିଜର ସମର୍ଥନ ଜଣାଇଛନ୍ତି । ତେବେ ଏଯାଏଁ ସାମ୍ନାକୁ ଆସୁନଥିବା ଅନ୍ୟ ବିଧାୟକଙ୍କୁ ମଧ୍ୟ ଖୋଲାଖୋଲି ଚେତାବନୀ ଦେବାକୁ ପଛାଇ ନାହାନ୍ତି ପାୱାର । ଯେଉଁ ବିଧାୟକ ବିଜେପି ସହ ହାତ ମିଳାଇଛନ୍ତି ସେମାନଙ୍କୁ ବୋଧହୁଏ ଦଳବଦଳ ଆଇନ ବାବଦରେ ଜଣାନାହିଁ । କାରଣ ଦଳର ନିଷ୍ପତି ବିରୋଧରେ ଗୋଟିଏ ଦଳର ବିଧାୟକ ଅନ୍ୟ ଦଳକୁ ସେତେବେଳେ ଯାଇପାରିବେ ଯେତେବେଳେ ଦଳର ଦୁଇ ତୃତୀୟାଂଶ ବିଧାୟକ ସମ୍ମତି ପ୍ରକାଶ କରିବେ । ନଚେତ୍ ସେମାନଙ୍କ ସଦସ୍ୟତାକୁ ଅଯୋଗ୍ୟ ଘୋଷଣା କରାଯିବ । ତେଣୁ ଅଜିତଙ୍କ ସହ ଯେଉଁ କିଛି ବିଧାୟକ ବିଜେପି ସହ ହାତ ମିଳାଇଛନ୍ତି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରିବ ।